- padmabati kund
ଆଇସିସିର ମୋଦୀ ବିରୋଧି ଟ୍ଵିଟରେ ପାକିସ୍ଥାନୀ କର୍ମଚାରୀଙ୍କ ହାତ !

ଚଳିତ ସପ୍ତାହରେ (ଏପ୍ରିଲ ୨୫ ତାରିଖରେ) ଇଣ୍ଟରନାସନାଲ କ୍ରିକେଟ କାଉନସିଲ (ଆଇସିସି)ର ଟ୍ଵିଟର ପୃଷ୍ଠାରେ ନରେନ୍ଦ୍ର ମୋଦୀଙ୍କୁ ନେଇ କରାଯାଇଥିବା ପୋଷ୍ଟ ପଛରେ ଜଣେ ପାକିସ୍ତାନୀ କର୍ମଚାରୀଙ୍କ ହାତ ଅଛି ବୋଲି ସନ୍ଦେହ କରାଯାଉଛି। ଏହି ଟ୍ଵିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ଆଶାରାମଙ୍କ ଏକ ପୁରୁଣା ଭିଡିଓକୁ ଶେୟାର କରଯାଇଥିଲା।
ଗତ ବୁଧବାର ଦିନ ଯୋଧପୁରରେ ଆଶାରାମଙ୍କୁ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡ ମିଳିବା ପରେ ଅନେକ ମୋଦୀ ବିରୋଧୀମାନେ ଟ୍ଵିଟରରେ ଅଭିଯୁକ୍ତ ଆଶାରାମ ଓ ମୋଦୀଙ୍କ ସାକ୍ଷାତର ଏକ ପୁରୁଣା ଭିଡିଓ ଛାଡିଥିଲେ । ଆଇ.ସି.ସିର ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ଏହି ପୁରୁଣା ଭିଡିଓ ପୋଷ୍ଟକୁ କେହି ଜଣେ ଶେୟାର କରିଥିଲେ । ଅଳ୍ପ କିଛି ସମୟ ମଧ୍ୟରେ ଏହା ଲୋକମାନଙ୍କ ଦ୍ଵାରା ଟ୍ରଲ ହେବାକୁ ଲାଗିଲା ଓ ଏହାର ସ୍କ୍ରିନସଟ ଭାଇରାଲ ହେବାକୁ ଲାଗିଥିଲା।
ଟ୍ଵିଟର ବ୍ୟବହାରକାରୀମାନେ ପ୍ରଶ୍ନ କରିଥିଲେ ଯେ ଆଇ.ସି.ସି ର ଏଭଳି ଏକ ରାଜନୈତିକ ପୋଷ୍ଟ କରିବା ପଛରେ କାରଣ କଣ। ବିବାଦ ଘେରରେ ପଶିବା ପରେ ଅଳ୍ପ ସମୟ ମଧ୍ୟରେ ଆଇ.ସି.ସି. ତରଫରୁ ପୋଷ୍ଟକୁ ହଟାଇ ଦିଆଯାଇଥିଲା। ଏଥିପାଇଁ ମଧ୍ୟ ଆଇ.ସି.ସି ମୋଦିଙ୍କ ଠାରୁ କ୍ଷମା ପ୍ରାର୍ଥନା କରିଥିଲେ ଓ ଏଭଳି ଘଟଣା କିପରି ଘଟିଥିଲା ସେ ବିଷୟରେ ତଦନ୍ତ କରାଯିବ ବୋଲି ମଧ୍ୟ ଜଣାଇଥିଲେ।
ପିସିବି କର୍ମଚାରୀ
ତେବେ ପରବର୍ତ୍ତୀ ସମୟରେ ଏଭଳି କାମ ପଛରେ ଜଣେ ପାକିସ୍ତାନୀଙ୍କ ହାତ ଅଛି ବୋଲି ସନ୍ଦେହ କରାଯାଇଥିଲା। ସେ ହେଉଛନ୍ତି ଆଇସିସିର ମିଡିଆ ମୁଖ୍ୟ ସମି-ଉଲ-ହାସନ । ସେ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମିଡିଆ ମୁଖ୍ୟ ହିସାବରେ କାମ କରିଥିଲେ । ଆଇସିସି ର ଅଫିସିଆଲ ଟ୍ଵିଟର ଆକାଉଣ୍ଟ ଦାୟିତ୍ଵରେ ସମି-ଉଲ-ହସନ ଥିବାବେଳେ ଏପରି ପୋଷ୍ଟ ହେବା ପୂର୍ବରୁ ସେ ଅବଗତ ଥିବେ ବୋଲି ମଧ୍ୟ ସନ୍ଦେହ କରାଯାଉଛି।
ସମାଲୋଚକମାନଙ୍କ ମତରେ, ଘଟଣା ଯାହାବି ହେଇଥାଉ ଅନ୍ତର୍ଜାତିକ କ୍ରୀଡା ବିଭାଗ ତରଫରୁ ଏଭଳି ଏକ ରାଜନୈତିକ ମନ୍ତବ୍ୟ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଇ.ସି.ସି ତରଫରୁ ହୋଇଥିବା ଏଭଳି ଭୁଲର କଡା ତଦନ୍ତ ଆଶା କରାଯାଉଛି।
ନିକଟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀପଦରୁ ବହିଷ୍କୃତ ହେଇଥିବା ଖ୍ୱାଜା ଆସିଫ ମଧ୍ୟ ମୋଦୀଙ୍କ ନାମ ନେଇ ଅନେକ ଅପମାନଜନକ ଟ୍ଵିଟ କରିଥିଲେ ଓ ଏଥିପାଇଁ ଅନେକ ସମାଲୋଚନାର ଶିକାର ହେଇଥିଲେ । ତଥାପି ପାକିସ୍ତାନ ସରକାର ତାଙ୍କ ଉପରେ କୌଣସି ପଦକ୍ଷେପ ନେଇ ନ ଥିଲେ। ଗୁରୁବାର ଦିନ ଏକ ପାକିସ୍ତାନୀ କୋର୍ଟ ଦୁର୍ନୀତି ମାମଲାରେ ତାଙ୍କ ପାର୍ଲାମେଣ୍ଟ ସଭ୍ୟପଦ ରଦ୍ଦ କରିଥିଲା ।