• padmabati kund

ନିୟମିତ ହେଲା ୧୮,୫୨୧ କନିଷ୍ଠ ଶିକ୍ଷକଙ୍କ ଚାକିରି


ବହୁଦିନ ଧରି ସରକାରଙ୍କ ଆଗରେ ଦାବି ଓ ଆନ୍ଦୋଳନ କରିଆସୁଥିବା ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କୁ ଗତ ଶୁକ୍ରବାର ଦିନ ଆଶ୍ଵସ୍ତି ମିଳିଛି। କ୍ୟାବିନେଟ ବୈଠକରେ ଗ୍ରାଣ୍ଟ ଇନଏଡ ମୋହର ଲଗାଇ ପ୍ରାୟ ୫୦ ହଜାର ଶିକ୍ଷକଙ୍କୁ ଆଶ୍ଵସ୍ତି ମିଳିଥିବାବେଳେ, କାର୍ଯ୍ୟରତ ୧୮,୫୨୧ ଜଣ କନିଷ୍ଠ ବା ଶିକ୍ଷାସହାୟକଙ୍କୁ ସହଶିକ୍ଷକ ପଦକୁ ପଦୋନ୍ନତି କରାଯାଇ ଚାକିରୀ ନିୟମିତ କରାଯାଇଛି ବୋଲି ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି।

ଚଳିତ ମାସ ୨୩ତାରିଖରେ ରାଜ୍ୟସରକାର ଏବିଷୟରେ ଚୁଡାନ୍ତ ନିଷ୍ପତ୍ତି ନେଇଛନ୍ତି ଓ ଗଣଶିକ୍ଷା ତରଫରୁ ସ୍ଵତନ୍ତ୍ର ଶାସନ ସଚିବ ବିଶ୍ଵନାଥ ପ୍ରଧାନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ,୧୮,୫୨୧ଜଣ କନିଷ୍ଠ ଶିକ୍ଷକଙ୍କୁ ସହଶିକ୍ଷକ ପଦକୁ ପଦୋନ୍ନତି କରିବା ସହିତ ମୋଟ ୨୪,୮୪୩ଟି ସହ ଶିକ୍ଷକ ପଦ ସୃଷ୍ଟିହୋଇଛି। ଏବେ ଉକ୍ତ ୧୮,୫୨୧ ଜଣ ଶିକ୍ଷକମାନେ ଶ୍ରେଣୀ-୫ ଭୁକ୍ତ ହୋଇପାରିବେ ଓ ଅବଶିଷ୍ଟ ୬,୩୨୨ଟି ଖାଲି ପଦରେ ପର୍ଯ୍ୟାୟକ୍ରମେ ଶିକ୍ଷକମାନଙ୍କୁ ନିୟମିତ କରାଯିବ।

ଏଣିକି ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟରତ ଥିବା ୧୮.୫୨୧ ଜଣ ସହଶିକ୍ଷକଙ୍କୁ ସରକାର ଶ୍ରେଣୀ-୫ କୁ ନେଇଛନ୍ତି। ସମ୍ପୃକ୍ତ ଜିଲ୍ଲାର ଶିକ୍ଷାଅଧିକାରୀ ମାନେ ଉକ୍ତ ଶିକ୍ଷକମାନଙ୍କୁ ନିୟମିତ କରାଇ ସରକାରଙ୍କୁ ଅବଗତ କରିବା ପାଇଁ ଗଣଶିକ୍ଷା ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

ଗଣଶିକ୍ଷା ବିଭାଗର ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୯୩ଜଣ ଶିକ୍ଷକ ନିୟମିତ ହୋଇଥିବା ବେଳେ ଦେବଗଡରେ ସର୍ବନିମ୍ନ ୧୬୫ ଜଣ ଶିକ୍ଷକଙ୍କୁ ନିୟମିତ କରାଯାଇଛି।

ଅନୁଗୁଳରେ ୫୬୭ଜଣ ଶିକ୍ଷକ, ବରଗଡରେ ୧୪୩୭,ବଲାଙ୍ଗୀରରେ ୯୧୦,ବାଲେଶ୍ଵରରେ ୯୦୫,ଭଦ୍ରକରେ ୭୬୮,ବୌଦ୍ଧରେ ୨୯୧, କଟକରେ ୬୦୮,ଢେଙ୍କାନାଳରେ ୪୨୫, ଗଜପତିରେ ୫୮୩,ଜଗତସିଂହପୁରରେ ୩୯୫, ଯାଜପୁରରେ ୮୪୯,ଝାରସୁଗୁଡାରେ ୨୯୮,କଳାହାଣ୍ଡିରେ ୬୩୦,କନ୍ଧମାଳରେ ୫୫୫, ଖୋର୍ଦ୍ଧାରେ ୫୫୦,କେନ୍ଦୁଝରରେ ୧୦୪୭,କେନ୍ଦ୍ରାପଡାରେ ୪୨୦, କୋରାପୁଟରେ ୪୪୦,ମାଲକାନଗିରିରେ ୩୫୨,ମୟୂରଭଞ୍ଜରେ ୬୩୮,ନବରଙ୍ଗପୁରରେ ୭୫୩, ନୟାଗଡରେ ୩୨୭, ନୂଆପଡାରେ ୨୭୯,ପୁରୀରେ ୩୦୬,ରାୟଗଡାରେ ୬୪୫,ସମ୍ବଲପୁରରେ ୪୫୩,ଓ ସୁନ୍ଦରଗଡରେ ୫୫୮ଜଣ ଶିକ୍ଷକଙ୍କୁ ନିୟମିତ କରାଯାଇଛି।

ବହୁଦିନପରେ ସରକାର ଶିକ୍ଷା ସହାୟକଙ୍କ ଦାବି ଉପରେ ଉଦାର ମନୋଭାବ ପୋଷଣ କରିଥିବାରୁ,ଓଇଷ୍ଠା ଶିକ୍ଷକ ସଂଘର ସଭାପତି ଯୁଧିଷ୍ଠିର ସାହୁ ସରକାରଙ୍କୁ କୃତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି।

#education #jobs #governmentjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon