• ବେତାର ବ୍ୟୁରୋ

ଘର କିଣିବାକୁ ଯାଉଛନ୍ତି ? କିଣିବା ଆଗରୁ ଜାଣି ରଖନ୍ତୁ କିଛି ଦରକାରୀ କଥା


ସଂସାର କରିଥିଲେ ସମସ୍ତେ ଦିନେ ନା ଘର କିଣନ୍ତି । ଆଜିକାଲି ଜାଗା କିଣି ଘର ତିଆରି କରିବା ମହଙ୍ଗା ଓ ସମୟସାପେକ୍ଷ ହେଉଥିବାରୁ ଅନେକ ଅପାର୍ଟମେଣ୍ଟର ଫ୍ଲାଟ କିଣିବାକୁ ଆଗ୍ରହୀ । ହେଲେ ବହୁତ ଥର ଦେଖାଯାଏ ଯେ ଲୋକମାନେ ଏହାପରେ ବହୁତ ହଇରାଣ ମଧ୍ୟ ହେଇଛନ୍ତି । ଯଥା ନିର୍ମାଣକାରୀ ବିଲଡର ଡେରିରେ ଘର ହସ୍ତାନ୍ତର କରିବା, କୌଣସି ଆନୁଷଙ୍ଗିକ ସୁବିଧା-- ଯଥା ଅପାର୍ଟମେଣ୍ଟ ପାଇଁ ସଡକ କିମ୍ବା ବିଦ୍ୟୁତ ଓ ପାଣି ସଂଯୋଗ--ନ ଥିବା ଏହି ସବୁ ଅସୁବିଧାର କାରଣ ।

ଏହାଛଡା ଜମିବିବାଦ ଏକ ଅଲଗା ସମସ୍ୟା । ଏହି ସବୁ ସମସ୍ୟାରେ ନ ପଡିବା ପାଇଁ ଜାଣି ରଖନ୍ତୁ କିଛି ଜରୁରୀ କଥା ।

ବିଲଡର ସଂସ୍ଥା : ଆପଣ ଯେବେ ବି ଏପାର୍ଟମେଣ୍ଟରେ କୌଣସି ଫ୍ଲାଟ କିଣିବା ପାଇଁ ଚାହିବେ, ତା ଆଗରୁ ନିର୍ମାଣକାରୀ ସଂସ୍ଥା ବିଷୟରେ ପ୍ରଥମେ କିଛି ବୁଝି ନିଅନ୍ତୁ, ଯେପରିକି ଉକ୍ତ ସଂସ୍ଥାର ଆଉ କେଉଁଠି ପ୍ରୋଜେକ୍ଟ ଚାଲୁଅଛି, ଏବଂ କେତେ ଦିନରେ ସଂସ୍ଥା ଘର ହସ୍ତାନ୍ତର କରୁଛି ଇତ୍ୟାଦି ।

ପ୍ରକଳ୍ପ : ଆପଣ କିଣିବା ପାଇଁ ଇଚ୍ଛୁକ ଥିବା ପ୍ରୋଜେକ୍ଟଟି ଆପଣଙ୍କ ସହର/ରାଜ୍ୟର ସରକାରୀ ଅଧିକୃତ ସଂସ୍ଥା ଦ୍ଵାରା ଗୃହିତ ହେଇଛି କି । ଏ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ RERAର ୱେବସାଇଟ ଯାଇ ଆପଣଙ୍କ ପ୍ରୋଜେକ୍ଟ ବିଷୟରେ ଅଧିକ ତଥ୍ୟ ଜାଣିପାରିବେ । ବହୁ ସମୟରେ ବିଲଡର ସଂସ୍ଥା ମାନେ ଆଗ ଜାଗା କିଣି ସେଥିରେ ଅପାର୍ଟମେଣ୍ଟ ବନେଇଥାନ୍ତି ଓ ସେହି ସମୟ ମଧ୍ୟରେ ସରକାରୀ ସଂସ୍ଥାଠାରୁ ପ୍ରକଳ୍ପ ଗୃହିତ କରେଇବାକୁ ଚେଷ୍ଟା କରନ୍ତି । ବେଳେ ବେଳେ ପ୍ରୋଜେକ୍ଟ ସରିଗଲା ପରେ ମଧ୍ୟ ସରକାରୀ ସ୍ବୀକୃତି ମିଳି ନ ଥାଏ , ଫଳରେ ବିଦ୍ୟୁତ ସଂଯୋଗ ମିଳିବାରେ ଅସୁବିଧା ହୁଏ ।

ଜମି ମାଲିକାନା : ବହୁ ସମୟରେ ବିଲଡର ସଂସ୍ଥାମାନେ ଜମିର ମୂଲଚାଲ କରିବା ଅବସ୍ଥାରେ ନିର୍ମାଣ ଆରମ୍ଭ କରିଦିଅନ୍ତି । ସେହିପରି କିଛି ବିଲଡର ନିଜର କୃଷି ଜମିକୁ ବିନା ଘରବାଡି କିସମରେ ପରିବର୍ତ୍ତନ କରି ନିର୍ମାଣ ଆରମ୍ଭ କରିଥାନ୍ତି । କିଛି କ୍ଷେତ୍ରରେ ଦେଖାଯାଏ ପ୍ରୋଜେକ୍ଟ ସରିଲା ପରେ ମଧ୍ୟ ଜମି ମାଲିକାନା ନେଇ ସ୍ଥିତି ସ୍ପଷ୍ଟ ହେଇ ନାହିଁ । ସେଥିପାଇଁ ନିକଟସ୍ଥ ରାଜସ୍ଵ ବିଭାଗ କାର୍ଯ୍ୟାଳୟରେ ପ୍ଲଟ ନମ୍ବର ନେଇ ଜମି ମାଲିକାନା ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । ଓଡିଶାରେ ଆପଣ bhulekh.nic.in ରେ ଯାଇ ପ୍ଲାଟ ନମ୍ବର ବିଷୟରେ କିଛି ତଥ୍ୟ ପାଇ ପାରିବେ ।

ଅତିରିକ୍ତ ନିର୍ମାଣ : ଅଧିକାଂଶ ସମୟରେ ଦେଖାଯାଏ କିଛି ବିଲଡର ସଂସ୍ଥା ତାଙ୍କ ପ୍ରୋଜେକ୍ଟରେ କିଛି ଅଂଶ ସବୁଜ ବଳୟ ବା ସ୍ଵୀମିଂ ପୁଲ ତିଆରି କରିବାକୁ ପ୍ରତିଶ୍ରୁତି କେତ୍ରାଙ୍କୁ ଦେଇଥାନ୍ତି ହେଲେ , ପରେ ଦେଖାଯାଏ ସେଠାରେ ଅତିରିକ୍ତ ଗୃହ ନିର୍ମାଣ କରୁଛନ୍ତି । ସେଥିପାଇଁ ବିଲଡର ଉକ୍ତ ଜମିରେ କେତେ ଜାଗାରେ ନିର୍ମାଣ କରିବାର ସ୍ବୀକୃତି ସରକାରଙ୍କ ଠାରୁ ପାଇଛନ୍ତି ସେ ବିଷୟରେ ବୁଝି ନିଅନ୍ତୁ । ଅନ୍ୟଥା ଆପଣଙ୍କ ବେଡରୁମ ଝରକାରୁ ସବୁଜ ପଡିଆ ଦେଖାଯିବ ବୋଲି ଭ୍ରମ ଦେଖାଇ, ବିଲଡର ସେଠାରେ ଆଉ କାହା ଘର ତିଆରି କରିପାରେ ।

ଅବସ୍ଥିତି : କୌଣସି ଘର କିଣିବା ଆଗରୁ ସେଠାରେ ଅପଖାପାଖରେ ଦୈନନ୍ଦିନ ସାମଗ୍ରୀ ପାଇଁ ଦୋକାନ ବଜାର, ସ୍କୁଲ, ଚିକିତ୍ସାଳୟ ଅଛି କି ନା ସେ ବିଷୟରେ ତଦାରଖ କରି ନିଅନ୍ତୁ । ଆପଣଙ୍କ ଅଫିସ ପାଖରୁ କେତେ ସମୟ ଲାଗିବ ସେ ବିଷୟରେ ବୁଝିନିଅନ୍ତୁ । ଯଦି ଘରକୁ ଏକ ନିବେଶ ହିସାବରେ ବିଚାର କରୁଛନ୍ତି, ତେବେ ଗତ 5ରେ ଏହି ଜାଗାର ଦର କେତେ ବଢିଛି ସେ ବିଷୟରେ ସ୍ଥାନୀୟ ବାସିନ୍ଦାଙ୍କୁ ପଚାରି ବୁଝନ୍ତୁ ।

#personalfinance #realestate

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon