• ବେତାର ଷ୍ଟାଫ ଲେଖକ

କେନ୍ଦ୍ର ସରକାରଙ୍କ ନୂଆ ସ୍କିମରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ 25 ପ୍ରକାରର କାମ , ଓଡିଶାରୁ ଏତିକି ଜିଲ୍ଲା ସାମିଲ


(ବେତାର ବ୍ୟୁରୋ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଗ୍ରାମାଞ୍ଚଳର ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ ତଥା ଗରିବଶ୍ରେଣୀର ପରିବାରର ଜୀବିକା ନିର୍ବାହ ପାଇଁ 20 ଜୁନ୍ (ଶନିବାର) ଦିନ 'ଗରିବ କଲ୍ୟାଣ ରୋଜଗର ଅଭିଯାନ' ଆରମ୍ଭ କରିବେ।

ଏହି ଯୋଜନାରେ ବିଭିନ୍ନ ରାଜ୍ୟକୁ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସମେତ ଜନଧନ ଯୋଜନା ଓ କିଶାନ ଯୋଜନାରେ ଟଙ୍କା ପାଇଥିବା ପରିବାର ବର୍ଗଙ୍କୁ ସରକାର ବିଭିନ୍ନ ସ୍କିମ ଜରିଆରେ ସେମାନଙ୍କ ଦକ୍ଷତା ଅନୁସାରେ କାମ ଯୋଗାଇଦେବେ ।  

ଏହି ଯୋଜନାର ହିତାଧିକାରୀଙ୍କୁ ଗୃହ ନିର୍ମାଣ, ବୃକ୍ଷରୋପଣ, କୂପ ଖନନ, ରାଜପଥ ନିର୍ମାଣ , ଗୋଷ୍ଠୀ ସ୍ଵଚ୍ଛତା , ପରିବା ଚାଷ ଇତ୍ୟାଦି କାର୍ଯ୍ୟରେ ନିଯୋଜିତ କରାହେବ ।  

ଏହି ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଦେଶର ଛଅ ଟି ରାଜ୍ୟର 116ଟି ଜିଲ୍ଲାରେ 125 ଦିନିଆ ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବା।

ଏ ନେଇ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଅଭିଯାନ ଆରମ୍ଭ ହେବ। ବିହାରର ଖାଗରିଆ ଜିଲ୍ଲାର ବେଲଡାଉର ବ୍ଲକର ତେଲିହାର ଗ୍ରାମରୁ ଏହି କାର୍ଯ୍ୟକ୍ରମ ଉଦଘାତିତ ହେବ। ଅନ୍ୟ ପାଞ୍ଚଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେତେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି ଭର୍ଚୁଆଲ୍ ଲଞ୍ଚରେ ଅଂଶଗ୍ରହଣ କରିବେ।

ସର୍ବମୋଟ 25,000 ହିତାଧିକାରୀ

ଏହି ସ୍କିମର ସୁବିଧା ନେବା ପାଇଁ କେନ୍ଦ୍ର ସରକାର ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସାରିଛନ୍ତି । ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏହି ଅଭିଯାନ ପାଇଁ ସମୁଦାୟ 116 ଟି ଜିଲ୍ଲା ଚୟନ କରାଯାଇଛି ଯେଉଁଥିରେ 25,000 ରୁ ଅଧିକ ପ୍ରବାସୀ ଶ୍ରମିକ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡିଶାକୁ ଫେରିଛନ୍ତି।

ଏହା ମଧ୍ୟ କହିଛି ଯେ ଏହି ଜିଲ୍ଲାଗୁଡ଼ିକରେ ପ୍ରାୟ ଦୁଇ-ତୃତୀୟାଂଶ ପ୍ରବାସୀ ଶ୍ରମିକ ଏଥିରେ ଅନ୍ତର୍ଭୁକ୍ତ ହେବେ। ପ୍ରବାସୀ ଶ୍ରମିକମାନେ 116 ଟି ଜିଲ୍ଲାର ସାଧାରଣ ସେବା କେନ୍ଦ୍ର ଏବଂ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଓଡିଶାରୁ ଚାରି ଜିଲ୍ଲା

ଏହି ସ୍କିମରେ ଭାଗ ନେବା ପାଇଁ ବିହାରରୁ ସର୍ବାଧିକ 32 ଟି ଜିଲା ବଛା ଯାଇଥିବା ବେଳେ ଓଡିଶାରୁ ଚାରିଟି ଜିଲ୍ଲାକୁ 116 ଟି ଜିଲ୍ଲା ମଧ୍ୟରେ ସ୍ଥାନ ମିଳିଛି । ତେବେ କେଉଁ ଜିଲ୍ଲା ଏଥିରେ ସାମିଲ ଅଛି ତାହା ପ୍ରକାଶିତ ହୋଇନାହିଁ ।

ତେବେ ଦକ୍ଷିଣ ଓଡିଶାରୁ ଗଜପତି, ଗଞ୍ଜାମ , ମଧ୍ୟ ଓଡିଶାରୁ ଢେଙ୍କାନାଳ, ଉତ୍ତର ଓଡିଶାରୁ କେନ୍ଦ୍ରାପଡା ଓ ବାଲେଶ୍ଵର ଜିଲ୍ଲା ମଧ୍ୟରୁ ଚାରୋଟି ଜିଲ୍ଲା ସ୍ଥାନ ପାଇପାରେ ବୋଲି ଆଶା କରାଯାଉଛି ।


©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon