- ବେତାର ବ୍ୟୁରୋ
ନୱାଜୁଦ୍ଦିନ ସିଦ୍ଦିକି ହେବେ ବାଲ ଠାକରେ

ବଲିଉଡରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଖ୍ୟାତି ଲାଭ କରିଥିବା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏବେ ଏକ ନୂଆ ଚରିତ୍ରରେ ଦେଖିବାକୁ ମିଳିବ । ତାଙ୍କର ଆଗାମୀ ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେଇ ତାଙ୍କ ଟ୍ଵିଟର ହାଣ୍ଡେଲରେ ଲେଖିଛନ୍ତି ,”ଦେଶର ବାସ୍ତବିକ ରାଜାଙ୍କ ଚରିତ୍ରରେ ଅଭିନୟ କରିବା ଏକ ଗୌରବର କଥା ।“
ଏହି ଚଳଚ୍ଚିତ୍ର ପାଇଁ ବାଲ ଠାକରେଙ୍କ ପୁତ୍ର ଉଦ୍ଧବ ଠାକରେଙ୍କ ଠାରୁ ଅନୁମତି ଆଣିବା ପରେ ଶିବସେନାର ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ଏହାର ପ୍ରଯୋଜନା କରିଥିଲେ ଓ ଏହି ଚରିତ୍ର ପାଇଁ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଯୋଗାଯୋଗ କରିଥିଲେ । ଏବେ ଏହି ଫିଲ୍ମର ପୋଷ୍ଟର ଓ ଟିଜର ସୋସିଆଲ ମିଡିଆ ତଥା ୟୁଟ୍ୟୁବରେ ଛଡା ଯାଇଛି । ଏହାର ଟିଜରକୁ ଆନୁଷ୍ଠାନିକ ଭାବେ ଅମିତାଭ ବଚ୍ଚନ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ରିଲିଜ କରିଥିଲେ ।
ପୂର୍ବରୁ ରାମ ଗୋପାଳ ବର୍ମା ବାଲ ଠାକରେଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ (ସରକାର) ଯେଉଁଥିରେ ଅମିତାଭ ବଚ୍ଚନ ଅଭିନୟ କରିଥିଲେ । ତେବେ ‘ସରକାର’ରେ ଠାକରେଙ୍କ ଜୀବନର ଉତ୍ତର ଅବସ୍ଥା ଦର୍ଶଯାଇଥିବାବେଳେ ଶିବସେନାର ରାଉତଙ୍କ ଦ୍ଵାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ବାଲ ଠାକରେଙ୍କ ବାଲ୍ୟ ଓ ଯୁବାବସ୍ଥା ସମ୍ପର୍କରେ ଦର୍ଶାଯିବ ।
ଏ ବିଷୟରେ ସୂଚନା ଦେଇ ସଞ୍ଜୟ ରାଉତ କହିଛନ୍ତି “ବାଲା ସାହେବ ଠାକରେ ମହାରାଷ୍ଟ୍ର ତଥା ଦେଶର ରାଜନୀତିକୁ ଏକ ନୂଆ ରୂପ ଦେଇଥିଲେ। ମରାଠୀ ଲୋକଙ୍କ ପ୍ରତି ତାଙ୍କ ଅବଦାନ ବହୁତ ଅଧିକ । ଏହି ଚଳଚ୍ଚିତ୍ରଟି ତାଙ୍କ ପ୍ରତି ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।”

ଏହି ଚଳଚ୍ଚିତ୍ରକୁ ଉଭୟ ମରାଠି ଓ ହିନ୍ଦୀ ଭାଷାରେ ସୁଟ କରାଯିବ ଓ ପରେ ଇଂରାଜୀ ଓ ଅନ୍ୟାନ୍ୟ ବିଦେଶୀ ଭାଷାରେ ଅନୁଦିତ କରା ହେବ ବୋଲି ରାଉତ କହିଛନ୍ତି । 2019 ଜାନୁଆରୀ 23ରେ ଏହି ଚଳଚ୍ଚିତ୍ର ମୁକ୍ତି ଲାଭ କରିବ ।
ଆଶ୍ଚର୍ଯ୍ୟର କଥା ଯେ ମୁସଲମାନଙ୍କ ପ୍ରତି କଡା ଆଭିମୁଖ୍ୟ ରଖୁଥିବା ଶିବସେନା ଏହି ଫିଲ୍ମର ପୋଷ୍ଟରରେ ଉଭୟ ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ପ୍ରୟୋଗ କରିଛି । ଏପରିକି ଫିଲ୍ମର ଅନ୍ୟ ଏକ ପୋଷ୍ଟରରେ ଉର୍ଦ୍ଦୁରେ ଚଳଚ୍ଚିତ୍ର ନାମ ଲେଖା ହେଇଛି ।
କୁହାଯାଉଛି ଯେ ଆଗକୁ ନିର୍ବାଚନରେ ଶିବସେନା ବିଜେପି ଠାରୁ ଅଲଗା ହେଇ ଲଢିପାରେ। ତେଣୁ ମୁମ୍ବାଇ ଓ ମହାରାଷ୍ଟ୍ରର ମୁସଲିମ ସମାଜର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏପରି କରିଥାଏ ପାରେ ବୋଲି ଚର୍ଚ୍ଚା ହେଉଛି । କିମ୍ବା ନିର୍ବାଚନ ଆଗରୁ ନିଜର ଏକ ସ୍ୱରୂପ ଜନତାଙ୍କ ଆଗରେ ପ୍ରମାଣିତ କରିବାକୁ ଚାହୁଛି ।
ତେବେ ଏହି ଉଦ୍ୟମ ସଫଳ ହେବ କି ନାହିଁ ତାହା ସମୟ କହିବ ।