• padmabati kund

ଏବେଠୁ ସବୁ ଜିଲ୍ଲାରେ ଟ୍ରାଫିକ ଭଲ୍ୟୁଣ୍ଟର,ଦରମା ୩ ହଜାର


ସହରର ଜଣ ଗହଳି ପୂର୍ଣ୍ଣ ଜାଗା ରେ ଟ୍ରାଫିକ କର୍ମଚାରୀଙ୍କ ସହ ଛିଡା ହୋଇ ଗହଳିକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ଏକ ନୂତନ ସୁଯୋଗ ଆଣିଛନ୍ତି। ପ୍ରତ୍ୟେକ ଦିନ ସେମାନେ ମାତ୍ର ୩ ଘଣ୍ଟା ଯେ କୌଣସି ଛକରେ ଠିଆ ହୋଇ ଟ୍ରାଫିକ୍‌ ପୁଲିସକୁ ସହଯୋଗ କରି ମାସକୁ ୩ ହଜାର ଟଙ୍କା ରୋଜଗାର କରିପାରିବେ। ଭୁବନେଶ୍ଵର ଓ କଟକରେ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ବ୍ୟବସ୍ଥା କମିସନରେଟ୍‌ ପୁଲିସରେ ସଫଳ ହେବା ପରେ ଏବେ ରାଜ୍ୟର ଆଉ କିଛି ପ୍ରମୁଖ ସହରରେ ଏହି ବ୍ୟବସ୍ଥା ଲାଗୁ କରାଯିବ ।

ପ୍ରଥମେ ଏହି ଯୋଜନା ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ କୋରାପୁଟ ସହରରେ ଲାଗୁ ହେବ। ଏ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଉପରୋକ୍ତ ଜିଲ୍ଲା ଏସ୍‌ପିମାନଙ୍କୁ ଅବଗତ କରାଯାଇଛି ବୋଲି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଏହି ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟରରେ ଯୋଗ ଦେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କୁ ଜିଲ୍ଲାର ପୁଲିସ ମୁଖ୍ୟାଳୟରୁ ଏକ ଫର୍ମ ଆଣିବାକୁ ପଡ଼ିବ। ସେହି ଫର୍ମପୂରଣ କରିବା ପରେ କଲେଜ ଅଧ୍ୟକ୍ଷ ଦସ୍ତଖତ କରିବେ। ଏହି ଫର୍ମକୁ ପୁଲିସ ମୁଖ୍ୟାଳୟରେ ଜମା କରିବା ପରେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବଛାଯିବ। ଏହି ସେବା ନିମନ୍ତେ ସ୍ୱତନ୍ତ୍ର ଡ୍ରେସ୍‌, ଟୋପି ଆଦି ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ। ପାରିଶ୍ରମିକ ବାବଦରେ ମାସକୁ ସେମାନେ ୩ ହଜାର ଟଙ୍କା ପାଇବେ। ଏହା ଛଡ଼ା ସେମାନଙ୍କୁ ବୀମାଭୁକ୍ତ ମଧ୍ୟ କରାଯିବ ବୋଲି ପୁଲିସ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି।

ସମ୍ପ୍ରତି କଟକ-ଭୁବନେଶ୍ୱର ଅଞ୍ଚଳରେ କାମ କରୁଥିବା ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ମାନେ ଦୈନିକ ଟ.100 ଲେଖାଏଁ ପାରିଶ୍ରମିକ ପାଉଛନ୍ତି, ଏବଂ ଏହା ସେମାନଙ୍କୁ ପ୍ରତ୍ୟେକ ଦିନ କାମ ଶେଷ କରିବା ପରେ ମିଳିଥାଏ । ତେବେ ଏବେର ନୂତନ ବ୍ୟବସ୍ଥାରେ ସେମାନଙ୍କୁ ମାସିକ ତିନି ହଜାର ଟଙ୍କା ଦରମା ହିସାବରେ ପ୍ରଦାନ କରାଯିବ ।

ଜନସଂଖ୍ୟା ସାଙ୍ଗକୁ ଦିନକୁ ଦିନ ରାଜ୍ୟରେ ଟ୍ରାଫିକ୍‌ ସମସ୍ୟା ବଢିବାରେ ଲାଗିଛି । ଯେଉଁ ଅନୁପାତରେ ଗାଡ଼ି ମୋଟର ଚାଲୁଛି ସେହି ସଂଖ୍ୟାରେ ଟ୍ରାଫିକ୍‌ କର୍ମଚାରୀ ନଥିବାରୁ ଟ୍ରାଫିକ୍‌ ଜାମ୍‌ ହେବା ସହ ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ବିଶେଷ ଭାବରେ ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ଆଦି ସହରରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି।

ତେଣୁ କମିସନରେଟ୍‌ ପୁଲିସରେ ଯେଭଳି ଷ୍ଟୁଡେଣ୍ଟ-ଟ୍ରାଫିକ୍‌ ଭଲ୍ୟୁଣ୍ଟର୍‌ମାନେ ସହଯୋଗ କରୁଛନ୍ତି ସେହିଭଳି ଉପରୋକ୍ତ ସହରଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀମାନେ ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା କରିବେ। ଏପଟେ କମିସନରେଟ୍‌ ପୁଲିସ ବ୍ୟବସ୍ଥାରେ ଷ୍ଟୁଡେଣ୍ଟ-ଟ୍ରାଫିକ୍‌ ଭଲ୍ୟୁଣ୍ଟର ବ୍ୟବସ୍ଥା ସଫଳ ହେବା ପରେ କମ୍ୟୁନିଟି ଟ୍ରାଫିକ୍‌ ପୁଲିସ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ଚାଲିଛି। ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ଏହି ପ୍ରସ୍ତାବକୁ ମଞ୍ଜୁର କରିବା ପରେ ଏହା କାର୍ଯ୍ୟକାରୀ ହେବ।

ସ୍ଥାନୀୟ ଯୁବକମାନେ ନିଜ ନିଜ ଅଞ୍ଚଳରେ ଥିବା ଛକରେ ଟ୍ରାଫିକ୍‌ ପୁଲିସ ସହିତ ମିଶି ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା କରିବେ।ଏହା ଦ୍ଵାରା ଛାତ୍ରଛାତ୍ରୀ ମାନେ ରୋଜଗାର କ୍ଷମ ହେବ ସହ ନିଜର ଲୋକ ମାନଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଇପାରିବେ।

#jobs #city #traffic

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon