- Deepti Moyee mohanty
ରଜରେ କରନ୍ତୁ ନୂଆ ଷ୍ଟାଇଲର ପିଠା :ଚକୁଳି ପିଜା, ଷ୍ଟଫ କାକରା

ବିନା ପିଠା ପଣାରେ ରଜ ମଉଜ ଫିକା ଫିକା ଲାଗେ। ପୂର୍ବରୁ ପାରମ୍ପରିକ ପିଠା ହେଉଥିବା ବେଳେ ବର୍ତ୍ତମାନ ନୂଆ ରଙ୍ଗ ସହିତ ତାଳ ଦେଇ ଆଧୁନିକ ଯୁଗର କିଛି ପିଠା ମଉଜରେ ସାମିଲ ହେଲାଣି ।
ପାରମ୍ପରିକ ପିଠା ମଧ୍ୟରେ ବିଭିନ୍ନ ପ୍ରକାର ପିଠା ରହିଛି ଯେମିତିକି ଗୁଡ ଆରିସା, ସୁଜି କାକରା, ନଡିଆ ପୁର ଦିଆ କାକରା, ଛେନା ପୁରା ଦିଆ କାକରା ପିଠା, ପୁର ଦିଆ ଚକୁଳି ପିଠା, ଚିତଉ ପିଠା,ପୋଡା ପିଠା,ମଣ୍ଡା ପିଠା ଇତ୍ୟାଦି।
କିନ୍ତୁ ବର୍ତ୍ତମାନର ଅଧୁନିକ ଜୀବନ ଶୈଳୀରେ ସମସ୍ତ ପାରମ୍ପରିକ ପିଠାରେ ଆଧୁନିକର ଛାପ ପଡିସାରିଛି। କାରଣ ଆଜିକାଲି ଲୋକମାନେ ଫିଟ ରହିବା ପାଇଁ ହେଉ ବା ମଧୁମେହ ରୋଗ ପାଇଁ ମିଠା କମ ଖାଇବା ହେତୁ ପିଠାପଣାର ପ୍ରସ୍ତୁତିରେ ପରିବର୍ତ୍ତନ ଆସିଛି ।
ଆସନ୍ତୁ ଜାଣିବା ନିଜ ସ୍ଵାସ୍ଥ୍ୟକୁ ନ ବିଗାଡି ଆପଣ କିପରି ପିଠା ପ୍ରସ୍ତୁତ କରିପାରିବେ ।
ଚକୁଳି ପିଜା: ଆପଣ ନଡିଆ ପୁରା ଦେଇ ମିଠା ଚକୁଳି ପିଠା କରିପାରିବେ ନତୁବା ଭଜା ପିଆଜ ଓ ଲଙ୍କା ପୁର ଦେଇ କିମ୍ବା ଚକୁଳି ପିଠା ଉପରେ ଭଜା ପିଆଜ ଓ ଲଙ୍କା ଦେଇ ଓ ଉପରେ କିଛି ଚିଜ୍ ପକାଇ ଚକୁଳି ପିଜା ବନେଇପାରିବେ।
ଷ୍ଟଫ୍ କାକରା : ଆପଣ ନଡିଆ ଅବା ଛେନା ଦେଇ ମିଠା କାକରା କରିପାରିବେ । ଯଦି ଆପଣ ମିଠା ପସନ୍ଦ କରନ୍ତି ନାହିଁ ତେବେ ଯେକୌଣସି ମିକ୍ସ ପରିବା ଭଜାକୁ ସୁଜି ମଧ୍ୟରେ ପୁର ଦେଇ ଛାଣି କାକରା ପିଠା ପ୍ରସ୍ତୁତ କରିପାରିବେ।
ମଣ୍ଡାପିଠା:ପୂର୍ବରୁ ଆପଣ ଯେଉଁ ନଡିଆ,ଛେନା ଅବା ମୁଗ ପୁରଦେଇ ମଣ୍ଡାପିଠା ପ୍ରସ୍ତୁତ କରୁଥିଲେ ତାହା କରିପାରିବେ। ତେବେ ସ୍ଵାସ୍ଥ୍ୟକର ବିକଳ୍ପ ପାଇଁ ଆପଣ ବିଟ,ଗାଜର,ଫୁଲକୋବି,ବିନ,ବୁଟ,ପନୀର,ପିଆଜ ଆଦି ସିଝାଇ ଏହାର ମିଶ୍ରଣରେ ପ୍ରସ୍ତୁତ ପୁର ଦେଇ ମଧ୍ୟ ମଣ୍ଡାପିଠା ପ୍ରସ୍ତୁତ କରିପାରିବେ। ଏହା ଶରୀର ପାଇଁ ଖୁବ ହିତକର।
ପୋଡପିଠା: ଆପଣ ପାରମ୍ପରିକ ଢଙ୍ଗରେ ପୋଡପିଠା ପ୍ରସ୍ତୁତ କରିପାରିବେ। ତେବେ ଯଦି ଭିନ୍ନ କିଛି କରିବାକୁ ଚାହୁଁଥାନ୍ତି ତେବେ ଚୋକଲେଟ ପାଉଡର ମିଶା ପୋଡ ପିଠା ତିଆରି କରି ପାରିବେ କିମ୍ବା ଗାଜର ,ଅମୃତଭଣ୍ଡା,କନ୍ଦମୂଳ ଓ କଖାରୁରୁ ପୋଡପିଠା ପ୍ରସ୍ତୁତ କରିପାରିବେ। ଏହା ଶରୀରପାଇଁ ହିତକର ହେବା ସହ ପାଟିକୁ ଖୁବ ସୁଆଦିଆ ଅଟେ।