• ବେତାର ବ୍ୟୁରୋ

ମୋବାଇଲରେ ମାଗଣା କଲ 2020ରୁ ?


ମୋବାଇଲରେ ମାଗଣା କଲ ସେବା ଏବେ କେବଳ ରିଲାଏନ୍ସ ଜିଓ ପ୍ରଦାନ କରୁଛି । ତେବେ ଭାରତ ସରକାର ଏବେ ଏଭଳି କିଛି ପଦକ୍ଷେପ ନେଇଛନ୍ତି , ଯାହା ଫଳରେ ମୋବାଇଲ କଲ ଅନ୍ୟ କମ୍ପାନୀମାନଙ୍କ ନେଟୱର୍କରେ ମଧ୍ୟ ସଂପୂର୍ଣ୍ଣ ମାଗଣା ହେଇପାରେ।

ଗତ ମଙ୍ଗଳବାର ଦିନ (ସେପ୍ଟେମ୍ବର 19) ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ଟ୍ରାଇ ଘୋଷଣା କରିଛନ୍ତି ଯେ , ମୋବାଇଲ କଲ ପାଇଁ କମ୍ପାନୀମାନଙ୍କୁ ଆଉ ପରସ୍ପରକୁ ପଇସା ଦେବାକୁ ହେବ ନାହିଁ । ଅବଶ୍ୟ ଏହା 2020 ମସିହା ଜାନୁଆରୀ ପହିଲା ଠାରୁ ଲାଗୁହେବ।

ବର୍ତ୍ତମାନ ଗୋଟିଏ ଟେଲିକମ କମ୍ପାନୀରୁ ଅନ୍ୟ ଏକ ଟେଲିକମ କମ୍ପାନୀକୁ କଲ ଯିବା ପାଇଁ ମିନିଟ ପିଛା 14 ପଇସା ଧାର୍ଯ୍ୟ ଥିବା ବେଳେ, ଆସନ୍ତା ଅକ୍ଟୋବର ମାସ ଠାରୁ ଏହା କମି 6 ପଇସା ହେବ । ଅର୍ଥାତ , ଏୟାରଟେଲର ଗ୍ରାହକ ଭୋଡାଫୋନ ଗ୍ରାହକଙ୍କୁ ଫୋନ କଲେ, ଏୟାରଟେଲ କମ୍ପାନୀ ଭୋଡଫୋନକୁ ମିନିଟ ପିଛା 14 ପଇସା ଦେଉଥିଲା, ଯାହା ଅକ୍ଟୋବର ଠାରୁ 6 ପଇସା ହେଲା । 2020 ମସିହା ଠାରୁ ଏହି ଦର ‘ଶୂନ’ ହେଇଯିବ ।

ଟେଲିକମ କମ୍ପାନୀ ମାନେ ପରସ୍ପରକୁ କଲ ଲଗେଇବା ପାଇଁ ଦେଉଥିବା ଏହି ଦର କୁ IUC ଦର କୁହାଯାଏ । ଆଗରୁ ଏହି ଦର ମିନିଟ ପିଛା 35 ପଇସା ଥିଲା , ଯାହା ଆସନ୍ତା ଅକ୍ଟୋବର ମାସଠୁ କମି 6 ପଇସା ହେବ । ଏହି ଦର ଉପରେ ଅନ୍ୟାନ୍ୟ ଖର୍ଚ୍ଚ ଓ ନିଜର ଲାଭ ମିଶାଇ ଟେଲିକମ କମ୍ପାନୀମାନେ କଲ ଦର ନିର୍ଣ୍ଣୟ କରିଥାନ୍ତି। ତେବେ ନିଜ ନେଟୱର୍କ ଭିତରେ କଲ କରିବା ପାଇଁ ଏମାନଙ୍କୁ କୌଣସି ଦେୟ ଦେବାକୁ ହେଇ ନ ଥାଏ ।

ପ୍ରାୟ ଅଢେଇ ବର୍ଷ ପରେ, ଅର୍ଥାତ 2020ରେ ଏହି ଦର କମି ଶୂନ ହେଇଯିବ । ସେତେବେଳେ କମ୍ପାନୀ ମାନେ କଲ ଦର କମାଇବାକୁ ବାଧ୍ୟ ହେବେ ବା କୌଣସି ଦର ରଖିବେ ନାହିଁ । ଟ୍ରାଇର କହିବା ଅନୁସାରେ ଏହି ଦର କମାଇବା ଫଳରେ ଟେଲିକମ କମ୍ପାନୀମାନେ ପୁରୁଣା ଜ୍ଞାନକୌଶଳକୁ ବଦଳେଇ ନୂଆ ଟେକ୍ନୋଲୋଜି ଆପଣେଇବେ, ଯେଉଁଥିରେ ଏହି ଦର ରହିବ ନାହିଁ ।

ରିଲାଏନ୍ସ ଜିଓକୁ ଇଙ୍ଗିତ କରି ଟ୍ରାଇ କହିଛି ଯେ , ଗୋଟିଏ ନୂଆ କମ୍ପାନୀ ଏବେ VOLTE ଜାରିଆରେ ଲୋକଙ୍କୁ ମାଗଣାରେ କଲ ସେବା ଦେଉଛି । ଏହି ଟେକ୍ନୋଲୋଜିରେ ଟେଲିଫୋନ କଲ ଇଣ୍ଟରନେଟ ମାଧ୍ୟମରେ ପ୍ରସାରିତ ହେଇଥାଏ, ଫଳରେ କଲ ପାଇଁ ଖର୍ଚ୍ଚ ବହୁ ପରିମାଣରେ କମିଥାଏ। ଏୟାରଟେଲ ନିକଟରେ VOLTE ଜରିଆରେ କଲ ସେବା ପ୍ରଦାନ କରିଥିବା ବେଳେ, ଭୋଡାଫୋନ ଓ ଆଇଡିଆ ଏ ପର୍ଯ୍ୟନ୍ତ VOLTE ବିଷୟରେ କିଛି କହିନାହାନ୍ତି ।

#mobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon