- padmabati kund
ରେଳବିଭାଗର ସଫଳତା ପୁସ୍ତିକାରେ ଓଡିଆ କଳାକାରଙ୍କର କୃତି

ଭୁବନେଶ୍ଵରର ପୂର୍ବତଟ ରେଳବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ଶ୍ୟାମ ସୁନ୍ଦର ସାରା ଓଡିଶା ପାଇଁ ଗୌରବ ଆଣିଛନ୍ତି। ଶ୍ୟାମସୁନ୍ଦରଙ୍କ ଦ୍ଵାରା ଅଙ୍କନ କରାଯାଇଥିବା ଚିତ୍ରକୁ ରେଳବିଭାଗର ସଫଳତା ପୁସ୍ତିକାର କଭର ଭାବେ ସ୍ଥାନ ଦିଆଯାଇଛି।
କେନ୍ଦ୍ରରେ ଏନ.ଡି.ଏ ସରକାରଙ୍କ 4ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ମନ୍ତ୍ରଣାଳୟ ନିଜ ନିଜର ସଫଳତାର ବିବରଣୀ ପୁସ୍ତିକା ପ୍ରସ୍ତୁତ କରିଥିବାବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏହି ସଫଳତା ପୁସ୍ତିକାରେ ଶ୍ୟାମ ସୁନ୍ଦରଙ୍କ ଦ୍ଵାରା ଅଙ୍କାଯାଇଥିବା ପେଣ୍ଟିଙ୍ଗଟି କଭର ଭାବେ ପ୍ରକାଶ କରାଯାଇଛି।
ଗତ ସୋମବାର ଦିନ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ଦ୍ଵାରା ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପୁସ୍ତିକାର ଏହି କଭର ପେଜଟି ଲୋକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ରେଳବିଭାଗ ପକ୍ଷରୁ ଗାନ୍ଧୀଜୀଙ୍କର 150ତମ ଜନ୍ମ ବାର୍ଷିକ ପାଳନ କରାଯାଉଥିବା ବେଳେ,ମହାତ୍ମା ଗାନ୍ଧୀ ଟ୍ରେନରୁ ବାହାରୁଥିବା ସମୟରେ ଲୋକମାନେ ତାଙ୍କୁ ସ୍ଵାଗତ କରୁଥିବା ସମୟର ଚିତ୍ରଟିକୁ ସମସ୍ତେ ବହୁତ ପ୍ରଶଂସା କରୁଛନ୍ତି।
ଶ୍ୟାମ ସୁନ୍ଦର ପୂର୍ବରୁ ଦିଲ୍ଲୀରେ ଆୟୋଜିତ ଇଣ୍ଟର-ରେଲୱେ ପେଣ୍ଟିଙ୍ଗ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ପ୍ରଥମ ପୁରସ୍କାର ପାଇଥିଲେ ଓ ଲୋକଲୋଚନାକୁ ଆସିଥିଲେ। ଗତ ସୋମବାର ଦିନ ଶ୍ୟାମ ସୁନ୍ଦର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ଓ କହିଥିଲେ ଯେ, “ ମୁଁ ଗତ 10 ବର୍ଷ ହେବ ପିଅନ ଭାବରେ କାର୍ଯ୍ୟ କରିଆସୁଛି ଓ ଏହା ହେଉଛି ମୋ ପାଇଁ ସବୁଠୁ ବଡ ମୂହୁର୍ତ୍ତ।“
ଏହା ବ୍ୟତୀତ ଶ୍ୟାମ ସୁନ୍ଦର କହିଥିଲେ ଯେ,” କଭର ପାଇଁ ଚୟନ ହୋଇଥିବା ତାଙ୍କର ପେଣ୍ଟିଙ୍ଗ ହେଉଛି ତାଙ୍କ ଦ୍ଵାରା ପଠାଯାଇଥିବା ତୃତୀୟ ପେଣ୍ଟିଙ୍ଗ। ପୂର୍ବରୁ ପଠାଇଥିବା ଦୁଇଟି ପେଣ୍ଟିଙ୍ଗ ଖାରଜ କରଯାଇଥିଲା। ପ୍ରଥମ ପେଣ୍ଟିଙ୍ଗରେ ମହାତ୍ମାଗାନ୍ଧୀ ଓ ଲୋକମାନେ କ୍ୟାମେରା ଆଡକୁ ଚାହିଁଥିବା ଅନାଇଥିବାର ଚିତ୍ର ଅଙ୍କନ କରାଯାଇଥିବା ବେଳେ ଦ୍ଵିତୀୟ ଚିତ୍ରରେ ମହାତ୍ମାଗାନ୍ଧୀଙ୍କ ମୁହଁ ସ୍ପଷ୍ଟ ଜଣାପଡୁନଥିଲା ବୋଲି ଖାରଜ କରଯାଇଥିଲା।
35 ବର୍ଷୀୟ ଶ୍ୟାମ ସୁନ୍ଦର ଉତ୍କଳ ୟୁନିଭରସିଟିରେ କଳା ଓ କାରିଗରୀ ବିଭାଗରେ ସ୍ନାତକୋତ୍ତର ପାସ କରିଛନ୍ତି। ନିଜର ଏହି ସଫଳତା ପାଇଁ ବହୁତ ଖୁସି ଥିବା ଶ୍ୟାମ କହିଛନ୍ତି ଯେ, “ରେଳମନ୍ତ୍ରୀ ମତେ ପ୍ରଶଂସା କରି କହିଲେ ଯେ ପେଣ୍ଟିଙ୍ଗଟି ବହୁତ ସୁନ୍ଦର ହୋଇଛି। ସେହି ସମୟରେ ମତେ ବହୁତ ଗର୍ବ ଅନୁଭବ ହୋଇଥିଲା। “