- padmabati kund
ରେଲୱେ RPFରେ ବାହାରିଲା 9,000 ଚାକିରୀ

ଭାରତୀୟ ରେଳ ବିଭାଗ ତରଫରୁ ରେଲୱେ ପ୍ରୋଟେକ୍ସନ ଫୋର୍ସରେ କନଷ୍ଟେବଳ ଓ ସବ-ଇନିସପେକ୍ଟର ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମଗ୍ର ଭାରତରେ ଖାପାଖି 9,000 ରୁ ଅଧିକ ସଂଖ୍ୟକ ପଦ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଜୁନ ମାସ 1 ତାରିଖରୁ ଅନଲାଇନରେ ଆବେଦନ କରିପାରିବେ।
ଚଳିତ ବର୍ଷ ରେଲୱେ ବିଭାଗ ତରଫରୁ ପ୍ରାୟ 1ଲକ୍ଷରୁ ଅଧିକ ଗ୍ରୁପ ସି ଓ ଗ୍ରୁପ ଡି ବିଭାଗ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରେଲୱେ ପ୍ରୋଟେକ୍ସନ ଫୋର୍ସ ଓ ରେଲୱେ ପ୍ରୋଟେକ୍ସନ ସ୍ପେଶିଆଲ ଫୋର୍ସର ଏହି ବିଜ୍ଞପ୍ତି ମୋଟ 9739ଟି କନଷ୍ଟେବଳ ଓ ସବ ଇନିସପେକ୍ଟର ପଦ ପାଇଁ ପ୍ରକାଶ ପାଇଛି। ସେଥିମଧ୍ୟରୁ 8619ଟି କନଷ୍ଟେବଳ ପଦବୀ ଓ 1120 ଟି ସବ ଇନିସପେକ୍ଟର ପଦବୀ ରହିଛି।
ଆବେଦନ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ ହୋଇଥିବା ଦରକାର ଓ ସେ ଜଣେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ ଏବଂ ବୟସ 18ରୁ 25 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ପ୍ରାର୍ଥୀ ଚୟନ ଓ ନିଯୁକ୍ତି ପ୍ରକ୍ରିୟା ମୋଟ 4 ଭାଗରେ କରାଯିବ। ପ୍ରଥମ ଭାଗରେ ରହିଛି କମ୍ପ୍ୟୁଟର ବେସ ଟେଷ୍ଟ (CBT), ଦ୍ଵିତୀୟ ଭାଗରେ ରହିଛି ଫିଜିକାଲ ଏଫିସିଏନ୍ସି ଟେଷ୍ଟ (PET) ଓ ଫିଜିକାଲ ମେଜରମେଣ୍ଟ ଟେଷ୍ଟ(PMT)। ତୃତୀୟ ଭାଗରେ ଥିବା ଟ୍ରେଡ ପରୀକ୍ଷାଟି କେବଳ ଡ୍ରାଇଭର ଓ ଅଂଶିଲିଆରୀ ପ୍ରାର୍ଥୀମାନଙ୍କ ପାଇଁ ରହିଛି। ଚତୁର୍ଥ ବା ଶେଷ ପର୍ଯ୍ୟାୟରେ ରହିଛି ଡକୁମେଣ୍ଟ ଭେରିଫିକେସନ। ସମସ୍ତ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ଟ.5,200 ରୁ ଟ.20,200 ଦରମା ଦିଆଯିବ। ଏହା ସହିତ ଟ.2,000 ର ଗ୍ରେଡ ପେ ମଧ୍ୟ ପାଇବେ।
ଆଗ୍ରହୀ ପ୍ରାର୍ଥୀମାନେ ଜୁନ1 ରୁ ଜୁନ 30 ମଧ୍ୟରେ ଭାରତୀୟ ରେଳବିଭାଗର ଅଫିସିଆଲ ୱେବସାଇଟ www.indianrailways.gov.in ରେ ଆବେଦନ କରିପାରିବେ। ଏଥିପାଇଁ କମ୍ପ୍ୟୁଟର ବେସ ଟେଷ୍ଟଟି ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମଧ୍ୟରେ ହୋଇପାରେ। ଆବେଦନକାରୀ ମାନେ ପରୀକ୍ଷାର 10 ଦିନ ପୂର୍ବରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଅଧିକ ତଥ୍ୟ ପାଇଁ ରେଲୱେ ବିଭାଗର ଅଫିସିଆଲ ୱେବସାଇଟ ଚେକ କରନ୍ତୁ।