• ବେତାର ବ୍ୟୁରୋ

ତରକାରୀ ଗନ୍ଧ ପାଇଁ ଭାରତୀୟଙ୍କୁ ଘରଭଡା ମନା କରିଥିବା ମାଲିକଙ୍କୁ ଇଂଲଣ୍ଡ କୋର୍ଟଙ୍କ ଭର୍ତ୍ସନା


ଭାରତୀୟ ଉପମହାଦେଶରେ ବସବାସ କରୁଥିବା ପ୍ରାୟ ସବୁ ଲୋକମାନେ ତରକାରୀ ରାନ୍ଧି ଖାଇବାକୁ ଭଲ ପାଆନ୍ତି । ହେଲେ ବିଦେଶରେ ଓ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଆମ ସମସ୍ତଙ୍କ ପ୍ରିୟ ତରକାରୀ ପସନ୍ଦଯୋଗ୍ୟ ନୁହେଁ, କାରଣ ଏଥିରେ ପଡିଥିବା ମସଲାର ତୀବ୍ର ଗନ୍ଧକୁ ସେଠାକାର ଲୋକମାନେ ପସନ୍ଦ କରନ୍ତି ନାହିଁ । ଏହି କ୍ରମରେ ଇଂଲଣ୍ଡରେ ଘର କିଣି ଭଡା ଦେଉଥିବା ଜଣେ ବ୍ୟକ୍ତି ଭାରତୀୟ ଓ ପାକିସ୍ତାନୀମାନଙ୍କୁ ଘର ଭଡା ନ ଦେବାକୁ ତାଙ୍କ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ସେହି ବିଷୟରେ ଇଂଲଣ୍ଡରେ ମାନବାଧିକାର କୋର୍ଟ ଏକ ରାୟ ଶୁଣାଇ କହିଛନ୍ତି ଯେ ଏହିପରି ନିର୍ଦ୍ଦେଶ ମାନବାଧିକାରର ବିରୁଦ୍ଧାଚରଣ କରୁଥିବାରୁ ଏହାକୁ ବାତିଲ କରାଯାଉ ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଇଂଲଣ୍ଡରେ ବିଖ୍ୟାତ ଗୃହସମ୍ପତ୍ତି ମାଲିକ ଫରଗସ ୱିଲସନଙ୍କ ନାମରେ ଏକ ଖବର ଚର୍ଚ୍ଚିତ ହେଇଥିଲା । କାରଣ ସେ ଏକ ଘର ଭଡା ଯୋଗାଉଥିବା ଏଜେନ୍ସିକୁ ଇ-ମେଲ ମାଧ୍ୟମରେ କହିଥିଲେ କି ତରକାରୀ ରାନ୍ଧି ଖାଉଥିବା କୌଣସି ଭାରତୀୟ/ପାକିସ୍ତାନୀ ଙ୍କୁ ଘରଭଡା ନ ଦେବାକୁ, କାରଣ ସେମାନେ ଗଲାପରେ ସେହି ଘରକୁ ଭଡାରେ ନେବାକୁ ଅନ୍ୟ କେହି ରାଜି ହେଉନାହାନ୍ତି । ଏହି ଇ-ମେଲ ବ୍ରିଟେନର “ସନ୍” ଖବରକାଗଜରେ ପ୍ରକାଶିତ ହେବା ପରେ ସେଠାରେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏହପରେ ସେଠାକାର ମାନବାଧିକାର କୋର୍ଟ ଏହି ଘଟଣାର ବିଚାର କରି ୱିଲସନଙ୍କ ଏହି ନିର୍ଦ୍ଦେଶ ଉପରେ ତିନିବର୍ଷ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି । ଅର୍ଥାତ ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ଯେ କୌଣସି ଭାରତୀୟ/ପାକିସ୍ତାନୀ ତାଙ୍କର ଯେଉଁ ସମ୍ପତ୍ତିରେ ଭଡାରେ ରହିବାକୁ ଚାହିଁବେ, ସେମାନଙ୍କୁ ୱିଲସନ ରୋକି ପାରିବେ ନାହିଁ ।

ଏହି ମାମଲାର ରାୟ ପ୍ରକାଶ ପରେ ଫରଗସ ୱିଲସନ କହିଛନ୍ତି ଯେ ,”ମୁଁ ଲୋକଙ୍କ ଚମଡା ବା ରଙ୍ଗ ଦେଖି ସେମାନଙ୍କୁ ବାସନ୍ଦ କରି ନାହିଁ । ଅନେକ ଅଣଶ୍ଵେତାଙ୍ଗ ମୋର ବିଭିନ୍ନ ଘରେ ଭଡାରେ ରହୁଛନ୍ତି । ତେବେ ଭାରତୀୟ ତରକାରୀ ଗନ୍ଧ ଅନେକ ସମୟରେ ଘର କାର୍ପେଟ, କାନ୍ଥ ଇତ୍ୟାଦିରେ ରହିଯାଏ। ଫଳରେ ସେମାନେ ଗଲାପରେ ଅନ୍ୟ ସଂପ୍ରଦାୟର ଲୋକମାନେ ସେଠାରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଏଥିପାଇଁ ମୋର ଅନେକ ବ୍ୟବସାୟିକ କ୍ଷତି ମଧ୍ୟ ହେଉଛି । “

ଅନ୍ୟ ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାରରେ ସେ କହିଥିଲେ ଥରେ କୌଣସି ଏକ ଭାରତୀୟଙ୍କ ଘର କିଣିବା ପରେ ତା’ର ତରକାରୀ ଗନ୍ଧ ଛଡାଇବା ପାଇଁ ସେ ପ୍ରାୟ £12,000 (ଦଶ ଲକ୍ଷ ଚବିଶ ହଜାର ଟଙ୍କା) ବିଭିନ୍ନ ରସାୟନ ଓ କାର୍ପେଟ ବଦଳେଇବାରେ ଖର୍ଚ୍ଚ କରିଥିଲେ । ସେ କହିଥିଲେ ଯେଉଁ ସ୍ଥାନରେ ବେଶୀ ଭାରତୀୟ/ପାକିସ୍ତାନୀ ଲୋକ ରହୁଛନ୍ତି ସେଠାରେ ଏହି ନିର୍ଦ୍ଦେଶ ଲାଗୁ ହେଉନାହିଁ, ବରଂ ସେହି ସ୍ଥାନରେ ଲାଗୁ କରିବା ପାଇଁ କହିଥିଲେ ଯେଉଁଠାରେ ଭାରତୀୟ/ପାକିସ୍ତାନୀ ଙ୍କ ସଂଖ୍ୟା 1% ରୁ କମ ।

କୋର୍ଟରୁ ରାୟ ଶୁଣି ବାହାରିବା ପରେ ଫରଗସ ୱିଲସନ କହିଥିଲେ “ବାସ୍ତବରେ ମୋର ଏହି ମତ ବିଷୟରେ ପାଖାପାଖି ସ୍ଥାନୀୟ ବାସିନ୍ଦାମାନେ ସମସ୍ତେ ମୋ ସହ ଏକ ମତ । ମୁଁ ଆଜି ଏଇଠି ଅଛି, କାରଣ ମୁଁ ଏକଥା କହିଲି ।“

#aborad

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon