• ବେତାର ବ୍ୟୁରୋ

ସିଙ୍ଗାପୁରରେ ଭଜନ ଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ‘ସ୍ପନ୍ଦନ’


ସିଙ୍ଗାପୁରରେ ବସବାସ କରୁଥିବା ଓଡିଆ ସମୁଦାୟଙ୍କ ଦ୍ଵାରା ସ୍ଥାପିତ ଓଡିଆ ସୋସାଇଟି ଅଫ ସିଙ୍ଗାପୁର ସମୟ ସମୟରେ ଉତ୍କଳୀୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଥାଏ । ସେହି କ୍ରମରେ ଗତ ନଭେମ୍ବର 11 ତାରିଖରେ ଆୟୋଜିତ ହେଇଥିଲା “ସ୍ପନ୍ଦନ- ଓଡ଼ିଆ ସଂସ୍କୃତିରୁ ଆଉ ପଦେ” । ଏହି କାର୍ଯ୍ୟକ୍ରମରେ କଣ୍ଠଦାନ କରିଥିଲେ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲି ।

ଶ୍ରୀ ମୁଦୁଲିଙ୍କ କଣ୍ଠରୁ ପ୍ରାରମ୍ଭିକ ଭଜନ “ଜଗନ୍ନାଥ ତୁମେ ପରଂବ୍ରହ୍ମ”ରୁ ଆରମ୍ଭ ହୋଇଥିଲା ପରେ ପରେ “କଳା ସାଆନ୍ତେ ଅଛ କେମନ୍ତେ”, “ଓଡ଼ିଆର ଗେହ୍ଲାପୁଅ ତୁ କାଳିଆ”, “ପଖାଳ କଂସାରେ ମୋର” “ଚନ୍ଦନ ସୁନ୍ଦର ଶ୍ରୀଅଙ୍ଗ ଲାଗି” ଏବଂ ଶ୍ରୋତାଙ୍କ ଅନୁରୋଧରେ ଗୁରୁଶ୍ରୀ ଭଜନ ସମ୍ରାଟଙ୍କ ଭଜନ “ମୁଁ ତ ବଡ଼ଦେଉଳର ପାରା”, “ଷାଠିଏ ପଉଟି ଭୋଗରୁ ତୁମର” ଇତ୍ୟାଦି ବହୁ ହୃଦୟସ୍ପର୍ଶି ଭଜନ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରବିମୁଗ୍ଧ କରିଥିଲେ । ଏହି ଭକ୍ତିଭାବ ଭରା ନିଆରା କାର୍ଯ୍ୟକ୍ରମ ଉପସ୍ଥିତ ବହୁ ପ୍ରବାସୀ ଉତ୍କଳୀୟ ଏବଂ ଅଣଉତ୍କଳୀୟଙ୍କ ମଧ୍ୟରେ ଅପୂର୍ବ ଶିହରଣ ଏବଂ ଦିବ୍ୟ ପରିବେଶ ସୃଷ୍ଟି କରିଥିଲା ।

ପରେ ପରେ କାଦମ୍ବିନୀ ଆଚାର୍ଯ୍ୟ ଏବଂ ଇପ୍ସିତା ମହାପାତ୍ର ମହିଷମର୍ଦ୍ଦିନୀ ଭଜନରେ ନୃତ୍ୟ ପରିବେଶଣ କରିଥିଲେ । ଅନୁଷ୍ଠାନର ଯୁବପ୍ରତିଭା ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଶ୍ରୀ ମୁଦୁଲିଙ୍କ ସହିତ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ତବଲାରେ ଜଗବନ୍ଧୁ ମୁଦୁଲି, କିବୋର୍ଡରେ ଚିନ୍ତାମଣି ମିଶ୍ର, ଅକ୍ଟୋପ୍ୟାଡରେ ବିଜୟ ଦିକ୍ଷୀତ୍ । ନ୍ୟାସନାଲ୍ ୟୁନିଭରସିଟି ଅଫ୍ ସିଙ୍ଗାପୋରର ଅଡିଟୋରିୟମରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଓଡ଼ିଆ କଳା ସଂସ୍କୃତି ଓ ଭକ୍ତି ସଂଗୀତର ପ୍ରଚାର ପ୍ରସାର ଉଦ୍ଧିଷ୍ଟ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ ଓଡିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ, ବିଜେପି ରଷ୍ଟ୍ରୀୟ ମୁଖପାତ୍ର ଡ଼ା. ସମ୍ବିତ ପାତ୍ର ଏବଂ ଭାରତୀୟ ଦୂତାବାସ ତରଫରୁ ଯୋଗେଶ ମୁଦ୍ଗଲ ଯୋଗ ଦେବା ସହିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଓଡ଼ିଆ ସୋସାଇଟି ଅଫ୍ ସିଙ୍ଗାପୁର ତରଫରୁ ଅନୁଷ୍ଠାନର ମୋବାଇଲ୍ ଆପ୍ (Sing-Odia) ଅତିଥିମାନଙ୍କ ଦ୍ୱାରା ଲଂଚ୍ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ପ୍ରତ୍ୟୁଷ କୁମାର ହୋତା ଏବଂ ସ୍ୱପ୍ନା ସାହୁ ।

ଅନୁଷ୍ଠାନର ସଦସ୍ୟ ଡ଼. ସଂଜୀବ ପଣ୍ଡା, ସୌମ୍ୟରଂଜନ ସିଂ, ଡିପି ସାମନ୍ତରାୟ, ଦିପନ ଗଡ଼ନାୟକ, ବିଜୟଲକ୍ଷ୍ମୀ ମହାନ୍ତି, ସୁବ୍ରତ ନାୟକ, ବିଭୁତି ମଲ୍ଲୀକ, ସୁସାନ୍ତ ମାନ୍ନା ପ୍ରମୁଖ ବ୍ୟକ୍ତି ମାନେ ପରିଚାଳନାରେ ସହଯୋଗ କରିଥିଲେ । ସର୍ବ ଶେଷରେ ସଭାପତି ସମ୍ବିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

#odia #abroad

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon