• ବେତାର ବ୍ୟୁରୋ

ହୁ  ହୁ ହେଇ ବଢୁଛି ପେଟ୍ରୋଲ ଦର : କେଉଁଠି କେତେ


ଗତ କିଛି ମାସ ଧରି ଭାରତରେ ପେଟ୍ରୋଲ ତଥା ଡିଜେଲ ଦର ତୀବ୍ର ଗତିରେ ବଢିଚାଲିଛି । ପରିସ୍ଥିତି ଏପରି ହେଇଛି ଯେ ଆଜିର ପେଟ୍ରୋଲ ଓ ଡିଜେଲ ଦର ଗତ ପାଞ୍ଚ ବର୍ଷ ଭିତରେ ସବୁଠୁ ଅଧିକ ହେଇସାରିଲାଣି । ଏହାର କାରଣ ହେଲା ବିଶ୍ଵ ବଜାରରେ ଲାଗିଥିବା ଅନିଶ୍ଚିତତା ଓ ଆମେରିକାର ସିରିୟା ଦେଶ ଉପରେ ଆକ୍ରମଣ ।

ସମଗ୍ର ବିଶ୍ଵରେ ତୈଳଦରର ମାନକ ଭାବେ ନିଆ ଯାଉଥିବା ବ୍ରେଣ୍ଟ କ୍ରୁଡ ତୈଳ ଦର ଚଳିତ ସପ୍ତାହରେ $75ରେ ପହଞ୍ଚିଥିଲା, ଯାହାକି ନଭେମ୍ବର 2014 ଠାରୁ ଆଜି ପର୍ଯ୍ୟନ୍ତ ସମୟସୀମା ଭିତରେ ସବୁଠାରୁ ଅଧିକ। ଭାରତରେ ବିକ୍ରି ହେଉଥିବା ପେଟ୍ରୋଲ ଓ ଡିଜେଲ ପାଇଁ ଏହି କ୍ରୁଡ ତୈଳ ବା ଅଶୋଧିତ ତୈଳ ବିଦେଶରୁ ଆମଦାନୀ କରାଯାଉଥିବାରୁ ବିଶ୍ଵ ବଜାରରେ ଏହି ତୈଳ ଦର ବୃଦ୍ଧିର ପ୍ରଭାବ ଭାରତରେ ମଧ୍ୟ ଦେଖା ଦେଇଛି ।

ଟ୍ଵିଟର ଝଡ

ହେଲେ ଏହି ତୈଳ ଦର ବୃଦ୍ଧିକୁ ନେଇ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ । ତାଙ୍କର ଟ୍ଵିଟର ପୃଷ୍ଠାରେ ସେ ଉଲ୍ଲେଖ କରିଛନ୍ତି, “ବିଶ୍ଵ ବଜାରର ତୈଳ ଦର ଆଜି $74 ଥିବାବେଳେ ଚାରିବର୍ଷ ତଳେଏହା $105 ଥିଲା। ହେଲେ ଆଜିର ପେଟ୍ରୋଲ ଓ ଡିଜେଲ ଦର କାହିଁକି 2014 ମସିହାଠାରୁ ଉଚ୍ଚରେ ଅଛି ?”

ଏକାଧିକ ଟ୍ଵିଟ କରି ଚିଦମ୍ବରମ କହିଛନ୍ତି ଯେ ଭାରତ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଏକସାଇଜ କର ନେବା ଯୋଗୁଁ ଏହି ଦର ଅଧିକ ଅଛି, ଅନ୍ୟଥା ବିଶ୍ଵ ବଜାରରେ ଦର ଚାରିବର୍ଷ ତୁଳନାରେ କମ ଥିଲା ବେଳେ ଭାରତୀୟ ବଜାରରେ ତୈଳ ଦର ବଢି ନ ଥାନ୍ତା।

ମୋଦୀ ସରକାର କ୍ଷମତାକୁ ଆସିବାପରେ ବିଶ୍ଵ ବଜାରରେ ତୈଳ ଦର କମିବାକୁ ଲାଗିଥିଲା , ହେଲେ କେନ୍ଦ୍ର ସରକାର ଏହି ସମୟରେ ଉତ୍ପାଦଶୁଳ୍କ ବା ଏକସାଇଜ ଡ୍ୟୁଟି ବଢାଇ ଭାରତରେ ପେଟ୍ରୋଲ ଓ ଡିଜେଲ ଦରକୁ ଖସିବାକୁ ନ ଦେଇ ସ୍ଥିର ରଖିଲେ ଓ ନିଜର ରାଜସ୍ୱ ବୃଦ୍ଧି କଲେ। ନଭେମ୍ବର 2014 ଓ ଜାନୁଆରୀ 2016 ମଧ୍ୟରେ ଭାରତ ସରକାର 9 ଥର ଏହି କର ବଢାଇ ଥିଲେ । ତେବେ ଗୁଜରାଟ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ମାତ୍ର ଥରେ ଏହି ଦର ଲିଟର ପିଛା 2 ଟଙ୍କା ହିସାବରେ କମାଇଥିଲେ ।

ଏବେ ସରକାର ପେଟ୍ରୋଲ ଲିଟର ପିଛା ପ୍ରାୟ ₹19.50 ଏକସାଇଜ କର ନେଉଥିବା ବେଳେ ଡିଜେଲ ପାଇଁ ଏହା ଲିଟର ପିଛା ₹15.33 । କେନ୍ଦ୍ରରେ ଥିବା ଏନଡିଏ ସରକାର ଏହାର ପ୍ରତିକ୍ରିୟାରେ କହିଛି ଯେ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁ ହେଲେ ଏହି ତୈଳ ଦର ହ୍ରାସ ହେବ ।

ଏହାର ପ୍ରତିକ୍ରିୟାରେ ଚିଦମ୍ବରମ କହିଛନ୍ତି ଯେ “ସାରା ଦେଶରେ ପ୍ରାୟ 22ଟି ରାଜ୍ୟରେ ନିଜର ସରକାର ଅଛି ବୋଲି ବିଜେପି ଗର୍ବରେ କହୁଛି । ତେବେ ଏହି 22ଟି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁ ହେଉ ନାହିଁ କଣ ପାଇଁ ?”

#petrol #life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon