• ବେତାର ବ୍ୟୁରୋ

ମହିଳାଙ୍କ ଋତୁସ୍ରାବ ବିଷୟ ନେଇ ଆସୁଛି ଅକ୍ଷୟ କୁମାରଙ୍କ ଆସନ୍ତା ଫିଲ୍ମ


ଟଏଲେଟ ଏକ ପ୍ରେମ କଥା ପରି ସାମାଜିକ ଚେତନା ଧର୍ମୀ ଚଳଚ୍ଚିତ୍ର କରିବା ପରେ ଅକ୍ଷୟ କୁମାର ଏବେ ମହିଳାଙ୍କ ମାସିକ ଋତୁସ୍ରାବ ଓ ଏଥିପାଇଁ ଆବଶ୍ୟକ ହେଉଥିବା ସାନିଟାରୀ ନାପକିନ ବା ପ୍ୟାଡକୁ ନେଇ ଅନ୍ୟ ଏକ ଚଳଚ୍ଚିତ୍ର ଖୁବ ଶୀଘ୍ର ରିଲିଜ କରେଇବାକୁ ଯାଉଛନ୍ତି , ଯାହାର ନାମ ହେଲା ପ୍ୟାଡମାନ (PADMAN)।

ଏଇ ଚଳଚ୍ଚିତ୍ରର ପ୍ରଯୋଜନା ଓ ପ୍ରସ୍ତୁତି ପଛରେ ରହିଛି ଅକ୍ଷୟଙ୍କ ପତ୍ନୀ ତଥା ବିଗତ ଦିନର ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଝିଅ ଟ୍ଵିଙ୍କଲ ଖାନ୍ନା । ଏ ସମ୍ପର୍କରେ ବିବିସି ଟିଭିକୁ ଏକ ସାକ୍ଷାତକାରରେ ଟ୍ଵିଙ୍କଲ କହିଥିଲେ କି ଟାଇମସ ଅଫ ଇଣ୍ଡିଆର ଏକ ସ୍ତମ୍ଭ ପାଇଁ କିଛି ପ୍ରସ୍ତୁତି କଲାବେଳେ ସେ ଏପରି ଏକ କାହାଣୀ ସମ୍ପର୍କରେ ଆସିଥିଲେ ଯାହା ତାଙ୍କ ମନକୁ ଛୁଇଁ ଯାଇଥିଲା ଓ ପରେ ସେ ଏହି ବିଷୟରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ମନସ୍ଥ କରିଥିଲେ । ଏ ସମ୍ପର୍କରେ ଅକ୍ଷୟ କୁମାର ରାଜି ହେବାପରେ ଫିଲ୍ମ ଶୁଟିଙ୍ଗ ଆରମ୍ଭ ହେଇଥିଲା ।

ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ 26 ତାରିଖରେ ମୁକ୍ତିଲାଭ କରିବା ବୋଲି ଏହାର ଆନୁଷ୍ଠାନିକ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୁହା ଯାଇଛି ।

ଏହି ଫିଲ୍ମ ର ବିଷୟ ବସ୍ତୁ ଏକ ସତ ଘଟଣା ଉପରେ ଆଧାରିତ । ଥରେ ତାମିଲନାଡୁର ଏକ ଯୁବ ଉଦ୍ୟୋଗୀ ଅରୁଣାଚଳମ ନିଜ ପତ୍ନୀଙ୍କ ବ୍ୟବହୃତ ଋତୁସ୍ରାବ କପଡା ଦେଖି ଲଜ୍ଜିତ ହେଇଥିଲେ ଓ ପତ୍ନୀଙ୍କୁ ଏଭଳି ମଇଳା କପଡା ମାସିକ ଧର୍ମ ନିମନ୍ତେ କାହିଁକି ବ୍ୟବହାର କରୁଛନ୍ତି ବୋଲି ପଚାରିଥିଲେ । ଉତ୍ତରରେ ପତ୍ନୀ କହିଥିଲେ କି ପ୍ୟାଡ କିଣିବା ଖର୍ଚ୍ଚ ଅଧିକ ସେଥିପାଇଁ ସେ ଓ ତାଙ୍କ ଗ୍ରାମର ଅନ୍ୟାନ୍ୟ ସମସ୍ତ ମହିଳା କପଡା ବ୍ୟବହାର କରିଥାନ୍ତି । ସେହିଦିନରୁ ଅରୁଣାଚଳମ ହେବାରୁ ନିଜେ ଶସ୍ତା ପ୍ୟାଡ ତିଆରି ବିଷୟରେ ଚିନ୍ତା କରିଥିଲେ ଓ ପରେ ଏଥିରେ ସଫଳ ମଧ୍ୟ ହେଇଥିଲେ ।

ତାଙ୍କରଏହି ଉଦ୍ୟମକୁ ନେଇ ସେ ଏକ କାରଖାନା ଚଳାଇଲେ ଓ ଫଳରେ ଗ୍ରାମାଞ୍ଚଳ ମହିଳାମାନେ, ଯେଉଁମାନେ କେବେ ବି ପ୍ୟାଡ କିଣି ପିନ୍ଧି ନ ଥିଲେ, ସେମାନେ ମଧ୍ୟ ପ୍ୟାଡ କିଣିବାରେ ସକ୍ଷମ ହେଲେ ଓ ନିଜ ଶରୀରକୁ ସ୍ଵଚ୍ଛ ତଥା ଜୀବାଣୁ ମୁକ୍ତ ରଖିପାରିଲେ । ଏହ କାହାଣୀ ଉପରେ “ପ୍ୟାଡମ୍ୟାନ’ ଫିଲ୍ମ ଆଧାରିତ ।

ଏହି କାହାଣୀର ଲେଖକ ଓ ନିର୍ଦ୍ଦେଶକ ହେଉଛନ୍ତି “ପା”, “ଚିନି କମ” ପରି ଫିଲ୍ମ ପାଇଁ ପ୍ରସିଦ୍ଧ ଆର ବାଳକୀ । ଅକ୍ଷୟଙ୍କ ସହିତ ଏଥିରେ ସୋନାମ କପୁର ଓ ରାଧିକା ଆପଟେ ମଧ୍ୟ ଅଭିନୟ କରୁଛନ୍ତି ।

#bollywood #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon