• ବେତାର ବ୍ୟୁରୋ

ଓଡିଶାରେ ବର୍ଷା ଲାଗି ରହିବ ତିନି ଦିନ : କେମିତ ହେବେ ପ୍ରସ୍ତୁତ


ଭାରତୀୟ ଓ ବିଦେଶୀ ପାଣିପାଗ ଗବେଷଣାକେନ୍ଦ୍ରରୁ ଓଡିଶାରେ ଆଗାମୀ ତିନି ଦିନ ଧରି ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହେଇପାରେ ବୋଲି ସୂଚନା ମିଳିଛି । ଭାରତ ସରକାରଙ୍କ ନୂଆଦିଲ୍ଲୀସ୍ଥିତ ସାଇକ୍ଳୋନ ସୂଚନା ସଂସ୍ଥା ଶୁକ୍ରବାର (ଅକ୍ଟୋବର 6) ସକାଳେ କହିଛି ଯେ ବର୍ତ୍ତମାନ ସୁଦ୍ଧା ଘୂର୍ଣ୍ଣିବାତ୍ୟା ହେବାର କୌଣସି ସୂଚନା ନାହିଁ ଓ ଆଗକୁ ମଧ୍ୟ ହେଇ ନ ପାରେ । ତେବେ ବର୍ତ୍ତମାନର ପାଣିପାଗସ୍ଥିତିକୁ ଦେଖି, ଆଗକୁ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ଅଛି ବୋଲି ଏହା କହିଛି ।

କିଛି ଆମେରିକୀୟ ପାଣିପାଗ ସଂସ୍ଥା ଉଲ୍ଲେଖ କରିଛନ୍ତି ଯେ ଉପକୂଳ ଓଡିଶାରେ ଆଗାମୀ ତିନିରୁ ପାଞ୍ଚଦିନ ଧରି ପ୍ରବଳ ବର୍ଷା ହେବ କିନ୍ତୁ ଅତ୍ୟଧିକ ପବନ ବୋହିବା କିମ୍ବା ବାତ୍ୟା ହେଇ ନ ପାରେ ।

ତେଣୁ ଏଥିରୁ ଅନୁମାନ ଯେ ଆଗାମୀ କିଛି ଦିନ ପ୍ରବଳ ଓ ଲଗାଣ ବର୍ଷାର ସମ୍ମୁଖୀନ ହେବାକୁ ପଡିବ । ସେଥିପାଇଁ କିପରି ପ୍ରସ୍ତୁତ ରହିବେ ଆସନ୍ତୁ ଜାଣିବା ।

  1. ବର୍ଷା ବା ସେହି ପରି କିଛି ପ୍ରାକୃତିକ ଦୁର୍ବିପାକ ହେବାର ଖବର ପାଇବା ମାତ୍ରେ ତେଜରାତି ଦୋକାନ ମାନଙ୍କରେ ପ୍ରବଳ ଭିଡ ଜମିଥାଏ, କାରଣ ସମସ୍ତେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟପଦାର୍ଥ, ମହମବତୀ ଇତ୍ୟାଦି କିଣିବାକୁ ଆଗ୍ରହ ପ୍ରକାଶ କରନ୍ତି । ଅତ୍ୟଧିକ ଭିଡରୁ ରକ୍ଷା ପାଇବା ପାଇଁ ଆପଣ ଅନଲାଇନ ବା ଫୋନ ଯୋଗେ ଜରୁରୀ ଜିନିଷ ମଗେଇବାର ବ୍ୟବସ୍ଥା କରନ୍ତୁ । ନଚେତ ବଡ ସୁପରମାର୍କେଟ ବା ଷ୍ଟୋରକୁ ଯାଇ ସେଠାରୁ ନିଜ ପାଇଁ ଆବଶ୍ୟକୀୟ ଖାଦ୍ୟପଦାର୍ଥ ନେଇ ଆସନ୍ତୁ ।ଏଭଳି କିଛି ଖାଦ୍ୟ ନିଶ୍ଚିତ ଆଣିବେ ଯାହା ବିନା ଫ୍ରିଜରେ ମଧ୍ୟ ଅଧିକ ସମୟ ରହିପାରିବ ।

  2. ପ୍ରବଳ ବର୍ଷା ବା ସେହିଭଳି କିଛି ଦୁର୍ବିପାକ ବେଳେ ଯୋଗାଯୋଗ କରିବା ପାଇଁ ମୋବାଇଲ ଏକ ସୁବିଧା ମାଧ୍ୟମ । ଯେହେରୁ ବର୍ଷା ହେଲେ ଲାଇନ ଯିବାର ସମ୍ଭାବନା ଥାଏ, ଏଥିପାଇଁ ନିଜ ମୋବାଇଲ ଫୋନକୁ ଚାର୍ଜ କରି ରଖିବା ସହିତ ପାୱାରବ୍ୟାଙ୍କକୁ ମଧ୍ୟ ସଂପୂର୍ଣ୍ଣ ରୂପେ ଚାର୍ଜ କରି ରଖନ୍ତୁ । ଯଦି କୌଣସି ପୁରୁଣା କି-ବୋର୍ଡ ଫୋନ ବିନା ବ୍ୟବହାର ହେଇ ରହିଛି, ତେବେ ତାକୁ ମଧ୍ୟ କାଢି ଚାର୍ଜ କରାଇ ନିଅନ୍ତୁ । କାମରେ ଆସିପାରେ ।

  3. ଯଦି ଆପଣଙ୍କ ଘରେ ସାମ୍ନାରେ ଛୋଟ ବଗିଚା ବା ଖାଲି ଜାଗା ରହିଛି, ତେବେ ସେହିବାଟ ଦେଇ ପାଣି ନିକଟସ୍ଥ ନାଳ/ଡ୍ରେନକୁ ଯାଉଛି କି ନାହିଁ ଦେଖିନିଅନ୍ତୁ । ଯଦି ପାଣି ନିଷ୍କାସନର ବ୍ୟବସ୍ଥା ନାହିଁ, ତେବେ ସେହି ଜାଗାରେ ଯଦି କିଛି ଖାଲ ଅଛି ତେବେ ତାକୁ ଅଳିଆ ଆବର୍ଜନା କିମ୍ବା ବାଲିରେ ପୋତି ନିଅନ୍ତୁ । ଅନ୍ତତଃ ଏହା ପାଣି ଜମିବାକୁ ଦେବ ନାହିଁ ।

  4. ନିଜଘରର ପାଣି ଟାଙ୍କିରେ ଯଥେଷ୍ଟ ପାଣି ଭରି ନିଅନ୍ତୁ । ଏହା ଛଡା ବଡ ବାଲଟିରେ ମଧ୍ୟ ପାଣି ଜମା କରି ରଖନ୍ତୁ । ସେହିପରି ଘରେ ଥିବା ବୋତଲରେ ପିଇବା ପାଣି ଭର୍ତ୍ତି କରି ରଖନ୍ତୁ ।

  5. ଘରର ଝରକା ଓ କବାଟ ବନ୍ଦଅଛି କି ନାହିଁ ସେ ବିଷୟରେ ଭଲ ଭାବେ ସୁନିଶ୍ଚିତ କରନ୍ତୁ ।

  6. ଟର୍ଚ ପାଇଁ ବ୍ୟାଟେରୀ କିଣି ରଖି ନିଅନ୍ତୁ । ଏହା ସହିତ ନିଜ ଗାଡି (ବାଇକ/କାର)ରେ ପେଟ୍ରୋଲ ଭରି ନିଅନ୍ତୁ ଓ ATMରୁ କିଛି କ୍ୟାଶ ଆଣି ପାଖରେ ରଖନ୍ତୁ ।

  7. ଯଦି ଇନଭର୍ଟର ବ୍ୟବହାର କରୁଛନ୍ତି, ତେବେ ବିଜୁଳି ମାରିବା ସମୟରେ ଏହାର ପ୍ଲଗ କାଢିନିଅନ୍ତୁ । ଇନଭର୍ଟରର ସୁବିଧା ହେଲା ବର୍ଷା ବେଳେ ଆପଣ କୁଆଡେ ନ ଯାଇପାରିଲେ ଓ ଲାଇନ କଟିଗଲେ ମଧ୍ୟ ଘରେ ବସି ଆରାମରେ ଟିଭି ଦେଖିପାରିବେ। ତେବେ ଅନେକ DTH ଟିଭି କନେକ୍ସନର ଅସୁବିଧା ହେଲା , ବର୍ଷା ବେଳେ ଏଗୁଡିକ ଠିକ ସେ କମ କରି ନ ଥାଏ । ସେଥିପାଇଁ ପେନଡ୍ରାଇଭରେ ମନ ପସନ୍ଦର ଚଳଚ୍ଚିତ୍ର ଲୋଡ କରି ନିଅନ୍ତୁ, ଦରକାର ବେଳେ କାମରେ ଆସିବ ।

#life #city

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon