- padmabati kund
ମଧ୍ୟାହ୍ନ ଭୋଜନ ସମୟରେ ଟ୍ରେନ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ମାଗଣା ଖାଇବା

ନିକଟରେ ରେଳବିଭାଗ ତରଫରୁ ଏକ ନୂତନ ନିୟମ ସାମୟିକ ଭାବେ ପ୍ରଚଳନ କରାଯାଇଛି। ରେଳପଥ ଅନ୍ତର୍ଗତ ସମସ୍ତ ଗୁରୁତ୍ଵପୂର୍ଣ୍ଣ ମରାମତି ତଥା ରକ୍ଷଣାବେକ୍ଷଣା କାର୍ଯ୍ୟ ଚାଲୁ ରହିବା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ସମୟରେ ଯଦି ଟ୍ରେନ ବିଳମ୍ବ ହୁଏ ତେବେ ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯିବ।
ଗତ ସୋମବାର ଦିନ ଏକ ପ୍ରେସ କନଫରେନ୍ସରେ ରେଳମନ୍ତ୍ରୀ ପୀୟୂଷ ଗୋୟେଲ କହିଛନ୍ତି ଯେ, “ଆସନ୍ତା ଅଗଷ୍ଟ ମାସରୁ ରେଳପଥର ସମସ୍ତ ଗୁରୁତ୍ୱପୂର୍ଣ୍ଣ ମରାମତି ଓ ରକ୍ଷଣାବେକ୍ଷଣା କାର୍ଯ୍ୟ ଆରମ୍ଭ ହେବ। ଏହି ମରାମତି କାମ ଅନ୍ୟ ଦିନମାନଙ୍କରେ ସାମୟିକ ଭାବରେ କରାଯିବ ମାତ୍ର ଛୁଟିଦିନ ମାନଙ୍କରେ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁ ରହିବ। ତେଣୁ ଖାଇବା ସମୟରେ ଯଦି ଟ୍ରେନ ପ୍ରଭାବିତ ହୋଇ ବିଳମ୍ବ ହୁଏ ତେବେ ସରଂକ୍ଷିତ (ରିଜର୍ଭ) ବଗିର ଯାତ୍ରୀମାନଙ୍କୁ ମାଗଣାରେ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯିବ।“
ପାସେଞ୍ଜର ବଗିର ଯାତ୍ରୀମାନଙ୍କୁ ଏହି ସୁବିଧା ମିଳିବ କି ନାହିଁ ସେନେଇ ଆଗକୁ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଭାବରେ କୋଚ ଫ୍ୟାକ୍ଟରୀ ଗୁଡିକର ଉତ୍ପାଦନ ବୃଦ୍ଧି କରିବା ପାଇଁ ମଧ୍ୟ ଗତ ସୋମବାର (ଜୁନ୧୫) ଦିନ ଆୟୋଜନ କରାଯାଇଥିବା ସମୀକ୍ଷା ବୈଠକରେ ଆଲୋଚନା କରଯାଇଥିଲା।
ରେଳପଥର ଏହି ମରାମତି କାର୍ଯ୍ୟ ଛୁଟିଦିନ ଗୁଡିକରେ ଅଧିକ ସମୟ ହେବା ଯୋଗୁ ରବିବାରରେ ଯାତ୍ରା କରୁଥିବା ଯାତ୍ରୀମାନେ ଅନେକ ଅସୁବିଧା ମଧ୍ୟ ଭୋଗ କରିବେ।ଏହାର କାରଣ ନିର୍ଦ୍ଧାରିତ ସମୟଠାରୁ ଟ୍ରେନ ବିଳମ୍ବରେ ଚାଲିବ। ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ଏହି କାର୍ଯ୍ୟ ଆରମ୍ଭ ହୋଇଯିବ ଓ ଏହାଦ୍ୱାରା କେଉଁ କେଉଁ ଟ୍ରେନ ପ୍ରଭାବିତ ହେବ ତାହାକୁ ଚିହ୍ନଟ କରାଯିବ ବୋଲି ଗୋୟେଲ କହିଛନ୍ତି।
ରେଳ ଚଳାଚଳ ସମୟରେ ଯଦି ପରିବର୍ତ୍ତନ କରାଯାଏ ତେବେ ଯାତ୍ରୀମାନଙ୍କୁ ବିଳମ୍ବ ବିଷୟରେ ଏସ.ଏମ.ଏସ କରି ଅବଗତ କରାଯିବ। ଯଦି ଯାତ୍ରୀମାନେ ଚାହାନ୍ତି ତେବେ ଜିପିଏସ ବ୍ୟବସ୍ଥାରେ ଟ୍ରେନର ନମ୍ବର ଟାଇପ କରି ଟ୍ରେନ କେତେ ଦୂରତାରେ ଅଛି ବୋଲି ଜାଣିପାରିବେ।