• ବେତାର ବ୍ୟୁରୋ

ଗୁଗୁଲର ପେମେଣ୍ଟ ଆପ 'ତେଜ'ରେ ନୂଆ କ'ଣ


ମୋବାଇଲ ମାଧ୍ୟମରେ ଟଙ୍କା କାରବାରରେ ବଢୁଥିବା ଲୋକପ୍ରିୟତା ଦେଖି ବିଶ୍ଵର ବୃହତ ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଏହାର ପେମେଣ୍ଟ ଆପ 'ତେଜ'ର ଶୁଭାରମ୍ଭ କରିଛି । ଏହି ଆପ ସିଧାସଳଖ ଭାବେ ପେଟିଏମ, ଜିଓ ମନି, ଫ୍ଲିପକାର୍ଟ ଓ ଏୟାରଟେଲ ମନିକୁ ଟକ୍କର ଦେବ । ତେବେ ଗୁଗୁଲର ଏହି ଆପରେ ଏଭଳି କିଛି ବିଶେଷତ୍ବ ରହିଛି ଯାହା ଏହାକୁ ଅନ୍ୟମାନଙ୍କ ଠାରୁ ଅଲଗା କରାଏ ।

ଅଡିଓ QR

ଟ୍ୱେଜ଼ ଆପ ରେ ପଇସା ନେଣ ଦେଣ କୁ ସୁବିଧାଜନକ କରିବା ପାଇଁ ଏଥିରେ ଅଡିଓ QR ଜ୍ଞାନକୌଶଳ ର ବ୍ୟବହାର କରାଯାଇଛି । ପେଟିଏମ ବା ଅନ୍ୟାନ୍ୟ କୌଣସି ଆପ ରେ ଯଦି ଆପଣ କେବେ କାହାକୁ ପଇସା ଦେଇଥିବେ , ତେବେ ସେଥିପାଇଁ ଆପଣଙ୍କ କ୍ୟାମେରା ଖୋଲି ସେଥିରେ QR କୋଡ଼କୁ ସ୍କାନ କରିବାକୁ ପଡିଥାଏ । ରେଷ୍ଟରାଣ୍ଟରେ ଖାଇସାରି , ଅଟୋରୁ ଓଲ୍ହାଇ ସାରି ଏଭଳି କରିବା ଅସୁବିଧା ଲାଗେ ଓ ବିରକ୍ତିଜନକ ମଧ୍ୟ । ଗୁଗୁଲର ତେଜରେ ଟଙ୍କା ନେଣଦେଣ ପାଇଁ ଏକ ଶବ୍ଦ ଯୁକ୍ତ କୋଡ଼ ବ୍ୟବହାର ହେଇଥାଏ , ଯାହାକୁ ଅଡିଓ QR କୁହାଯାଏ । ଏହି ଜ୍ଞାନକୌଶଳରେ ଗୋଟିଏ ସ୍ମାର୍ଟଫୋନରୁ ଆଉ ଏକ ସ୍ମାର୍ଟଫୋନକୁ ଟଙ୍କା ପଠାଇବା ପାଇଁ ଆକାଉଣ୍ଟ ନମ୍ବର ବା ଫୋନ ନମ୍ବର ଦେବାର ଆବଶ୍ୟକତା ନାହିଁ ।ଦୁଇଟି ଫୋନ ପାଖକୁ ଆଣି Send ବଟନ ଟିପିବା ମାତ୍ରେ ଅନ୍ୟ ବ୍ୟକ୍ତି ପାଖ କୁ ପଇସା ପଳେଇଥାଏ।

ଆକାଉଣ୍ଟ ଅନାବଶ୍ୟକ

ଏହି ତେଜ ଆପ ରେ ପଇସା ଦେବା ପାଇଁ ଆପଣଙ୍କୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପଇସା ଉଠାଇ ମୋବାଇଲ ୱାଲେଟରେ ରଖିବାକୁ ପଡିବ ନାହିଁ ।ତେଜ ଆପରେ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଯୋଡି ଆପଣ ପଇସା ଯେକୌଣସି ବ୍ୟକ୍ତିକୁ ପଠାଇ ପାରିବେ ।ଏଥିପାଇଁ ଗୁଗୁଲ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ UPI ଜ୍ଞାନ କୌଶଳକୁ ବ୍ୟବହାର କରୁଛି ।ଏହାଛଡା ଏହାର ବ୍ୟବହାର କାରୀମାନେ ଯେପରି କୌଣସି ଠକାମୀର ଶିକାର ନ ହୁଅନ୍ତି , ସେଥିପାଇଁ ଗୁଗୁଲ ନିଜସ୍ୱ ସିକ୍ୟୁରିଟି ସଫ୍ଟୱେର "ତେଜ ଶୀଲଡ଼" ଏଥିରେ ବ୍ୟବହାର କରୁଛି ।ଏଥିରେ ଆପଣଙ୍କ ଆକାଉଣ୍ଟ ଆପଣଙ୍କ ଆଙ୍ଗୁଳି ଚିହ୍ନ ଅଥବା ଗୁଗୁଲ ପିନ ଦ୍ୱାରା ସୁରକ୍ଷିତ ରୁହେ ବୋଲି କମ୍ପାନୀ କହିଛି ।

ଫୋନ ନମ୍ବର ଯଥେଷ୍ଟ

ଆପଣଙ୍କ ଚିହ୍ନା ପରିଚୟ ବନ୍ଧୁଙ୍କୁ ଟଙ୍କା ପଠାଇବା ଏଥିରେ ସହଜ । ଏହା ଆପଣଙ୍କ ଫୋନବୁକ୍ ର କଣ୍ଟାକ୍ଟକୁ ନିଜ ମେମୋରୀ ରେ ରଖିଥାଏ ଓ ଦରକାର ପଡିଲେ ଆପଣ ନିଜ ସାଙ୍ଗ ବା ପରିଚିତ\ଙ୍କ ନାଁ ଟାଇପ କରି ସେମାନଙ୍କୁ ପଇସା ପଠାଇ ପାରିବେ । ଏଥିପାଇଁ ଆପଣଙ୍କ ବନ୍ଧୁ ମଧ୍ୟ ତେଜ ଆପ ବ୍ୟବହାର କରୁଥିବା ଆବଶ୍ୟକ ।ଅବଶ୍ୟ ଏହି ଫିଚର ସମ୍ପୂର୍ଣ୍ଣ ନୂଆ ନୁହେଁ ।ପୂର୍ବରୁ ପେଟିଏମ ଓ ହ୍ବାଟସଆପ ଏଭଳି ସୁବିଧା ସେମାନଙ୍କ ଆପରେ ପ୍ରଦାନ କରି ଆସୁଛନ୍ତି ।

ବ୍ୟାଙ୍କ ଯୋଗସୂତ୍ର

ଗୁଗୁଲ ଏଥିପାଇଁ ଭାରତର 55ଟି ବ୍ୟାଙ୍କ ସହ ସମ୍ପର୍କ ସ୍ଥାପନ କରିଛି, ଯେଉଁମାନେ UPI ନିର୍ଦ୍ଦେଶନାମା ପାଳନ କରୁଛନ୍ତି ।HDFC ,ICICI ଓ SBI ଭଳି ବ୍ୟାଙ୍କ ଏହି ନେଣଦେଣ ପ୍ରକ୍ରିୟା ରେ ସାମିଲ ହେବା ଲାଗି ସହମତି ପ୍ରଦାନ କରିଛନ୍ତି । ଏହା ଫଳରେ ଟଙ୍କା ପଇସା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଯାଇଥାଏ ବା ଆସିଥାଏ, ତେଜ ଆପ ମାଧ୍ୟମରେ ।ଏଥିରେ ଟଙ୍କା ନେଣ ଦେଣର ବିବରଣୀ ହ୍ବାଟସ ଆପ ଚାଟ ଭଳି ଆପଣଙ୍କ ଫୋନରେ ସୁରକ୍ଷିତ ରୁହେ ।

ଭାରତୀୟ ଭାଷା

ସାଧାରଣ ଲୋକ ମାନେ ଏହି ଆପ ଯେପରି ସୁବିଧାରେ ବ୍ୟବହାର କରିପାରିବେ, ସେଥିଲାଗି ଏହା ଇଁରାଜୀ ଛଡା ହିନ୍ଦୀ,ବଙ୍ଗାଳି , ତାମିଲ ,ତେଲୁଗୁ .ଗୁଜୁରାଟୀ,ମରାଠୀ ତଥା କନ୍ନଡ଼ ଭାଷାରେ ଉପଲବ୍ଧ ହେବ । ଆଗକୁ ଅନ୍ୟାନ୍ୟ ଭାରତୀୟ ଭାଷାରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି ।

ବ୍ୟାଙ୍କ ଆକାଉଣ୍ଟ ବ୍ୟତୀତ ତେଜ ବ୍ୟବହାରକାରୀ ମାନେ ଯେପରି ନିଜର କ୍ରେଡିଟ କାର୍ଡରୁ ମଧ୍ୟ ତେଜ ଜରିଆ ରେ ପଇଠ କରିପାରିବେ ସେଥିପାଇଁ କମ୍ପାନୀ ବିହାର କରୁଛି । ଏହାଛଡା ଆଗକୁ ବିଭିନ୍ନ ଫୋନନିର୍ମାତା ଙ୍କ ସହିତ ମଧ୍ୟ ଗୁଗୁଲ କଥାବାର୍ତ୍ତା କରୁଛି। ଫଳରେ ଆଗକୁ ସେହି ସବୁ ଫୋନରେ ତେଜ ଆପ ଆଗୁଆ ଇନଷ୍ଟଲ ହେଇ ଆସିବ । ନୋକିଆ, ମାଇକ୍ରୋମାକ୍ସ , ଲାଭା ତଥା ପାନାସୋନିକ ପ୍ରଭୃତି ଫୋନରେ ଆଗକୁ ଏହି ଆପ ଇଂସ୍ଟଲ ହେଇ ଆସିବ ବୋଲି ଗୁଗୁଲ ତାର ବ୍ଲଗରେ କହିଛି ।

#tech #app

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon