- padmabati kund
ମହିମାଙ୍କୁ ଜଗିବାକୁ ଆସିଥିବା ଗାର୍ଡ ତାଙ୍କ ପ୍ରାଇଭେଟ ପ୍ଳେନରେ ଯାଇ ହେଲେ ଗିରଫ

ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଥିବା ଶିଳ୍ପପତି ମହିମା ମିଶ୍ରଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ସୁରକ୍ଷାଗାର୍ଡଙ୍କୁ ମହିମାଙ୍କ ପ୍ରାଇଭେଟ ଚାଟାର୍ଡ ପ୍ଳେନରେ ଯାଉଥିବାବେଳେ ଭୁବନେଶ୍ଵର ଏୟାରପୋର୍ଟରୁ ଗିରଫ କରାଯାଇଛି। ଏହି ସୁରକ୍ଷାଗାର୍ଡଙ୍କ ନିକଟରୁ ୨୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି ଓ ବିମାନ ବନ୍ଦର ସୁରକ୍ଷା କର୍ମୀ ତାଙ୍କୁ ପୋଲିସ ଜିମା ଦେବାପରେ, ଦାୟିତ୍ଵରେ ଅବହେଳା ପ୍ରଦର୍ଶନ କରି ବେଆଇନ କାର୍ଯ୍ୟରେ ଲିପ୍ତଥିବା ଏହି ସୁରକ୍ଷାଗାର୍ଡଙ୍କୁ ଗିରଫ କରିବା ସହ ଚାକିରୀରୁ ନିଲମ୍ବିତ କରାଯାଇଛି।
ଗତ ବୁଧବାର ରାତି ୮ଟାରେ ଭୁବନେଶ୍ଵର ଏୟାରପୋର୍ଟରେ ଦିଲ୍ଲୀ ଯାଉଥିବା ଧନଞ୍ଜୟ ଦତ୍ତ(୪୯) ସାଙ୍ଗରେ ଗୁଳି ନେଇଯିବାର କୌଣସି ପ୍ରମାଣପତ୍ର ଦେଖାଇ ପାରିନଥିଲେ।ଏନେଇ ବିମାନ ସୁରକ୍ଷାକର୍ମୀ ଏୟାରଫିଳ୍ଡ ଥାନାକୁ ଖବର ଦେଇଥିଲେ।
କଟକ ରିଜର୍ଭ ପୁଲିସର ହାବିଲଦାର ଭାବେ କାର୍ଯ୍ୟରତ ଥିବା ଧନଞ୍ଜୟ କିଛିଦିନ ହେବ ଏମ୍ସରେ ମହିମା ମିଶ୍ରଙ୍କୁ ଜଗିବା ଡ୍ୟୁଟି କରୁଥିଲେ। ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ବନ୍ଧୁକ ଓ ଗୁଳି ପ୍ରଦାନ କରଯାଇଥିଲା। କିନ୍ତୁ ହାବିଲଦାର ଜଣକ ବିଭାଗରେ କୌଣସି ଛୁଟି ଆବେଦନ ନକରି ଦିଲ୍ଲୀ ବୁଲିବାକୁ ବାହାରିଥିଲେ। ପୋଲିସ ବିଭାଗରୁ କୌଣସି ଛୁଟି ଆବେଦନ ନକରି ନିଜ ସହିତ ୨୦ଜୀବନ୍ତ ଗୁଳି ନେଇ ରାଜ୍ୟ ବାହାରକୁ ଯାଉଥିଲେ।
ପାରାଦୀପ ସିୱେଜ ସିପିଂ କମ୍ପାନୀର ଜିଏସ ମହେନ୍ଦ୍ର ସ୍ଵାଇଁଙ୍କ ହତ୍ୟା ଘଟଣାରେ ପୋଲିସ ଶିଳ୍ପପତି ମହିମା ମିଶ୍ରଙ୍କୁ ଥାଇଲାଣ୍ଡରୁ ଗିରଫ କରିଥିଲା। ସ୍ଵାସ୍ଥ୍ୟବସ୍ଥା ଖରାପ ଥିବାରୁ କିଛିଦିନ ତଳୁ ମହିମା ମିଶ୍ର ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଥିଲେ। ମହିମା ମିଶ୍ରଙ୍କୁ ଜଗିବା ପାଇଁ ହାବିଲଦାର ଧନଞ୍ଜୟ ଦତ୍ତଙ୍କୁ ଡ୍ୟୁଟି ଦିଆଯାଇଥିଲା। ହେଲେ ଏହି କାର୍ଯ୍ୟରତ ହାବିଲଦାର ନିଜ ଡ୍ୟୁଟି ଛାଡି କିପରି ଓ କେଉଁ ପରିସ୍ଥିତିରେ ଏତେ ମହଙ୍ଗା ଚାଟାର୍ଡ ପ୍ଳେନରେ ଦିଲ୍ଲୀ ଯିବାପାଇଁ ବାହାରିଥିଲେ ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।
ଏତେ ମହଙ୍ଗା ଚାଟାର୍ଡ ପ୍ଳେନ ଓ ଜୀବନ୍ତ ଗୁଳି ନେଇ ଦିଲ୍ଲୀ ଯିବାର ମୁଖ୍ୟ କାରଣ କଣ ହୋଇପାରେ, ଏଥିପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି କହିଛନ୍ତି କମିଶନରେଟ ପୋଲିସ।