• ବେତାର ବ୍ୟୁରୋ

ଚୀନରେ ଖୋଲିଲା ସୋଲାର ପାନେଲ ହାଇୱେ


ରାଜରାସ୍ତାରେ ପଡୁଥିବା ସୂର୍ଯ୍ୟାଲୋକକୁ ନେଇ ବିଜୁଳି ତିଆରି କରିବା ବୈଜ୍ଞାନିକ ଦୃଷ୍ଟିକୋଣରୁ ଯୁକ୍ତି ସଙ୍ଗତ ହେଇପାରେ ଏବଂ କାଳ୍ପନିକ ମଧ୍ୟ । ମାତ୍ର ଏହାକୁ ସଫଳ ଭାବେ କରି ଦେଖାଇଛି ଚୀନ । ଗୁରୁବାର ଦିନ ଚୀନର ଶାଙ୍ଗଡୋଙ୍ଗ ରାଜ୍ୟର ରାଜଧାନୀ ଜିନାନରେ ଏହିଭଳି ଏକ କିମି ଦୀର୍ଘ ସୋଲାର ପାନେଲ ହାଇୱେକୁ ସେଠାକାର ସରକାର ପରୀକ୍ଷାମୂଳକ ଭାବେ ଉନ୍ମୋଚନ କରିଛନ୍ତି ।

ଅବଶ୍ୟ ସୋଲାର ରାସ୍ତାର ପରିକଳ୍ପନା ପ୍ରଥମ ଥର ପାଇଁ ଚୀନରେ ହେଇନାହିଁ । ପୂର୍ବରୁ ଫ୍ରାନ୍ସର ଏକ ଗ୍ରାମ ଏହିଭଳି ଏକ ରାସ୍ତା ତିଆରି କରି ସାରିଛି । ହେଲେ ସୋଲାର ପାନେଲକୁ ନେଇ ଟ୍ରକ,ବସ ପରି ଭାରି ଯାନବାହାନ ଯିବାଆସିବା କରିପାରୁଥିବା ରାଜାରାସ୍ତା ବା ହାଇୱେ ତିଆରି କରିବା ସମ୍ଭବତଃ ପୃଥିବୀରେ ପ୍ରଥମ ।

ଏହି ରାସ୍ତାରେ ତିନୋଟି ସ୍ତର ରହିଛି । ଉପରି ଭାଗରେ ଏକ ପାରଦର୍ଶୀ ସିମେଣ୍ଟ ରହିଛି ଯାହା ସୂର୍ଯ୍ୟକିରଣକୁ ଦ୍ଵିତୀୟ ସ୍ତରରେ ଥିବା ଫୋଟୋ ଭୋଲଟାଇକ ସେଲ ପର୍ଯ୍ୟନ୍ତ ପହଞ୍ଚାଇଥାଏ । ଏହାର ନିମ୍ନଭାଗରେ ଇନସୁଲେସନର ଏକ ସ୍ତର ରହିଛି, ଯାହା ଇଲେକ୍ଟ୍ରୋମାଗନେଟିକ କ୍ରିୟା ସାହାଯ୍ୟରେ ବିଦ୍ୟୁତ ପରିବହନରେ ସାହାଯ୍ୟ କରିଥାଏ ।

ଏକ କିମି ଦୀର୍ଘ ଏହି ରାଜପଥର ଆୟତନ ହେଉଛି 5,875 ବର୍ଗ କିମି । ହେଲେ ଏହାର ନିର୍ମାଣରେ ଖର୍ଚ୍ଚ ଅଧିକା ହେଇଥାଏ । ଭାରତରେ ଏହିଭଳି ଏକ ସହରାଞ୍ଚଳ ରାଜପଥ ପାଇଁ ଏକ କିମି ପିଛା 1 ରୁ 2 କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚୀନରେ ଏହି ଏକ କିମି ସୋଲାର ହାଇୱେ ପାଇଁ ଖର୍ଚ୍ଚ ହେଇଛି 17 କୋଟି 76 ଲକ୍ଷ ଟଙ୍କା ।

ତେବେ ଏହିପରି ରାଜରାସ୍ତାର କ୍ଷମତା ସାଧାରଣ ପିଚୁ ଓ ସିମେଣ୍ଟ ରାସ୍ତା ଠାରୁ ଯଥେଷ୍ଟ ଅଧିକ । ସିସିଟିଭି ନ୍ଯୁଜ ଚାନେଲକୁ ସାକ୍ଷାତକାର ଦେଇ ଚୀନର ଟୋଙ୍ଗଜୀ ବିଶ୍ଵବିଦ୍ୟାଳୟର ପରିବହନ ଇଂଜିନିୟରିଂ ବିଶେଷଜ୍ଞ ଝାଙ୍ଗ ହୋଙ୍ଗଚାଓ କହିଛନ୍ତି ,“ଏହିଭଳି ରାସ୍ତା ସାଧାରଣ ପିଚୁ ରାସ୍ତାଠାରୁ ଦଶଗୁଣ ଅଧିକ କ୍ଷମତାର ଭାର ଉଠାଇବାରେ ସକ୍ଷମ ଓ ଅଧିକ ମଜବୁତ ହେତୁ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁତ କମ । ପୁନଃଶ୍ଚ ଏହିଭଳି ରାସ୍ତାରୁ ବର୍ଷକୁ ଏକ ମିଲିୟନ ୟୁନିଟ ପର୍ଯ୍ୟନ୍ତ ସୋଲାର ବିଦ୍ୟୁତ ମିଳିପାରିବ, ଯାହା ପ୍ରାୟ 800 ପରିବାରର ଦୈନିକ ବିଦ୍ୟୁତ ଖର୍ଚ୍ଚ ସହିତ ସମାନ”।

ଚୀନର ଏହି ପ୍ରଦେଶର ଶୀତଦିନେ ରାସ୍ତାଘାଟରେ ବରଫ ପଡୁଥିବାରୁ, ଏହି ରାସ୍ତାରେ ଏହିଭଳି ବ୍ୟବସ୍ଥା ଲଗାଯାଇଛି, ଯାହା ଶୀତ ଦିନେ ବରଫ ତରଳାଇବାରେ ସାହାଯ୍ୟ କରିବ । ଏତଦବ୍ୟତୀତ ଏଥିରୁ ସଂଗୃହିତ ବିଦ୍ୟୁତରୁ ରାସ୍ତାରେ ଆଲୋକ ବ୍ୟବସ୍ଥା କରାଯିବା ସହିତ ଭବିଷ୍ୟତରେ ଇଲେକ୍ଟ୍ରିକ ଯାନ ରିଚାର୍ଜ କରିବା ବ୍ୟବସ୍ଥା ମଧ୍ୟ ରହିବାର ବ୍ୟବସ୍ଥା କରାଯିବ ବୋଲି ଚୀନର ସରକାରୀ ମୁଖପତ୍ର ଦି ପିପୁଲ୍ସ ଡେଲି ପ୍ରକାଶ କରିଛି ।

#tech

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon