- padmabati kund
ଅତୁଲ କୁଳକର୍ଣ୍ଣୀ କରିବେ ପାର୍ସଲ ବୋମା ଉପରେ ଆଧାରିତ ଫିଲ୍ମ

ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ସିନେମା ନିର୍ମାତା ରାଜେଶ ଟଚରାଇଭର ନିର୍ମାଣ କରିବାକୁ ଯାଉଛନ୍ତି ଓଡିଆର ସବୁଠାରୁ ହାଇ ବଜେଟ ଫିଲ୍ମ। ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଧାର କରି ପ୍ରସ୍ତୁତ ହେଉଥିବା ଏହି ଫିଲ୍ମଟିର ନାମ ରହିଛି “ପାଟଣାଗଡ”। ଫିଲ୍ମର ନିର୍ଦ୍ଦେଶକ ଟଚରାଇଭର ଗତ ବୁଧବାର ଦିନ ଜଣାଇଛନ୍ତି ଯେ, ରେଞ୍ଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର ବଜେଟ ବର୍ତ୍ତମାନ 5 କୋଟି ଛୁଇଁଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଓଡିଆ ଫିଲ୍ମ 1କୋଟି ବଜେଟ ଛୁଇଁ ନଥିବା ବେଳେ, “ପାଟଣାଗଡ” ସବୁଠାରୁ ହାଇ ବଜେଟ ଫିଲ୍ମ ହେବ ବୋଲି ଆଶା କରାଯାଉଛି।
ଫିଲ୍ମରେ ଅଧିକାଂଶ କଳାକାର ଓ ଟିମ ମେମ୍ବର ବଲିଉଡ ଓ ଦକ୍ଷିଣ ସିନେମା ଜଗତରୁ ଆସିଥିବାରୁ ଏହାର ବଜେଟ 5କୋଟି ହୋଇଛି ବୋଲି କହିଛନ୍ତି ନିର୍ମାତା।
ଆରମ୍ଭରୁ ଏହାର ନାମ “ବୁଲେଟ ରାଜା” ରଖାଯାଇଥିଲା ମାତ୍ର ରାଜେଶ ଟଚରାଇଭର ମତରେ ଏହି ଟାଇଟିଲଟି କୌଣସି ବି-ଗ୍ରେଡ କିମ୍ବା ସି-ଗ୍ରେଡ ଚଳଚ୍ଚିତ୍ର ପରି ଲାଗୁଥିଲା। ଅଭିନେତା ମନୋଜ ମିଶ୍ର ଫିଲ୍ମର ନାମକୁ “ପାଟଣାଗଡ” ରଖିବା ପାଇଁ ସୁପାରିଶ କରିଥିଲେ ଓ ଏହି ନାମଟି ଆଇ.ପି.ଏସ ଅରୁଣ ବୋଥ୍ରା (ପାର୍ସଲ ବୋମା ରହସ୍ୟ ଉଦଘାଟନ କରିଥିବା ପୋଲିସ ଅଧିକାରୀ) ମଧ୍ୟ ଖୁବ ପସନ୍ଦ କରିଥିଲେ ବୋଲି କହିଛନ୍ତି ରାଜେଶ।
ଫିଲ୍ମର ନିର୍ମାତା ରାଜେଶ ଟଚରାଇଭରକହିଛନ୍ତି ଯେ ଏହି ସାଇକୋ କ୍ରାଇମ ଥ୍ରୀଲର ଚଳଚ୍ଚିତ୍ରରେ ବଲିଉଡ ଓ ଟଲିଉଡର ବହୁ କଳାକାର ମାନେ ଯୋଗଦେବେ। ଅଭିନେତା ମନୋଜ ମିଶ୍ର, ଚିନ୍ମୟ ମିଶ୍ର,ପୁଷ୍ପା ପଣ୍ଡା, ମଧୁ ଶାଳିନୀ, ଅନୁ ଚୌଧୁରୀ,ଚିତ୍ତରଞ୍ଜନ ତ୍ରିପାଠୀ, ଶିଜୁ, ୟଶପାଲ ଶର୍ମା,ଅତୁଲ କୁଲକର୍ଣୀଙ୍କୁ ଏଥିରେ ଦେଖିବାକୁ ମିଳିବ। ପାର୍ସଲବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଭୂମିକାରେ ଅଭିନୟ କରିବେ ମନୋଜ ମିଶ୍ର। ବର ଭୂମିକାରେ ଅଭିନୟ କରିବେ ଅଭିନେତା ଚିନ୍ମୟ ମିଶ୍ର ଓ କନ୍ୟା ଭୂମିକାରେ ତେଲୁଗୁ ଅଭିନେତ୍ରୀ ମଧୁ ଶାଳିନୀଙ୍କୁ ଦେଖିବାକୁ ମିଳିବ।
ଫିଲ୍ମରେ ମୁଖ୍ୟ ଆକର୍ଷଣ ରହିବେ ବଲିଉଡ ଅଭିନେତା ଅତୁଲ କୁଳକର୍ଣୀ,ସେ ଆସନ୍ତା ଜୁଲାଇମାସ 15 ତାରିଖରେ ଫିଲ୍ମର ସୁଟିଙ୍ଗରେ ଯୋଗଦାନ କରିବେ। ଅତୁଲ କୁଳକର୍ଣୀ ଏହି ଚଳଚ୍ଚିତ୍ରରେ ଆଇ.ପି.ଏସ ଅଫିସର ଅରୁଣ ବୋଥ୍ରାଙ୍କ ଚରିତ୍ରରେ ଅଭିନୟ କରିବେ । ଏହାର ସଙ୍ଗୀତ ରଚନା କରିବେ ଜର୍ଜ ଜୋସେଫ, ସେ ଆଗରୁ ଅମିତାଭ ବଚ୍ଚନଙ୍କ ଅଭିନୀତ “102 ନଟ ଆଉଟ “ ଚଳଚ୍ଚିତ୍ରରେ କାମ କରିଛନ୍ତି।
ଫିଲ୍ମର ପୋଷ୍ଟର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମର ସମସ୍ତ ସୁଟିଙ୍ଗ କଟକ ଓ ଭୁବନେଶ୍ଵରରେ ହେବ ଓ ଏହି ଫିଲ୍ମଟି ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ଅଧ୍ୟାୟ ହେବ ବୋଲି ଆଶା ରଖିଛନ୍ତି ଫିଲ୍ମର ନିର୍ମାତା।