• ବେତାର ବ୍ୟୁରୋ

OAS : ପୂର୍ବବର୍ଷ ଇଣ୍ଟରଭିଉ ଓ ଏ ବର୍ଷର ପ୍ରିଲିମ ତାରିଖ ବଦଳିବ ନାହିଁ


ଏହି ବର୍ଷ ଫେବୃଆରି ମାସରେ ପୂର୍ବବର୍ଷର OAS ପରୀକ୍ଷା ପାଇଁ ଇଣ୍ଟରଭିଉ ହେଉଥିବାରୁ ଓ ଚଳିତବର୍ଷର ପ୍ରିଲିମ ପରୀକ୍ଷା ହେଉଥିବାରୁ ପରୀକ୍ଷା ତାରିଖ ବଦଳାଇବା ପାଇଁ ଯେଉଁ ଦାବି ହେଇଥିଲା ତାହାକୁ ଓପିଏସସି (OPSC) କର୍ତ୍ତୃପକ୍ଷ ଖାରଜ କରିଦେଇଛନ୍ତି ଓ ଦୁଇଟି ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ହେବ ବୋଲି କହିଛନ୍ତି ।

ଏହି ବର୍ଷ ଫେବୃଆରି ମାସରେ 2016 ମସିହା ନିମନ୍ତେ ଓଏଏସ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ନିମନ୍ତେ ଡକାଯାଇଥିଲା , ଯାହାକି ପର୍ଯ୍ୟାୟକ୍ରମେ 12 ରୁ 28 ତାରିଖ ଭିତରେ ଅନୁଷ୍ଠିତ ହେବ ।

ତେବେ ଏହି ସାକ୍ଷାତକାର ବା ଇଣ୍ଟରଭିଉରେ ଯିଏ ଅସଫଳ ହେବ ସେମାନେ ପରବର୍ତ୍ତୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଇଥାନ୍ତେ । ହେଲେ ଓପିଏସସି କର୍ତ୍ତୃପକ୍ଷ ଏହି ବର୍ଷ ଫେବୃଆରୀ 18 ତାରିଖରେ 2017 ମସିହା ପାଇଁ OAS ପ୍ରିଲିମ ପରୀକ୍ଷା ହେବ ବୋଲି ତାରିଖ ଘୋଷଣା କଲେ । ଏହାପରେ ସାକ୍ଷାତକାର ପାଇଁ ଡକାଯାଇଥିବା କିଛି ପରୀକ୍ଷାର୍ଥୀ ଏ ସଂକ୍ରାନ୍ତରେ ଓପିଏସସିଙ୍କ ନିକଟରେ ଆପତ୍ତି ଜଣାଇଥିଲେ ଓ ପ୍ରିଲିମ ପରୀକ୍ଷା ତାରିଖ ଘୁଞ୍ଚାଇବାପାଇଁ ଆବେଦନ କରିଥିଲେ ।

ଓପିଏସସି ତରଫରୁ ପ୍ରକାଶିତ ହେଇଥିବା ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି, “ଚଳିତ ବର୍ଷ ମାତ୍ର 60 ଜଣ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଛି, ଯେତେବେଳେ କି ପ୍ରିଲିମ ପରୀକ୍ଷା ଦେବା ପାଇଁ ଅନ୍ୟୁନ 50,000 ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ପୁନଶ୍ଚ ଆଗକୁ ବିଭିନ୍ନ କୋର୍ସର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ପ୍ରିଲିମ ପରୀକ୍ଷା ପାଇଁ ସେଣ୍ଟର ଆଉ ମିଳିବାର ସୁବିଧା ନାହିଁ । ସେଥିପାଇଁ ଇଣ୍ଟରଭିଉ ଓ ପ୍ରିଲିମ ପରୀକ୍ଷା ତାରିଖ ବଦଳେଇବାର କୌଣସି ସମ୍ଭାବନା ନାହିଁ ।“

ତେବେ ଯେଉଁମାନେ ଇଣ୍ଟରଭିଉ ଦେବାକୁ ଯିବେ ଏବଂ 2017 ପାଇଁ ପ୍ରିଲିମ ପରୀକ୍ଷା ଦେବାକୁ ଇଚ୍ଛୁକ, ସେମାନେ ତାଙ୍କର ଇଣ୍ଟରଭିଉ ତାରିଖ ବଦଳେଇବା ପାଇଁ ଓପିଏସସି କର୍ତ୍ତୃପକ୍ଷଙ୍କୁ ଫେବୃଆରୀ 8 ତାରିଖ ପୂର୍ବରୁ ଜଣାଇବା ପାଇଁ କୁହାଯାଇଛି ।

#job #employment #youth

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon