• ବେତାର ବ୍ୟୁରୋ

ନୂଆ ମା'ଙ୍କ ପାଇଁ ବିୟୁଟି ଟିପ୍ସ


ନୂଆ ନୂଆ ମା’ ହେଇଥିବା ମହିଳାଙ୍କ ପକ୍ଷରେ ନିଜ ସୌନ୍ଦର୍ଯ୍ୟ ପ୍ରତି ଯତ୍ନ ନେବାକୁ ସମୟ ନ ଥାଏ ।ଦିନ ସାରା ନିଜ ସନ୍ତାନକୁ ଧରିବା ଓ ନିଜ ଦୈନନ୍ଦିନ କାମ ମଧ୍ୟରେ ମା’ ମାନଙ୍କୁ ନିଜ ବିଷୟରେ ଭାବିବା ପାଇଁ ବେଳ ନ ଥାଏ । ଫଳରେ ଆଖି ତଳ କଳା ପଡିବା, ମୁହଁ ଶେତା ଦିଶିବା, ଆଇ ବ୍ରୋ ଓ ଚୁଟି ଅସୁନ୍ଦର ଦେଖାଯିବା ଆଦି ଦେଖା ଦେଇଥାଏ । ନିଜ ସନ୍ତାନକୁ ଧରି କୌଣସି ଉତ୍ସବକୁ ଯିବାକୁ ହେଲେ ଏହି ସବୁ ସମସ୍ୟା ଯୋଗୁଁ ଅନେକ ମା’ ପିଲା ବଡ ନ ହେବା ଯାଏଁ ବାହାରକୁ ଯିବାକୁ ପସନ୍ଦ କରି ନ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କିଛି ବିୟୁଟି ଟିପ୍ସ ଯାହାକୁ ଆପଣ ଛୁଆ ଧରିବା ସହିତ ଘରେ ରହି କରିପାରିବେ ।

ଓଠ : ଏକ ଆକର୍ଷିଣୀୟ ଓଠ ବା ଲିପ୍ସ ଆପଣଙ୍କ ବ୍ୟକ୍ତିତ୍ଵକୁ ବଢାଇଥାଏ । ଯଦି ନିଜ ସନ୍ତାନକୁ ଧରି ବାହାରକୁ ଯାଉଛନ୍ତି ଓ ଛୁଆ କାଖେଇବା ଫଳରେ ଆପଣଙ୍କ ପୋଷାକ ଠିକ ସେ ଦିଶିପାରୁନି, ସେ କ୍ଷେତ୍ରରେ ଏକ ଆକର୍ଷଣୀୟ ଓଠ ଆପଣଙ୍କ ଅନ୍ୟାନ୍ୟ ମେକଅପଜନିତ ତ୍ରୁଟିକୁ ଦୃଷ୍ଟି ଅଢୁଆଳରେ ରଖିଥାଏ । ଯଦି ଲିପଷ୍ଟିକ ବା ଲିପ ଲାଇନର ଲଗେଇବାକୁ ସମୟ ନାହିଁ, ତେବେ ତୁରନ୍ତ ମେକଅପ ପାଇଁ ଲିପ ଗ୍ଲସ ଲଗେଇ ପାରିବେ ।

ଆଖି : ନାରୀ ସୌନ୍ଦର୍ଯ୍ୟର ଅନ୍ୟ ଏକ ଅଙ୍ଗ ହେଉଛି ତା ଆଖି । ତେଣୁ ଆଖିର ଯତ୍ନ ନେବା ନିହାତି ଜରୁରୀ । ଯଦି ଆଇ ବ୍ରୋ ସାଇଜ କରିବା ପାଇଁ ଆପଣଙ୍କ ପାଖେ ସମୟ ନାହିଁ, ତେବେ ଏକ ଆଇ ବ୍ରୋ ବ୍ରଶ ସାହାଯ୍ୟରେ ଆପଣ ବଢିଥିବା ଆଖି ଚୁଟିକୁ ସାଇଜ କରିପାରିବେ । ଏହାକୁ ଆପଣ ଛୁଆକୁ କାଖେଇ ଧରିବା ସମୟରେ ଗୋଟିଏ ହାତରେ ମଧ୍ୟ କରିପାରିବେ । ଏହା ଛଡା ଆଖି ଚୁଟି ଦୀର୍ଘ ସମୟ ସାଇଜରେ ରହି ପାରିବା ପାଇଁ ଆପଣ ଏଥିରେ ଜେଲ ମଧ୍ୟ ବ୍ୟବହାର କରିପାରିବେ ।

ସ୍ନାନ : ନୂଆ ନୂଆ ମା' ହେଇଥିବା ମହିଳାମାନଙ୍କୁ ବାରମ୍ବାର ନିଜ ସନ୍ତାନଙ୍କ କପଡା ସଫା କରିବାକୁ ପଡିଥାଏ । ତେଣୁ ସ୍ନାନ କରୁଥିବା ସମୟରେ ଅଳ୍ପ କିଛି ଟିପ୍ସ ଉପଯୋଗ କରିଲେ ଆପଣ ଦିନ ସାରା ଫ୍ରେଶ ରହିପାରିବେ । ଏଥିପାଇଁ ଶିଶୁ ଶୋଇଥିବା ସମୟରେ ସ୍ନାନ କରିବାର ଯୋଜନା କରନ୍ତୁ । ସ୍ନାନ ଟିକେ ଅଧିକ ସମୟ କରନ୍ତୁ ଓ ସୁବିଧା ହେଲେ ଷ୍ଟିମ ବାଥ କରିନିଅନ୍ତୁ । ଷ୍ଟିମ ବାଥର ସୁବିଧା ନ ଥିଲେ ଉଷୁମ ପାଣିରେ ଗାଧୋଇବା ସେଣ୍ଟ ବ୍ୟବହାର କରି ସ୍ନାନ କରନ୍ତୁ ।

କେଶ : ନିଜ ଶିଶୁର ସେବା ଯତ୍ନ କରିବା ସହିତ ନିଜ କେଶର ଯତ୍ନ ନେବାର ସୁବିଧା ମା'ମାନଙ୍କ ପକ୍ଷେ ହେଇ ନ ଥାଏ । ସେଥିନିମନ୍ତେ ଏକ ସରଳ ଉପାୟ ହେଲା ପାର୍ଲର ଯାଇ ଲମ୍ବା କେଶକୁ କାଟି କାନ୍ଧଉଚ୍ଚର କେଶ ରଖନ୍ତୁ। ଶାମ୍ପୁ କରିବା ପାଇଁ ସମୟ ନ ଥିଲେ ଆପଣ ଲୋରିଏଲ ବା ଅଲଗା ବ୍ରାଣ୍ଡର ହେୟାର ସ୍ପ୍ରେ ଲଗାଇପାରିବେ ଓ କେଶକୁ ଫ୍ରେଶ ରଖି ପାରିବେ ।

ଚର୍ମ : ଚର୍ମର ଯତ୍ନ ରଖିବା ଏହି ସମୟରେ ଅତ୍ୟନ୍ତ ଜରୁରୀ ହେଇଥାଏ, କାରଣ ଖାଦ୍ୟ ଓ ନିଦ୍ରାରେ ଅନିୟମିତତା ଯୋଗୁଁ ଚର୍ମରେ ଶିଥିଳତା ଆସିଥାଏ । ସେଥିପାଇଁ ଚର୍ମକୁ ନରମ ଓ ଆର୍ଦ୍ର ରଖିବା ପାଇଁ ମୋଇଶ୍ଚରାଇଜର ଲଗେଇବା ଜରୁରୀ। ଯଦି ଏଥିପାଇଁ କୌଣସି କ୍ରିମ ବ୍ୟବାହର କରୁନାହାନ୍ତି ବା ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି, ତେବେ ରାତିରେ ଶୋଇବା ଆଗରୁ ଦେହରେ ନଡିଆ ତେଲ ଲଗେଇ ଶୁଅନ୍ତୁ ।

#beauty

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon