- ବେତାର ବ୍ୟୁରୋ
ଆକାଉଣ୍ଟ ଖୋଲିବା ପାଇଁ ଫେସବୁକ ଆଉ ମାଗିବନି ଆଧାର ତଥ୍ୟ

କିଛି ଦିନ ତଳେ ନୂଆକରି ଫେସବୁକରେ ଆକାଉଣ୍ଟ ଖୋଲିବା ପାଇଁ ଆଗ୍ରହୀ ଥିବା ଭାରତୀୟଙ୍କୁ ଫେସବୁକ ତରଫରୁ ସେମାନଙ୍କ ଆଧାର କାର୍ଡରେ ଥିବା ନାମ ଉଲ୍ଲେଖ କରିବାକୁ କୁହାଯାଇଥିଲା । ଏହି ଉଦ୍ୟମ ବିଷୟରେ କମ୍ପାନୀ ତରଫରୁ କୁହାଯାଇଥିଲା କି ଆଧାର କାର୍ଡରେ ଥିବା ନାମ ସହିତ ସାମଞ୍ଜସ୍ୟ ଥିବା ନାମରେ ଫେସବୁକରେ ଆକାଉଣ୍ଟ ଖୋଲିଲେ ସେମାନଙ୍କ ସାଙ୍ଗସାଥି ତଥା ବନ୍ଧୁ ବାନ୍ଧବ ଜାଣିପାରିବେ ।
ତେବେ ଏ ନେଇ ଇଣ୍ଟରନେଟରେ ପ୍ରବଳ ବିରୋଧ କରାଯାଇଥିଲା । ଯଦିଓ ଫେସବୁକ ତରଫରୁ କେବଳ ଆଧାର କାର୍ଡରେ ଥିବା ନାମ ଉଲ୍ଲେଖ କରିବା ପାଇଁ କୁହାଯାଇଥିଲା, ସେ ପୁଣି ନୂଆ କରି ଆକାଉଣ୍ଟ ଖୋଲିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ, ତେବେ ଅନେକ ବ୍ୟକ୍ତି ଯୁକ୍ତି କରିଥିଲେ କି ଫେସବୁକ ଏହା ଦ୍ଵାରା ଲୋକମାନଙ୍କ ଆଧାର କାର୍ଡରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି ଏବଂ ଏହାପରେ ଫେସବୁକ ସମସ୍ତ ଭାରତୀୟଙ୍କୁ ଆଧାର କାର୍ଡ ନିଜର ଆକାଉଣ୍ଟ ସହିତ ଲିଙ୍କ କରିବାକୁ କହିବ

ପ୍ରଥମେ ଫେସବୁକର ଜଣେ କର୍ମକର୍ତ୍ତା କହିଥିଲେ କି ଫେକ ଆକାଉଣ୍ଟକୁ ରୋକିବାକୁ ଏହିଭଳି ଏକ ପଦକ୍ଷେପ ନିଆଯାଇଛି । ପରେ ଫେସବୁକର ପ୍ରଡ଼କ୍ଟ ମ୍ୟାନେଜର ତାଇଛି ହୋଶିନୋ ଏକ ବିବୃତିରେ କହିଛନ୍ତି ,”ନିକଟରେ କିଛି ଭାରତୀୟ ନୂତନ ଆକାଉଣ୍ଟ ବ୍ୟବହାରକାରୀଙ୍କ ନିମନ୍ତେ ପରୀକ୍ଷାମୂଳକଭାବେ ସେମାନଙ୍କୁ କୁହାଯାଇଥିଲା କି ସେମାନେ ନିଜର ଆଧାର କାର୍ଡରେ ଥିବା ନାମ ଉଲ୍ଲେଖ କରନ୍ତୁ, ଯାହା ଫଳରେ ସେମାନଙ୍କ ସାଙ୍ଗସାଥିମାନେ ସହଜରେ ଜାଣିପାରିବେ । ଏଥିରେ ଆଧାର ନମ୍ବର ବା ଅନ୍ୟ କୌଣସି ତଥ୍ୟ ମଗାଯାଇ ନ ଥିଲା । ଏପରିକି ଆଧାରରେ ଥିବା ନାମ ଉଲ୍ଲେଖ କରିବା ବାଧ୍ୟତାମୂଳକ ନ ଥିଲା । ଏହା ଏକ ପରୀକ୍ଷା ଥିଲା, ଯାହା ଅଳ୍ପ କିଛି ବ୍ୟବହାରକାରୀଙ୍କ ପାଇଁ ପ୍ରଯୁଜ୍ୟ ଥିଲା । ଏବେ ଏହି ପରୀକ୍ଷା ସମାପ୍ତ ହେଇଛି ।“
ଏବଂ ଶେଷରେ ହୋଶିନୋ ଲେଖିଛନ୍ତି ,”ଆଗକୁ ଏହି ଭଳି ପଦକ୍ଷେପ ନେବାର ଫେସବୁକର କୌଣସି ଯୋଜନା ନାହିଁ।“
ଆଧାର କାର୍ଡରେ ଭାରତ ସରକାର ଲୋକମାନଙ୍କ ଅଙ୍ଗୁଳି ଛାପ ଓ ଆଖି ରେଟିନାର ତଥ୍ୟ ଏକ ସେଣ୍ଟ୍ରାଲ ସର୍ଭରରେ ରେକର୍ଡ କରି ରଖୁଥିବାରୁ କିଛି ବ୍ୟକ୍ତି ଏହାର ବିରୋଧ କରୁଛନ୍ତି । ସେମାନଙ୍କ କହିବା ମୁତାବକ ଏଭଳି ତଥ୍ୟ ସବୁ ଯଦି କେହି ଦୁର୍ବୃତ୍ତ ଯଦି ଡିଜିଟାଲ ଉପାୟରେ ଚୋରାଇ ନେବାରେ ସକ୍ଷମ ହେଇଯାଏ, ତେବେ ଏହି ସବୁ ପରିଚୟ ବ୍ୟବହାର କରି ଆତଙ୍କବାଦୀମାନେ ଛଦ୍ମ ପରିଚୟରେ ଦେଶ ଭିତରକୁ ପ୍ରବେଶ କରି ଆକ୍ରମଣ କରିବାର ସମ୍ଭାବନା ରହିଛି ।
ତେବେ କିଛି ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଏଭଳି ଚିନ୍ତା ନିରାଧାର । କାରଣ ସ୍ମାର୍ଟଫୋନ ବ୍ୟବହାର କଲେ ନିଜର ଅବସ୍ଥିତି, ନାମ, ବ୍ୟାଙ୍କ ଆକାଉଣ୍ଟ ଭଳି ଅନେକ ତଥ୍ୟ ଇଣ୍ଟରନେଟରେ ରହିଥାଏ ଏବଂ ଏହିଭଳି ତଥ୍ୟ ଅନେକ ଘରୋଇ ସର୍ଭର ରୁହେ, ଯାହାକୁ ଚୋରାଇ ନେବା ବା ହ୍ୟାକ କରିବା କଷ୍ଟ ।