• ବେତାର ବ୍ୟୁରୋ

କମ ମାଇଲେଜ ପାଇଁ ହିରୋ ମୋଟୋ କର୍ପ କମ୍ପାନୀକୁ ଅର୍ଥଦଣ୍ଡ


ବିଜ୍ଞାପନରେ ଦେଖାଉଥିବା ମାଇଲେଜ ତୁଳନାରେ ବାସ୍ତବରେ କମ ମାଇଲେଜ ଦେଖାଉଥିବାରୁ ହିରୋ ମୋଟର ସାଇକେଲ କମ୍ପାନୀକୁ ବେଙ୍ଗାଲୁରୁର ଏକ ଅଧସ୍ତନ କୋର୍ଟ ଅର୍ଥଦଣ୍ଡ ଦେଇଛନ୍ତି । ଗ୍ରାହକଙ୍କଠାରୁ ବାଇକ ଫେରାଇ ନେଇ ତାଙ୍କୁ ସେ ବାବଦ ଅର୍ଥ ଫେରସ୍ତ କରିବା ସହିତ ମୋକଦମ୍ମା ଖର୍ଚ୍ଚ ବାବଦରେ ଆହୁରି ₹10,000 ଦେବାକୁ ସେ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।

କର୍ଣ୍ଣାଟକର ମଞ୍ଜୁନାଥ ନାରାଗୁଣ୍ଡ ଜାନୁଆରୀ 2013 ମସିହାରେ ₹74,769 ଦେଇ ହିରୋ କମ୍ପାନୀର 125 ସିସି ବିଶିଷ୍ଟ ଇଗନିଟର ମୋଟର ସାଇକେଲ କମ୍ପାନୀ କିଣିଥିଲେ । କିଣିବା ସମୟରେ କମ୍ପାନୀର ବିକ୍ରେତା ତାଙ୍କୁ ଏହି ବାଇକ ଲିଟର ପିଛା 60 କିମି ଯାଏଁ ଚାଲିପାରିବ ବୋଲି କହିଥିଲେ ଏବଂ ଗାଡିର ରକ୍ଷଣାବେକ୍ଷଣରେ ବେଶୀ କିଛି ଖର୍ଚ୍ଚ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଗାଡି 60 ମାଇଲେଜ ଦେଖାଉଥିବା କଥା କମ୍ପାନୀର କିଛି ଅନଲାଇନ ବିଜ୍ଞାପନରେ ମଧ୍ୟ ଆସିଥିଲା ।

ତେବେ ଗାଡି ଚଳେଇବାର କିଛି ଦିନ ମଧ୍ୟରେ ମଞ୍ଜୁନାଥ ଲକ୍ଷ କଲେ ଯେ ଉକ୍ତ ବାଇକଟି 35 କିମି ପ୍ରତି ଲିଟର ମାଇଲେଜ ଦେଖାଉଛି । ଯେବେ ସେ ଏ ବିଷୟ ନେଇ କମ୍ପାନୀର ଶୋ’ ରୁମ ସହିତ ଯୋଗାଯୋଗ କରିଥିଲେ, ସେବେ ତାଙ୍କୁ ଗାଡିର ଦ୍ଵିତୀୟ ସର୍ଭିସିଙ୍ଗ ପରେ ପେଟ୍ରୋଲ ମାଇଲେଜ ପ୍ରତିଶୃତି ମୁତାବକ ଆସିଯିବ ବୋଲି କୁହାଯାଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା, ଦ୍ଵିତୀୟ ସର୍ଭିସିଙ୍ଗ ପରେ ଗାଡିର ମାଇଲେଜ ବଢିବା ବଦଳରେ 35କିମି ପ୍ରତି ଲିଟରରୁ ଆହୁରି ତଳକୁ ଖସିଗଲା ।

ଏହାପରେ ମଞ୍ଜୁନାଥ କମ୍ପାନୀ ସହିତ ସିଧାସଳଖ ଯୋଗାଯୋଗ କରିଥିଲେ । କମ୍ପାନୀର ଟେକନିସିଆନ ଗାଡିର ମରାମତି କଲାପରେ ଏହାର ମାଇଲେଜ ବଢିଲା ସତ, ହେଲେ ଗାଡି ଇଞ୍ଜିନ ଅଧିକ ଶବ୍ଦ କରିବାକୁ ଆରମ୍ଭ କଲା ଓ ଚଳେଇବା ସେପରି ସୁଖପ୍ରଦ ହେଲା ନାହିଁ ।

ଗାଡି କିଣିବାର ପ୍ରାୟ 11 ମାସ ମଧ୍ୟରେ ଏପରି ଅବସ୍ଥା ଦେଖି, ମଞ୍ଜୁନାଥ ହିରୋ ମୋଟୋକର୍ପ କମ୍ପାନୀକୁ ଚିଠି ଲେଖି ତାଙ୍କୁ ବାଇକ ବାବଦ ₹74,769 ଫେରସ୍ତ କରିବାକୁ ଅନୁରୋଧ କରିଥିଲେ ।

ଏହାପରେ ମଞ୍ଜୁନାଥ କଞ୍ଜୁମର କୋର୍ଟର ଦ୍ଵାରସ୍ଥ ହେଇଥିଲେ ଓ ବାଇକର ଇଞ୍ଜିନରେ ତୃଟିଥିବା କଥା ଦର୍ଶାଇଥିଲେ । ହିରୋ କମ୍ପାନୀ ତରଫରୁ ନିଯୁକ୍ତ ହେଇଥିବା ଓକିଲ ମଞ୍ଜୁନାଥଙ୍କ ଗାଡି ଚଳେଇବା ଶୈଳୀ ଉପରେ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଗାଡିର ମାଇଲେଜ କମିବା ପାଇଁ କମ୍ପାନୀ ନୁହେଁ ବରଂ ବେଙ୍ଗାଲୁରୁର ବ୍ୟସ୍ତବହୁଳ ସଡକ ଦାୟୀ ।

ପାଖାପାଖି 3 ବର୍ଷ ଧରି ଏହି ମୋକଦ୍ଦମା ଚାଲିବା ପରେ ଗତ ଡିସେମ୍ବର 21 ତାରିଖରେ କୋର୍ଟ କମ୍ପାନୀକୁ ଗାଡି ଫେରାଇ ସେହି ବାବଦ ଅର୍ଥ ଓ ତା ସହିତ ₹10,000 ଅଧିକ ଗ୍ରାହକକୁ ଫେରାଇବାକୁ ଆଦେଶ ଶୁବାଇଥିଲେ ।

ଏହି ସପ୍ତାହରେ ମଞ୍ଜୁନାଥ କମ୍ପାନୀ ଠାରୁ ପଇସା ଫେରସ୍ତ ପାଇବା ସହିତ ଗାଡିଟିକୁ ଫେରାଇ ଦେଇଛନ୍ତି ।

#bike

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon