• ବେତାର ବ୍ୟୁରୋ

ମୋଦୀଙ୍କ ନିର୍ଦ୍ଦେଶ 10 ଦିନରେ ଯୋଜନା ପ୍ରସ୍ତୁତ କର: ଆଲଫୋନସେ


ଦେଶର ନୂତନ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ ଦାୟିତ୍ଵ) ଭାବେ ଶପଥ ଗ୍ରହଣ କରିଥିବା କେ ଯେ ଅଲଫୋନସେ ଆଜି ଭୁବନେଶ୍ଵର ଠାରେ ମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ସଭାରେ ଯୋଗ ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ 10 ଦିନ ଭିତରେ ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ପାଇଁ ପ୍ରସ୍ତାବ ଆଣି ଆସିବାକୁ କହିଛନ୍ତି ।

ଏଠାରେ ଅନୁଷ୍ଠିତ ଜାତୀୟ ପର୍ଯ୍ୟଟନ ଶିଳ୍ପ ସମ୍ବନ୍ଧୀୟ ସଭାରେ ଭାଷଣ ଦେଇ ଅଲଫୋନସେ କହିଲେ ଯେ “ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଡାକି କରି କହିଲେ ଯେ ସେ ପାରମ୍ପରିକ ପଦ୍ଧତିରେ କମ କରିବାକୁ ପସନ୍ଦ କରନ୍ତି ନାହିଁ । ସେ ମୋତେ କହିଲେ ମୋତେ ଏପରି କିଛି ପ୍ରସ୍ତାବ ଦିଅ ଯାହାକୁ ଆଗରୁ କେହି କିଛି କରି ନ ଥିବେ , ମୋର ପୁରୁଣା ଯୁଗରୁ ଚାଲି ଆସୁଥିବା ପ୍ରସ୍ତାବ ଦରକାର ନାହିଁ ।“

ପ୍ରଧାନମନ୍ତ୍ରୀ ଆଗାମୀ 18 ତାରିଖରେ ଏ ସଂକ୍ରାନ୍ତରେ ଏକ ବୈଠକ ଡାକିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ମନ୍ତ୍ରୀ ଅଲଫୋନସେ କହିଛନ୍ତି କି ସେ ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଅଭିନବ ଉପାୟ ସମ୍ପର୍କରେ ମତାମତ ଦେବାକୁ ଲୋକଙ୍କ ଠାରୁ ମତ ଗ୍ରହଣ କରିବେ ଓ ଆଗାମୀ ଚାରି ସପ୍ତାହ ମଧ୍ୟରେ ଏକ ଉପାଦେୟ ଯୋଜନା ପ୍ରସ୍ତୁତ ହେଇପାରିବ ।

ମାତ୍ର ତିନିଦିନ ପୂର୍ବେ ମୋଦୀ ସରକାରଙ୍କ ପ୍ରଥମ କେରଳୀ ଖ୍ରୀଷ୍ଟିୟାନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଅଲଫୋନସେ ଜାଣେ ପୂର୍ବତନ ଆଇଏଏସ ଅଫିସର । 2006 ମସିହାରେ ଚାକିରିରୁ ଇସ୍ତଫା ଦେଇ ସେ ଜଣେ ନିର୍ଦ୍ଦଳୀୟ ପ୍ରତିଯୋଗୀ ଭାବେ କେରଳ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ ଓ ଚତୁର୍ଥ ସ୍ଥାନରେ ରହିଥିଲେ । ପରେ କିଛି ସମୟ ପାଇଁ ବାମପନ୍ଥୀ ଦଳରେ ରହିବା ପରେ 2014 ଆଡକୁ ସେ ବିଜେପିରେ ଯୋଗ ଦେଇଥିଲେ । ଆଗରୁ ଦିଲ୍ଲୀ ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବେ ବୋଲି ଅଲଫୋନସେଙ୍କ ନାମ ଚର୍ଚ୍ଚାରେ ଥିଲା ।

ଏହି 64 ବର୍ଷ ବୟସ୍କ ପୂର୍ବତନ ପ୍ରଶାସକ ଏବେ ରାଜ୍ୟସଭା ବା ଲୋକସଭାର ସଦସ୍ୟ ନାହାନ୍ତି ଓ ତାଙ୍କୁ 6 ମାସ ଭିତରେ ଯେ କୌଣସି ଗୋଟିଏ ସଭାକୁ ନିର୍ବାଚିତ ହେଇ ଆସିବାକୁ ପଡିବ । ସେ ତାଙ୍କର ମନ୍ତ୍ରୀ ପଦ ଗ୍ରହଣ ବିଷୟରେ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ।

“ମୁଁ ସେଦିନ (ଶନିବାର) କାଲିକଟରେ ଏକ ସଭାରେ ଭାଷଣ ଦେବାକୁ ବାହାରୁଥାଏ । ହଠାତ ମୋତେ ଫୋନ ଆସିଲା ପ୍ରଧାନମନ୍ତ୍ରୀ ଆପଣଙ୍କ ସହିତ କଥା ହେବାକୁ ଚାହାନ୍ତି ଓ ମୋତେ ରବିବାର ତୁରନ୍ତ ବାଙ୍ଗାଲୋର ବିମାନ ବନ୍ଦର ଯିବାକୁ କୁହାଗଲା । ମୋର ଯିବାର ଆଦୌ ଇଚ୍ଛା ନ ଥାଏ, କାରଣ ମୋତେ ସେଠାରୁ କାଲିକଟ ଯିବାକୁ କୌଣସି ସାଧନ ମିଳିବନି ବୋଲି ମୁଁ ଜାଣିଥିଲି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଫୋନ ଆସିଲା ଓ ମୋତେ ଦିଲ୍ଲୀ ଆସି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ କୁହାଗଲା। ମୁଁ ଆଜି ପର୍ଯ୍ୟନ୍ତ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ଯେ ଏଭଳି କିଭଳି ହେଲା ଓ ଆଜି ମୋର ପ୍ରଥମ ସାଧାରଣ ସଭାରେ ଆସି ଯୋଗଦେଲି। “

#tourism

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon