• ବେତାର ବ୍ୟୁରୋ

ଶନିର ଧନୁ ରାଶି ଚଳନ : କେଉଁ ରାଶିକୁ କ'ଣ


ଜ୍ୟୋତିଷ ବିଦ୍ୟାରେ ଶନି ଓ ବୃହସ୍ପତି ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ଗ୍ରହ । ଏହି ଦୁଇ ଗ୍ରହ ଆମ ସୌରମଣ୍ଡଳର ସବୁଠୁ ବଡ ଗ୍ରହ । ଏମାନଙ୍କ ଚଳନର ପ୍ରଭାବ ପୃଥିବୀ, ଦେଶ, ମହାଦେଶ ତଥା ପ୍ରତ୍ୟେକ ମନୁଷ୍ୟର ଦୈନନ୍ଦିନ ଜୀବନ ଉପରେ ପଡିଥାଏ ।

ଶନି ଗୋଟିଏ ରାଶିରୁ ଯାଇ ସେଥିରେ ପୁନର୍ବାର ପ୍ରବେଶ କରିବା ପାଇଁ ପ୍ରାୟ 29 ବର୍ଷ ସମୟ ନେଇଥାଏ । ଗତ ଥର ଶନି ଯେବେ ଧନୁ ରାଶିରେ ପ୍ରବେଶ କରିଥିଲା (1959-60), ସେତେବେଳେ ଭାରତ-ଚୀନ ଯୁଦ୍ଧ ପରିସ୍ଥିତି ଘନଉଥିଲା । ସେହିପରି ଯେବେ 1989-90 ମସିହାରେ ଏହା ଧନୁ ରାଶିରେ ପ୍ରବେଶ କରିଥିଲା, ସେତେବେଳେ ଭାରତର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିଲା ।

ଏବେ ଅକ୍ଟୋବର 26 ତାରିଖରେ ଶନି ପୁନର୍ବାର ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଏହା କି ପ୍ରଭାବ ଆଣିବ ।

(ବି .ଦ୍ର. : ଏଥିରେ କେବଳ ଶନି ଗ୍ରହର ଚଳନ ବିଷୟରେ ସୂଚନା ଦିଆଗଲା । ଅନ୍ୟ ଗ୍ରହ ଚଳନ ଓ ବ୍ୟକ୍ତିଗତ ଦଶା ଅନୁସାରେ ଭବିଷ୍ୟ ଫଳ ଅଲଗା ହେଇପାରେ । ଏଥିରେ ବର୍ଣ୍ଣିତ ରାଶିଫଳକୁ କେବଳ ପ୍ରାରମ୍ଭିକ ସୂଚନା ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

ମେଷ : ଆପଣଙ୍କ ରାଶି ପାଇଁ ଶନି ନବମ ଗୃହରେ ପ୍ରବେଶ କରିବ। ନବମ ଗୃହ ହେଉଛି ଦୂରଯାତ୍ରା, ନୂଆ ଘର ବା ନୂଆ ଚାକିରି ସୂଚାଇଥାଏ । ଏଣୁ ଏହି ଚଳନ ଆପଣଙ୍କ ପାଇଁ ଦୂର ଯାତ୍ରା ବା ଚାକିରି ପରିବର୍ତ୍ତନର ସୁଯୋଗ ଆଣିପାରେ ।

ବୃଷ : ଆପଣଙ୍କ ରାଶି ପାଇଁ ଶନି 8ମ ଗୃହରେ ପ୍ରବେଶ କରିବ। ଯଦିଓ ଜ୍ୟୋତିଷ ବିଦ୍ୟାରେ 8ମ ଗୃହକୁ ଅଶୁଭ ଧରାଯାଏ, ତଥାପି ଯେଉଁମାନଙ୍କର ବୃଷ ଲଗ୍ନ, ସେମାନଙ୍କ ପାଇଁ ନୀଚ୍ଚଭଙ୍ଗ ରାଜଯୋଗ ସୃଷ୍ଟି ହେଉଥିବାରୁ ଶୁଭ ଫଳ ଆଶା କରାଯାଇପାରେ । ଆପଣଙ୍କ ରାଶିର ଦ୍ଵିତୀୟ ଗୃହ (ଧନ)କୁ ଶନି ଦୃଷ୍ଟି ଦେଉଥିବାରୁ , ଅଚାନକ ଧନ ପ୍ରାପ୍ତିର ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ ।

ମିଥୁନ : ମିଥୁନ ରାଶି ଓ ଲଗ୍ନର ବ୍ୟକ୍ତିମାନଙ୍କ ପାଇଁ ଶନି 7ମ ଗୃହ (ବିବାହ, ପ୍ରେମ, ବ୍ୟବସାୟ) ରେ ପ୍ରବେଶ କରିବ ଓ ଆପଣଙ୍କ ପ୍ରଥମ ଗୃହ (ବ୍ୟକ୍ତିତ୍ଵ)କୁ ଦୃଷ୍ଟି ଦେବ । ଏଣୁ ଏହି ଚଳନ ଆପଣଙ୍କ ପ୍ରେମ ସମ୍ପର୍କ, ଦାମ୍ପତ୍ୟ ଜୀବନ ପାଇଁ ସେତେଟା ଶୁଭମୟ ହେଇ ନ ପାରେ । ସେହିପରି ପାର୍ଟନରସିପରେ ବ୍ୟବସାୟ କରୁଥିଲେ କଳହର ଆଶଙ୍କା ରହିଛି । ଏଥିପ୍ରତି ସାବଧାନ ହୁଅନ୍ତୁ, ଓ ବାଣୀ ସଂଯମ କରନ୍ତୁ ।

କର୍କଟ : ଆପଣଙ୍କ ରାଶି ପାଇଁ ଶନି ଆପଣଙ୍କ ନବମଗୃହ (ଶୁଭ) ସ୍ଵାମୀ ଓ ଏହା ଆପଣଙ୍କ ଷଷ୍ଠ (ରୋଗ , ଋଣ ଓ ଶତ୍ରୁ) ଗୃହରେ ପ୍ରବେଶ କରିବ । ସେଥିପାଇଁ ଏକ ବିପରୀତ ରାଜ ଯୋଗ ସୃଷ୍ଟି ହେବ । ଆପଣଙ୍କ ବିବାହ ବୟସ ହେଉଥିଲେ , କୌଣସି ନା କୌଣସି କାରଣ ପାଇଁ ବିବାହ ବିଳମ୍ବିତ ହେଇପାରେ ।

ସିଂହ: ଶନି ଆପଣଙ୍କ ରାଶିର ପଞ୍ଚମ ଗୃହ(ପ୍ରତିଭା, ପ୍ରେମ ସମ୍ବନ୍ଧ, ସନ୍ତାନ)ରେ ପ୍ରବେଶ କରିବ । ଏଣୁ ଏହି ଚଳନ ଆପଣଙ୍କ ସନ୍ତାନ ସହିତ ମତଭେଦର ଯୋଗ ଦେଖାଉଛି । ତେବେ ଆପଣଙ୍କ ପ୍ରେମ ସମ୍ବନ୍ଧ ଭଲ ରହିପାରେ । ସେହିଭଳି ବ୍ୟବସାୟ ବା ଚାକିରୀ କ୍ଷେତ୍ରରେ ଉନ୍ନତିର ଯୋଗ ଦେଖାଉଛି ।

କନ୍ୟା: ଆପଣଙ୍କ ରାଶି ପାଇଁ ଶନି ଚତୁର୍ଥ ଗୃହ (ଘର, ମା’) ରେ ପ୍ରବେଶ କରିବ । ଏଣୁ ଆପଣଙ୍କ ଘରୋଇ ପରିବେଶ ସନ୍ତୋଷଜନକ ନ ରହିପାରେ । ତେବେ ଆପଣଙ୍କ ଦଶମ ଗୃହ (କ୍ୟାରିୟର)କୁ ଶନିର ଶୁଭ ଦୃଷ୍ଟି ଥିବାରୁ ଚାକିରି କ୍ଷେତ୍ରରେ ଉନ୍ନତିର ଯୋଗ ଦେଖାଉଛି ।

ତୁଳା : ତୁଳା ରାଶି ତଥା ତୁଳା ଲଗ୍ନ ପାଇଁ ଶନି ହେଉଛି ଶୁଭ ଗ୍ରହ । ଅକ୍ଟୋବର 26 ତାରିଖରେ ଏହା ଆପଣଙ୍କ ତୃତୀୟ ଗୃହ (ଭାଇ ଭଉଣୀ, କ୍ଷମତା,ସାହାସ)ରେ ପ୍ରବେଶ କରିବ । ଯଦି ଅନ୍ୟାନ୍ୟ ଗ୍ରହ ସ୍ଥିତି ଶୁଭ ନ ଥାଏ , ତେବେ ବିଳମ୍ବ ଓ ଅସୁବିଧାର ସମ୍ମୁଖୀନ ହେବେ । ତେବେ ଆପଣଙ୍କ ଷଷ୍ଠ ଓ ଦଶମ ଗୃହକୁ ଶନି ଦୃଷ୍ଟି ଦେଉଥିବାରୁ , ଚାକିରି କ୍ଷେତ୍ରରେ ଭଲ ସୁଯୋଗର ସମ୍ଭାବନା ରହିଛି ।

ବିଛା : ଆପଣଙ୍କ ରାଶି ପାଇଁ ଶନି ପ୍ରଥମ ଗୃହ ଛାଡି ଦ୍ଵିତୀୟ ଗୃହ (ଧନ, ଆୟ) ରେ ପ୍ରବେଶ କରିବ । ଏଣୁ ବିଛା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହା ନୂଆ ଗାଡି, ମୋବାଇଲର ସଂକେତ ଦେଉଥିବା ବେଳେ , ବିଛା ଲଗ୍ନର ବ୍ୟକ୍ତି ମାନଙ୍କ ପାଇଁ ଏହା କର୍ମ କ୍ଷେତ୍ରରେ ଅସୁବିଧା ଆଣିପାରେ । ତେବେ ଯଦି ଜନ୍ମ ବେଳକୁ ଆପଣଙ୍କ ଜାତକ ଶନି ଭଲ ସ୍ଥିତିରେ ଥାଏ , ତେବେ ଏହି ଚଳନ ରେ ଆପଣଙ୍କୁ କଠିନ ପରିସ୍ଥିତିର ମୁକାବିଲା ପାଇଁ ଶକ୍ତି ମିଳିବ ।

ଧନୁ : ଅକ୍ଟୋବର 26 ତାରିଖରେ ଶନି ଆପଣଙ୍କ ରାଶିରେ ଓ ଧନୁ ଲଗ୍ନର ପ୍ରଥମ ଗୃହ (ବ୍ୟକ୍ତିତ୍ଵ, ସମ୍ବନ୍ଧ, ସାଙ୍ଗସାଥି)ରେ ପ୍ରବେଶ କରିବ । ଏହି ସମୟରେ ଗାଣିତିକ ବା ଟେକନିକାଲ ବିଷୟ ପ୍ରତି ଆପଣଙ୍କ ରୁଚି ବଢିପାରେ । ଏହି ଚଳନ ଫଳରେ ଆପଣ ଆଗାମୀ ଅଢେଇବର୍ଷ ପାଇଁ କର୍ମଠ ହେବେ ଓ ବ୍ୟସ୍ତ ରହିବେ ।

ମକର : ଆପଣଙ୍କ ରାଶିର 12ତମ ଗୃହରେ ଶନି ପ୍ରବେଶ କରିବ, ଯାହାକି ଆଦୌ ଶୁଭ ନୁହେଁ । ଏହି ଚଳନ ଆପଣଙ୍କ ପାଇଁ ଅଯଥା ଅର୍ଥ ବ୍ୟୟ ଯୋଗ ସୃଷ୍ଟି କରାଇପାରେ । ସ୍ୱାସ୍ଥ୍ୟ ପ୍ରତି, ବିଶେଷ କରି ଖାଦ୍ୟପାନୀୟ ପ୍ରତି ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ସତର୍କ ହେଇ ଯାନବାହାନ ଚଲାନ୍ତୁ ।

କୁମ୍ଭ : ଶନି ଆପଣଙ୍କ ରାଶିର 11ତମ ଗୃହ (ସାଙ୍ଗ ସାଥି, ବୁଲାବୁଲି, ଆମୋଦପ୍ରମୋଦ) ରେ ପ୍ରବେଶ କରିବ । ଆପଣଙ୍କ ପାଇଁ ଅର୍ଥ , ସାଙ୍ଗସାଥି ଓ ଆମୋଦପ୍ରମୋଦର ଅଭାବ ରହିବ ନାହିଁ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି ।

ମୀନ : ଶନି ଆପଣଙ୍କ 10ମ (କର୍ମକ୍ଷେତ୍ର, କ୍ୟାରିୟର) ଗୃହରେ ପ୍ରବେଶ କରିବ । ଯଦି ଆପଣ ନୂଆ ଚାକିରି ବା ନୂତନ ସ୍ଥାନକୁ ଯିବା ସନ୍ଧାନରେ ଅଛନ୍ତି, ତେବେ ଏହାହିଁ ଠିକ ସମୟ । ଶନି ଏପରି ଏକ ଗ୍ରହ ଯାହା ସମସ୍ତଙ୍କ ଧୈର୍ଯ୍ୟର ପରୀକ୍ଷା ନିଏ । ଏହି ଚଳନ ପରେ ଆପଣ ଚାକିରି କ୍ଷେତ୍ରରେ ବହୁତ ସମୟ ଦେବେ ।

#life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon