• ବେତାର ବ୍ୟୁରୋ

କମ ବୟସରେ ଚୁଟି ପାଚୁଛି? ହେଇପାରେ ହୃଦରୋଗ


କମ ବୟସରେ ଯେଉଁ ପୁରୁଷମାନଙ୍କ ଚୁଟି ଝଡେ ବା ଚୁଟି ପାଚେ, ସେମାନଙ୍କୁ 40 ବର୍ଷ ବୟସ ଆଗରୁ ହୃଦରୋଗ ହେବାର ଅଧିକ ସମ୍ଭାବନା ଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ଅହମଦାବାଦ ସ୍ଥିତ ୟୁଏନ ମେହେଟା ହୃଦରୋଗ ଚିକିତ୍ସା ଓ ଗବେଷଣା କେନ୍ଦ୍ରରେ ହେଇଥିବା ଏକ ଅଧ୍ୟୟନରୁ ଏଭଳି ତଥ୍ୟ ସାମନାକୁ ଆସିଛି ।

ଏହି ଅଧ୍ୟୟନ ନିମନ୍ତେ 740 ଜଣ ପୁରୁଷଙ୍କୁ ବିଚାରକୁ ନିଆଯାଇଥିଲା , ଯେଉଁ ମାନେ 40 ବର୍ଷ ବୟସ ଆଗରୁ ଚନ୍ଦା ହେଇଥିଲେ ବା ଚୁଟି ପାଚିଯାଇଥିଲା । ସେମାନଙ୍କ ଠାରୁ ସଂଗୃହିତ ତଥ୍ୟକୁ ସମାନ ବୟସର ପ୍ରାୟ 1,200 ସୁସ୍ଥ କେଶ ଥିବା ପୁରୁଷଙ୍କ ସହିତ ମେଳ କରାଯାଇଥିଲା । ଏହି ଅଧ୍ୟୟନ ନିମନ୍ତେ ସବୁ ପୁରୁଷ ମାନଙ୍କ ହୃଦୟର ବିଭିନ୍ନ ଅଂଶକୁ ପରୀକ୍ଷା କରଯାଇଥିଲା (ଆଞ୍ଜିଓଗ୍ରାମ, ଇସିଜି) ଏବଂ ରକ୍ତ ମଧ୍ୟ ପରୀକ୍ଷା କରାଯାଇଥିଲା ।

ଏହାପରେ ଉକ୍ତ ଅଧ୍ୟୟନ ଏକ ରିପୋର୍ଟ ପ୍ରକାଶ କରି କହିଥିଲା ଯେ ,”ବୟସ ଆଗରୁ ଚନ୍ଦା ହେଲେ ବା ଚୁଟି ପାଚିଲେ ହୃଦଘାତ ବା ହୃଦରୋଗ ହେବାର ଯଥେଷ୍ଟ ସମ୍ଭାବନା ରହୁଛି ।“

ଅନ୍ୟପକ୍ଷରେ ଯେଉଁ ଯୁବକମାନେ କମ ବୟସରେ ହୃଦରୋଗରେ ପୀଡିତ ଥାନ୍ତି, ସେମାନଙ୍କ ଚୁଟି ଅନ୍ୟମାନଙ୍କଠାରୁ ଶୀଘ୍ର ପାଚିବାର ସମ୍ଭାବନା ଥାଏ ବୋଲି ଏହି ଅଧ୍ୟୟନରେ କୁହାଯାଇଛି ।

ଡାଇବେଟିସ କିମ୍ବା ବ୍ଲଡପ୍ରେସର ପରି ଅନେକ ସମୟରେ ହୃଦରୋଗର କୌଣସି ଲକ୍ଷଣ ଠିକଭାବେ ଜଣା ପଡି ନ ଥାଏ । ଆଉ ଯେବେ ଜଣା ପଡେ ସେତେବେଳେ ଅବସ୍ଥା ମାତ୍ରାଧିକ ହେଇସାରିଥାଏ ।

ଏ ସମ୍ପର୍କରେ ଗବେଷଣା କରୁଥିବା ଡାକ୍ତର ସଚିନ ପାଟିଲ କହିଛନ୍ତି ଯେ ,” ଆଜିକାଲି କମ ବଯସର ଯୁବକ ମାନଙ୍କ ଠାରେ ହୃଦ ରୋଗର ଅନେକ କେସ ଆମ ପାଖକୁ ଆସୁଛି । ତେବେ ଏହାର ଲକ୍ଷଣ ପାରମ୍ପରିକ ପଦ୍ଧତିରେ ଠଉରେଇବା ସମ୍ଭବପର ହେଉନାହିଁ। ସେଥିପାଇଁ ଏଭଳି ଏକ ଅଧ୍ୟୟନର ପ୍ରସ୍ତୁତି ହେଇଥିଲା।“

#youth #health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon