- padmabati kund
ପାଦର ସୁନ୍ଦରତା ବଢାଇବା ପାଇଁ ଘରୋଇ ଉପଚାର

ଶୁଷ୍କତ୍ଵଚ୍ଚା ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା ଅଟେ। ଯଦି ଏହି ସମସ୍ୟା ଆପଣଙ୍କ ମୁହଁରେ ଦେଖାଯାଏ, ତେବେ ଆପଣ ଏହାକୁ ଭଲ କରିବା ପାଇଁ ଲାଗିପଡନ୍ତି,କିନ୍ତୁ ଏହି ସମସ୍ୟା ଆପଣଙ୍କ ପାଦରେ ହେଲେ ଆପଣଙ୍କୁ କିଛି ଫରକ ପଡିନଥାଏ। ପାଦ ମଧ୍ୟ ଆପଣଙ୍କ ଶରୀରର ଏକ ଅଙ୍ଗ। ପାଦକୁ ସଫାସୁତୁରା ରଖିବା ଆପଣଙ୍କର ଦାୟିତ୍ଵ। ଅସନା ଏବଂ ଫଟା ଗୋଇଠି ଥିବା ଲୋକଙ୍କୁ ଦେଖିଲେ ଲାଗେ ଯେ ସେମାନେ ନିଜ ଶରୀରକୁ ସଫାରଖିବା ପାଇଁ ଆଦୌ ଧ୍ୟାନ ଦିଅନ୍ତି ନାହିଁ। ପାଦକୁ ସୁନ୍ଦର ଓ କୋମଳ ରଖିବା ପାଇଁ ଆପଣ କିଛି ଘରୋଇ ଉପଚାର ଆପଣେଇ ପାରିବେ,ଯାହାପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡିବ ନାହିଁ।
ମହୁ: ମହୁରେ ବହୁତ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହାକି ତ୍ଵଚ୍ଚାରେ କୋମଳତା ଆଣିଥାଏ ଓ ତ୍ଵଚ୍ଚାକୁ ପୋଷଣ ଯୋଗାଇଥାଏ। ଏହାବ୍ୟତୀତ ଏଥିରେ ଆଣ୍ଟିଏଜିଙ୍ଗ ତତ୍ତ୍ଵ ମଧ୍ୟ ରହିଛି। ଅଳ୍ପ ମହୁକୁ ନେଇ ପାଦରେ ଲଗାଇ 10ରୁ 15 ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ପାଦକୁ ଧୋଇଦିଅନ୍ତୁ।ଏହିପରି ଭାବରେ ସପ୍ତାହକୁ 2ରୁ 3 ଥର କରନ୍ତୁ,ପାଦ କୋମଳ ହେବା ସହ ସୁନ୍ଦର ମଧ୍ୟ ଦେଖାଯିବ।
ମହୁ ଓ ଗ୍ଲିସେରିନ: ମହୁ ଓ ଗ୍ଲିସେରିନକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ପାଦରେ ଲଗାନ୍ତୁ ଓ 15 ମିନିଟ ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ। ଏହିପରି ଭାବରେ ସପ୍ତାହକୁ ଦୁଇଥର କରିବା ଦ୍ଵାରା ଆପଣଙ୍କୁ ଫରକ ଜଣାପଡିବ ।
ମହୁ,ଲେମ୍ବୁ ଓ ଅଲିଭ ଅଏଲ: ମହୁ ଓ ଅଲିଭ ଅଏଲ ସହିତ ଅଳ୍ପ ଲେମ୍ବୁ ରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ପାଦରେ ଧୀରେ ଧୀରେ ମସାଜ କରନ୍ତୁ। ଶୁଖିଗଲା ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ। ଏହି ଉପାୟକୁ ସପ୍ତାହକୁ 3ଥର ପ୍ରୟୋଗ କରନ୍ତୁ,ପାଦ କୋମଳ ହୋଇଯିବ।
ନଡିଆ ତେଲ: ସବୁଦିନ ଶୋଇବା ଆଗରୁ ପାଦରେ ଅଳ୍ପ ନଡିଆ ତେଲ ଘଷନ୍ତୁ। ଏପରି କରିବା ଦ୍ଵାରା ପାଦ ଫାଟିବା ବନ୍ଦ ହୋଇଯିବ ଓ ପାଦ ନରମ ମଧ୍ୟ ହୋଇଯିବ।
ମିଲ୍କକ୍ରିମ(ମଲାଇ): ଏଥିରେ ଥିବା ଲାକଟିକ ଏସିଡ ତ୍ଵଚ୍ଚାର ପି.ଏଚ ସ୍ତରକୁ ସନ୍ତୁଳିତ ରଖିଥାଏ। ଏକ ଚାମଚ ମିଲ୍କକ୍ରିମ ବା ମଲାଇରେ ଏକ ଚାମଚ ବେସନ ମିଶାଇ ପାଦରେ ଲଗାନ୍ତୁ। 20ମିନିଟ ପରେ ଉଷୁମ ପାଣିରେ ପାଦକୁ ଧୋଇଦିଅନ୍ତୁ। ଏହିପରି ଭାବରେ ସପ୍ତାହକୁ ଦୁଇଥର କରନ୍ତୁ।
ଏଲୋଭେରା ଜେଲ :ଗୋଟେ ଘିକୁଆଁରୀ ପତ୍ର ନେଇ ସେଥିରୁ ଜେଲ ବାହାର କରନ୍ତୁ। ଏହି ଫ୍ରେସ ଜେଲକୁ ପାଦରେ ଲଗାଇ ମସାଜ କରନ୍ତୁ। 20 ମିନିଟ ପରେ ଅଳ୍ପ ଉଷୁମ ପାଣିରେ ପାଦକୁ ଧୋଇ ଦିଅନ୍ତୁ। ଏହିପରି ଭାବରେ ସପ୍ତାହକୁ 3ଥର କରିବା ଦ୍ଵାରା ପାଦରେ ନୂଆ ଚମକ ଆସିଥାଏ ଓ ପାଦ ନରମ ହୋଇଥାଏ।