• ବେତାର ବ୍ୟୁରୋ

ହେଲଥ ଇନସ୍ୟୁରାନ୍ସ ପଲିସି ପାଇଁ 5ଟି କଥା


ହେଲଥ ଇନସ୍ୟୁରାନ୍ସ ବା ସ୍ୱାସ୍ଥ୍ୟ ବୀମା ଆଜିକାଲି ଯୁଗ ପାଇଁ ନିହାତି ଆବଶ୍ୟକ । ଖାସ କରି ବଡ ସହରରେ ରହୁଥିବା ପରିବାରବର୍ଗ, ଯେଉଁମାନଙ୍କୁ ପ୍ରଦୂଷିତ ବାୟୁ, ଅପମିଶ୍ରିତ ଖାଦ୍ୟ ଜନିତ ରୋଗ ହେବାର ଅଧିକ ସମ୍ଭାବନା ଥାଏ , ସେମାନେ ସ୍ୱାସ୍ଥ୍ୟ ବୀମା କରାଇ ନେବା ଉଚିତ । ଅଳ୍ପ କିଛି ମାସିକ କିସ୍ତି ବଦଳରେ ଜରୁରୀ ପରିସ୍ଥିତିରେ ଏହା ବରଦାନ ଭଳି କାମ ଦେଇଥାଏ ।

ବିଭିନ୍ନ କର୍ପୋରେଟ ମାନେ ସେମାନଙ୍କ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଥାନ୍ତି ଓ କର୍ମଚାରୀଙ୍କ ତରଫରୁ ମାସିକ ବା ବାର୍ଷିକ ପ୍ରିମିୟମ ପ୍ରଦାନ କରିଥାନ୍ତି । ହେଲେ କିଛି କର୍ପୋରେଟ କମ୍ପାନୀ ବାର୍ଷିକ ମାତ୍ର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ଚୁକ୍ତି କରିଥାନ୍ତି , ଯାହାକି କ୍ୟାନ୍ସର ବା ଅନ୍ୟାନ୍ୟ ଅପରେସନ ଭଳି ଚିକିତ୍ସା ପାଇଁ ବହୁତ କମ। ଏହାଛଡା ପରିବାର ବଢିଲେ ଓ ଯଦି ବର୍ଷରେ ଦୁଇ ଜଣ ସଦସ୍ୟ ଚିକିତ୍ସା ହେଲେ ତେବେ ଏହି ବୀମାରାଶି ବହୁତ କମ ହେବ । ସେଥିପାଇଁ କର୍ପୋରେଟ କମ୍ପାନୀ ଦେଉଥିବା ସ୍ୱାସ୍ଥ୍ୟ ବୀମା ଛଡା ନିଜେ ସ୍ୱାସ୍ଥ୍ୟ ବୀମା କରାଇ ନେବା ଉଚିତ ।

ତେବେ କେଉଁ ପଲିସି ନେଲେ ଆପଣଙ୍କ ପାଇଁ ଉତ୍ତମ ହେବେ ସେକଥା ଆପଣ ନିଜେ ବିଚାର କରିବା ଭଲ । ହେଲେ ଏକ ଉତ୍ତମ ସ୍ୱାସ୍ଥ୍ୟବୀମା କିଣିବା ପାଇଁ କଣ ଜରୁରୀ ତାହା ଆପଣ ଜାଣିନେବା ଭଲ । ସେଗୁଡିକ ହେଲା:

ନିଜ ଆବଶ୍ୟକତା ପରଖି ନିଅନ୍ତୁ : ଆପଣଙ୍କ ଘରେ କେତେଜଣ ସଦସ୍ୟ ଅଛନ୍ତି, କେତେ ଛୋଟ ପିଲା ତଥା କ୍ୟାନସର, ଡାଇବେଟିସ ଇତ୍ୟାଦି ସମ୍ପର୍କରେ ଆପଣଙ୍କ ପରିବାର (ବିବାହିତ ହେଇଥିଲେ ସ୍ତ୍ରୀ/ସ୍ଵାମୀଙ୍କ ପରିବାର)ର ରୋଗ ଇତିହାସ ସମ୍ପର୍କରେ ବୁଝି ନିଅନ୍ତୁ । ଏ ସବୁ ଫଳରେ ଆପଣ କେତେ ଟଙ୍କାର ପଲିସି କିଣିବେ ସେ ସମ୍ପର୍କରେ ଏକ ଉତ୍ତମ ଧାରଣା ଆସିଯିବ ।

କେତେ ଟଙ୍କାର ବୀମା ନେବେ : ଏହା ଏକ ଗୁରୁତ୍ବପୂର୍ଣ ପ୍ରଶ୍ନ । ଯଦି ଆପଣଙ୍କ ପରିବାର ବଡ ଓ ଆପଣ ବଡ ସହରରେ ରହୁଛନ୍ତି , ତେବେ ବଡ ରାଶିର ବୀମା କିଣିବା ଉଚିତ । ଯଦି ଆପଣଙ୍କ ପରିବାର ଛୋଟ, ତେବେ ତିନିରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ତାଙ୍କର ସ୍ୱାସ୍ଥ୍ୟ ବୀମା କିଣିବା ଉଚିତ । କିଛି ବୀମା କମ୍ପାନୀ ଫ୍ଲୋଟର ପ୍ଳାନ ମଧ୍ୟ ପ୍ରଦାନ କରିଥାନ୍ତି, ଯାହା ଭବିଷ୍ୟତରେ ଆପଣଙ୍କୁ ବୀମା ରାଶି ବଢାଇବାର ସୁବିଧା ଦେଇଥାଏ । ଅର୍ଥାତ ଆପଣ ଯଦି ଏବେ ବାର୍ଷିକ 5 ଲକ୍ଷ ପର୍ଯ୍ୟନ୍ତ ରାଶି ପାଇଁ ₹10,000 ପ୍ରିମିୟମ ଦେଉଛନ୍ତି , ତେବେ ଫ୍ଲୋଟର ପ୍ଲାନରେ ଆପଣ କିଛି ବର୍ଷ ପରେ ବାର୍ଷିକ ₹15,000 ପ୍ରିମିୟମ ଦେଇ ଦଶ ଲକ୍ଷ ଟଙ୍କାର ବୀମା ପାଇପାରିବେ । ନିଜର ଇନସ୍ୟୁରାନ୍ସ ଏଜେଣ୍ଟଠାରୁ ଏହିସବୁ ବିଷୟରେ ବୁଝି ନିଅନ୍ତୁ ।

କେଉଁ ରୋଗ ବୀମା ଅନ୍ତର୍ଗତ : ଯେ କୌଣସି କମ୍ପାନୀର ସ୍ୱାସ୍ଥ୍ୟ ବୀମା କିଣିବା ଆଗରୁ ଉକ୍ତ ପଲିସିରେ କେଉଁ କେଉଁ ରୋଗର ଚିକିତ୍ସା ପାଇଁ ଟଙ୍କା ପ୍ରଦାନ କରାଯିବ ସେ ବିଷୟରେ ବୁଝି ନିଅନ୍ତୁ । କାରଣ ବଜାରରେ ଦଶ ଲକ୍ଷ ଟଙ୍କାର ବୀମା ପାଇଁ କିଛି କମ୍ପାନୀ ବାର୍ଷିକ ₹10,000 ପ୍ରିମିୟମ ଦାବି କରୁଥିବାବେଳେ ଆଉ କିଛି ସେହି ରାଶି ପାଇଁ ବାର୍ଷିକ ₹16,000-₹17,000 ପର୍ଯ୍ୟନ୍ତ ଦାବି କରିଥାନ୍ତି । ସେହିପରି କିଛି ପଲିସିରେ ପୂର୍ବରୁ ଥିବା ରୋଗ ଓ ଏଥିଜନିତ ସମସ୍ୟା ପାଇଁ ଟଙ୍କା ଦେବାର ବ୍ୟବସ୍ଥା ନ ଥାଏ । ତେଣୁ ପଲିସି କିଣିବା ଆଗରୁ ଏଥିରେ କେଉଁ ରୋଗ ସାମିଲ ଅଛି ଓ କେଉଁ ରୋଗ ନାହିଁ ସେ ବିଷୟରେ ପଚାରି ବୁଝନ୍ତୁ ।

କେଉଁ ହସ୍ପିଟାଲ ବୀମାରେ ସାମିଲ : ଆପଣ ଏପରି ଏକ ପଲିସି କିଣିବା ଦରକାର, ଯେଉଁଥିରେ ଅନେକ ଗୁଡିଏ ହସ୍ପିଟାଲ ଓ ସ୍ପେଶିଆଲିଟି ହସ୍ପିଟାଲ ସାମିଲ ଥିବ । ପୁନଶ୍ଚ ଏହିସବୁ ହସ୍ପିଟାଲ ଆପଣ ରହୁଥିବା ଅଞ୍ଚଳର ନିକଟବର୍ତ୍ତୀ ହେଇଥିବା ଦରକାର । ପଲିସି ଡକୁମେଣ୍ଟରେ ଏସବୁ ତଥ୍ୟ ପଢି ବୁଝନ୍ତୁ ।

କେଉଁ ଚିକିତ୍ସା ଖର୍ଚ୍ଚ ସାମିଲ : ଆପଣ କିଣୁଥିବା ପଲିସିରେ କେଉଁ କେଉଁ ଖର୍ଚ୍ଚ ସାମିଲ ସେ ବିଷୟରେ ବୁଝିନେବା ଉଚିତ । ଏକ ଉତ୍ତମ ପଲିସିରେ ଆପଣଙ୍କ ହସ୍ପିଟାଲ ରୁମ ଭଡା, ଡାକ୍ତରଙ୍କ ପରାମର୍ଶ ଫିସ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସାମିଲ ଥାଏ । ଆପଣଙ୍କ ପଲିସିରେ ଏହିସବୁ ଖର୍ଚ୍ଚ ପାଇଁ ବ୍ୟବସ୍ଥା ଅଛି କି ନା ସେ ବିଷୟରେ ଭଲ ଭାବେ ବୁଝି ନିଅନ୍ତୁ ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon