• ବେତାର ବ୍ୟୁରୋ

ବୃହତ ରାଜଧାନୀ ଗଠନ ପାଇଁ ବାଟ ଖୋଲିଲା


ରାଜ୍ୟ ସରକାର ଏକ ବୃହତ ରାଜଧାନୀ ଗଠନ ନିମନ୍ତେ ବିଚାର କରିବାକୁ ଯାଉଛନ୍ତି, ଯାହାର ପ୍ରଥମ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର-ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଓ କଟକ ସିଟି ବସ ପରିବହନ ସଂସ୍ଥାକୁ ମିଶେଇ ଏକତ୍ର କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ ନାମକ ଏକ ସଂସ୍ଥା ଗଠନ କରାଯାଇଛି । ନୂଆ ଭାବେ ଗଠିତ ଏହି ଟ୍ରାନ୍ସପୋର୍ଟ ସଂସ୍ଥା କଟକ, ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ସହରାଞ୍ଚଳକୁ ବସ୍‌ ସେବା ଯୋଗାଇଦେବ।

ଏହି ସେବାର ଏକତ୍ରିକରଣ ଫଳରେ ଭିନ୍ନ ଭିନ୍ନ ପରିବହନ ସଂସ୍ଥାର ଯେଉଁ ସବୁ ରୁଟରେ ବସରେ ଯାତ୍ରୀ କମ ହେଉଥିଲେ, ସେହିସବୁ ବସ ଆଣି ଅଧିକ ଚାହିଦା ଥିବା ରୁଟରେ ନିୟୋଜିତ କରିହେବ, ଯାହା ଏହି ଅଞ୍ଚଳମାନଙ୍କରେ ବସବାସ କରୁଥିବା ପ୍ରାୟ 40 ଲକ୍ଷ ଲୋକଙ୍କ ପାଇଁ ଗମନାଗମନର ସୁବିଧା ଆଣିଦେବ ।

ସ୍ମାର୍ଟସିଟି ଭାବେ ମାନ୍ୟତା ପାଇବାକୁ ହେଲେ ଏହିଭଳି ଏକ ସହରାଞ୍ଚଳ ପରିବହନ ସଂସ୍ଥା ଗଠନର ଆବଶ୍ୟକତା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀରେ ଥିବାରୁ ଓଡିଶା ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ଅନୁମାନ କରାଯାଉଛି ।

କିନ୍ତୁ ଏହି ସଂସ୍ଥା ପାଇଁ ଅର୍ଥ ଯୋଗାଡ କରିବା ସକାଶେ ଏହି ନିର୍ଦ୍ଦେଶାବଳୀରେ ଯେଉଁ ସୁପାରିଶ ରହିଛି ତାହା ସାଧାରଣ ଜନତାଙ୍କ ପକେଟକୁ ବାଧିପାରେ । କେନ୍ଦ୍ର ସରକାରଙ୍କ ସ୍ମାର୍ଟସିଟି ପରିବହନ ପାଇଁ ନିୟମାବଳୀ ଅନୁସାରେ, ଏହି ସହରାଞ୍ଚଳ ପରିବହନ ସଂସ୍ଥା ନିଜ ପାଇଁ ଅର୍ଥ ଯୋଗାଡ କରିବାକୁ ପେଟ୍ରୋଲ, ଡିଜେଲ ଉପରେ ଅଧିକ କର, ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡି ରେଜିଷ୍ଟ୍ରେଶନ ଇତ୍ୟାଦିର ଦର ବୃଦ୍ଧି କରି ସେହି ଅର୍ଥକୁ ନିଜ କାମରେ ଲଗାଇବାକୁ କୁହାଯାଇଛି ।

ଏହି ସଂସ୍ଥାର ପେଡ୍‌ ଅପ୍‌ କ୍ୟାପିଟାଲ୍‌ ବା ମୂଳଧନ ଏକ କୋଟି ଟଙ୍କା ରଖାଯାଇଛି। ଏଥିରେ ସର୍ବାଧିକ ୬୦ ପ୍ରତିଶତ ଅଂଶଧନ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ଅଧୀନରେ ରହିବ। ସେହିପରି କଟକ ଉନ୍ନୟନ କର୍ତୃପକ୍ଷଙ୍କ ଅଧୀନରେ ୨୦ ପ୍ରତିଶତ ଅଂଶଧନ ରହିବ ବୋଲି କୁହାଯାଇଛି।

#city #life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon