• ବେତାର ବ୍ୟୁରୋ

ବେଲୁନ ସାହାଯ୍ୟରେ ଆକାଶରେ ଉଡିଲେ ବ୍ରିଟିଶ ନାଗରିକ


ବେଲୁନ ହାଲକା ହେଇଥାଏ ଓ ସହଜରେ ଉପରକୁ ଉଠିଥାଏ । ବିଭିନ୍ନ ପର୍ବ ପର୍ବାଣିରେ ବେଲୁନ କିଣି ଆକାଶରେ ଉଡାଇବାର ମଜା ସମସ୍ତେ କେବେ ନା କେବେ ଅନୁଭବ କରିଥିବେ । କେହି କେହି ଛୋଟ ବୟସରେ ବେଲୁନ ସାହାଯ୍ୟରେ ନିଜେ ଆକାଶରେ ଉଡି ବୁଲିବାର ପରିକଳ୍ପନା ମଧ୍ୟ କରିଥିବେ । ତେବେ ବ୍ରିଟେନର 38-ବର୍ଷୀୟ ଟମ ମୋର୍ଗାନ ବିଶ୍ଵର ଅନେକ ଲୋକଙ୍କ ଏହି ପିଲା ଦିନର ସ୍ଵପ୍ନକୁ ସାକାର କରି ଦେଖାଇବାରେ ସକ୍ଷମ ହେଇଛନ୍ତି ।

ହିଲିୟମ ଗ୍ୟାସରେ ଭର୍ତ୍ତି ହେଇଥିବା ପ୍ରାୟ 100ଟି ପାର୍ଟି ବେଲୁନକୁ ଏକ ଚେୟାରରେ ବାନ୍ଧି ମୋର୍ଗାନ ଆକାଶରେ ପ୍ରାୟ ଦୁଇ ଘଣ୍ଟା ଧରି ରହିଥିଲେ ଓ ପ୍ରାୟ 25 କିମି ଭ୍ରମଣ କରିଥିଲେ । ଏହି ସମୟରେ ସେ ସର୍ବାଧିକ 8,000 ଫୁଟ ଉଚ୍ଚ ପର୍ଯ୍ୟନ୍ତ ଯାଇଥିଲେ ବୋଲି ତାଙ୍କର ଭିଡିଓ ବ୍ଲଗରେ ପ୍ରକାଶ କରିଛନ୍ତି ।

ଅବଶ୍ୟ ଏହି କୃତିତ୍ଵ ହାସଲ କରିବାକୁ ତାଙ୍କୁ କମ ନାକେଦମ ହେବାକୁ ପଡିନାହିଁ । କେତୋଟି ବେଲୁନ ହେଲେ ଓ କେତେ ପରିମାଣର ହିଲିୟମ ଗ୍ୟାସ ହେଲେ ଠିକ ଭାବେ ଉଡିହେବ, ଏହି ପରୀକ୍ଷା କିଛି ସପ୍ତାହ ନେଇଥିଲା । ତଥାପି ଏଥିରେ ସଫଳ ହେଇ ନ ଥିଲେ ମୋର୍ଗାନ । :ଏହି ପରୀକ୍ଷା ପାଇଁ ସବୁଠୁ ବଡ ଅସୁବିଧା ଥିଲା ପବନ । ମୋର୍ଗାନଙ୍କ ମତରେ “ଇଂଲଣ୍ଡରେ ପବନ ଏହି ବାଲୁନ ଯାତ୍ରା ପାଇଁ ଅନୁକୂଳ ନ ଥିବାରୁ, ମୋତେ ଏହି ପରୀକ୍ଷା ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କରିବାକୁ ପଡିଲା। ”

ପ୍ରାୟ ଦୁଇଦିନ ଧରି ସବୁ ବେଲୁନକୁ ହିଲିୟମ ଗ୍ୟାସରେ ଭର୍ତ୍ତି କରିବା ପରେ ମୋର୍ଗାନ ତାଙ୍କର ଯାତ୍ରା ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରର ଉପକଣ୍ଠରେ ଆରମ୍ଭ କରିଥିଲେ ।

ଯେତେବେଳେ ବେଲୁନ ଆକାଶରେ 8,000 ଫୁଟ ଉଚ୍ଚତାରେ ପହଞ୍ଚିଲା, ସେତେବେଳେ ଏହା ତୀବ୍ର ବେଗରେ ଆହୁରି ଉଚ୍ଚକୁ ଯିବାକୁ ଲାଗିଲା । ମୋର୍ଗାନ ତାଙ୍କ ଭିଡିଓ ବ୍ଲଗରେ କହିଛନ୍ତି “ମୋତେ ଡ଼ର ଲାଗୁଥିଲେ ମଧ୍ୟ ଧୈର୍ଯ୍ୟ ଧରି ଗୋଟିଏ ପରେ ଗୋଟିଏ ବେଲୁନକୁ ନଷ୍ଟ କରିବାରେ ଲାଗିଲି ଓ ଏହାର କିଛି ସମୟପରେ ମୁଁ ଭୂ-ପ୍ରୁଷ୍ଠକୁ ଫେରିଲି। ”

ଏହି ବେଲୁନ ଯାତ୍ରାପରେ ମୋର୍ଗାନ ଉତ୍ସାହିତ ହେଇଛନ୍ତି ଓ କହିଛନ୍ତି ଆଗକୁ ଏହିଭଳି ବେଲୁନ ସାହାଯ୍ୟରେ ମଣିଷ ଉଡିବା ପ୍ରତି ଯୋଗୀତା ଆୟୋଜନ କରିବେ ।

#life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon