• ବେତାର ବ୍ୟୁରୋ

ଗଣେଶ ପୂଜାରେ ଆସୁଛି ଅର୍ଚ୍ଚିତାଙ୍କ ଏହି ଫିଲ୍ମ


ଓଲିଉଡର ଚୁଲବୁଲି ନାୟିକା ଭାବେ ପରିଚିତ ଅର୍ଚ୍ଚିତାଙ୍କ ଏକ ଭିନ୍ନ ସ୍ଵାଦର ଚଳଚ୍ଚିତ୍ର “ଚମ୍ପିୟାନ”ର ଶୁଟିଙ୍ଗ ଓ ପ୍ରି-ପ୍ରଡକସନ କାମ ଚାଲିଛି । ଏହା ଆଗାମୀ ଗଣେଶ ପୂଜାରେ ରିଲିଜ ହେଇପାରେ ବୋଲି ଶୁଣାଯାଉଛି ।

ଫିଲ୍ମର ପୋଷ୍ଟରରୁ ଜଣାପଡୁଛି ଅର୍ଚ୍ଚିତା ଏକ ବକ୍ସର ଭୂମିକାରେ ପରଦାକୁ ଆସିବେ । ତେବେ ଏହା ଭାରତର ପ୍ରସିଦ୍ଧ ମହିଳା ବକ୍ସର ମାରି କମଙ୍କ ଜୀବନୀ ଆଧାରିତ କି ନା ସେ ବିଷୟରେ ବିଶେଷ ତଥ୍ୟ ସାମନାକୁ ଆସିନାହିଁ ।

ଏହି ଫିଲ୍ମ ପାଇଁ ଅର୍ଚ୍ଚିତା ବହୁତ ପରିଶ୍ରମ କରିଥିବା କଥା ନିଜେ କହିଛନ୍ତି । ଫିଲ୍ମର ଫାଷ୍ଟଲୁକ ରିଲିଜ ଅବସରରେ ଅର୍ଚ୍ଚିତା କହିଥିଲେ “ଗତ ଦୁଇ ତିନି ମାସ ଧରି ଯିଏ ସୋସିଆଲ ମିଡିଆରେ ମୋତେ ଫଲୋ କରୁଥିବେ, ସେମାନେ ଜାଣିଥିବେ ମୁଁ କେତେ ଜିମ ଯାଉଥିଲି। ଏପରିକି ମୋ ଘରେ ଏକ ଛୋଟ ଜିମ ଏଥିପାଇଁ ସ୍ଥାପନ କରିଛି ।“

ଗାଉଁଲି ଝିଅ

ତେବେ ଚଳଚ୍ଚିତ୍ରର ବିଷୟବସ୍ତୁ କେବଳ ବକ୍ସର କାହାଣୀ ନୁହେଁ । ଫିଲ୍ମରେ ଗାଉଁଲି ଝିଅ ବେଶରେ ଓ ଆଇଟମ ଗୀତରେ ମଧ୍ୟ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ବିଷୟରେ ସାମାନ୍ୟ ସୂଚନା ଦେଇ ଅର୍ଚ୍ଚିତା କହିଥିଲେ “ମଫସଲ ଅଞ୍ଚଳରେ ବଢିଥିବା ଗୋଟେ ସ୍ଵାଭିମାନୀ ଝିଅ କିପରି ଘରର ଆର୍ଥିକ ବୋଝକୁ ଉଠାଇବାକୁ ଯାଇ ପ୍ରଥମେ ଅଭିନୟ ଜଗତରେ ପାଦ ଦେଇଛି ଓ ପରେ ଏକ ବକ୍ସର ହିସାବରେ ଚମ୍ପିୟାନ ହେଇଛି ତାହା ହିଁ “ଚମ୍ପିୟାନ” ଫିଲ୍ମର କାହାଣୀ ।

ବକ୍ସର ଚରିତ୍ରରେ ନିଖୁଣ ଭାବେ ଅଭିନୟ କରିବା ପାଇଁ ଓ ନିଜର ହାତର ବାଇଶେପ ବଢାଇବା ପାଇଁ ଅର୍ଚ୍ଚିତା ବହୁତ ଅଧିକ ସମୟ ଦେଉଥିଲେ । ଏହାଛଡା ଖେଳ ଦୃଶ୍ୟର ଶୁଟିଙ୍ଗ ବେଳେ ନିଜର ଷ୍ଟାମିନା ବଢାଇବା ପାଇଁ ଅର୍ଚ୍ଚିତା ଏକ ବିଶେଷ ଧରଣର ପ୍ରଶିକ୍ଷଣ ନେଉଥିଲେ ବୋଲି ପ୍ରକାଶ କରିଛନ୍ତି ।

ଏହି ଫିଲ୍ମର ପ୍ରଯୋଜନା କରୁଥିବା ଦୀପ୍ତି ନିଜେ ଜଣେ ଖେଳାଳି । ସେ ଅତୀତରେ ଓଡିଶାର ମହିଳା କବାଡି ଟିମର କ୍ୟାପଟେନ ଥିଲେ । ସେ କହିଛନ୍ତି ଓଡିଆ ଦର୍ଶକଙ୍କୁ ଏକ ଭିନ୍ନ ସ୍ଵାଦର ଚଳଚ୍ଚିତ୍ର ଭେଟି ଦେବାର ପରିକଳ୍ପନା ନେଇ ଫିଲ୍ମଟିକୁ ପ୍ରସ୍ତୁତ କରାଯାଉଛି । ଫିଲ୍ମର ନିର୍ଦ୍ଦେଶନା କେ.ମୁରଲୀଧରନ ଦେଉଥିଲା ବେଳେ ସଂଗୀତା ନିର୍ଦ୍ଦେଶନା ନିମନ୍ତେ ବୈଦ୍ୟନାଥଙ୍କୁ ନିଆ ଯାଇଛି । ତେବେ ଏହି ଫିଲ୍ମର ଅନ୍ୟାନ୍ୟ ଚରିତ୍ର ନିମନ୍ତେ ଏ ପର୍ଯ୍ୟନ୍ତ କୌଣସି ଅଭିନେତା କିମ୍ବା ଅଭିନେତ୍ରୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

#entertainment #ollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon