- padmabati kund
ଜାଣନ୍ତୁ : କଣ ପାଇଁ ବନ୍ଦ ହେଇପାରେ ମୋବାଇଲ ନମ୍ବର ପୋର୍ଟ ସେବା

ଭାରତ ସରକାରଙ୍କ ଟେଲିକମ ବିଭାଗ ମୋବାଇଲ ନମ୍ବର ପୋର୍ଟେବିଲିଟି ସେବା (ନମ୍ବର ନ ବଦଳେଇ କମ୍ପାନୀ ବଦଳେଇବା ସୁବିଧା) ନିମନ୍ତେ ଉଦ୍ଦିଷ୍ଟ ଦରକୁ ଟ19ରୁ ହ୍ରାସ କରି ଟ4 କରି ଦେଇଥିବାରୁ, କମ୍ପାନୀମାନେ ଆଉ ଏହି ସେବା ପ୍ରଦାନ କରିବାକୁ ଇଚ୍ଛୁକ ହେଇ ନ ପାରନ୍ତି । ଏ ସଙ୍କ୍ରାନ୍ତରେ ଦୁଇଟି ପୋର୍ଟ କରୁଥିବା ସଂସ୍ଥା ଭାରତ ସରକାରଙ୍କ ଟେଲିକମ ବିଭାଗକୁ ପତ୍ର ଲେଖିଛନ୍ତି।
ଆଗାମୀ ବର୍ଷ 2019 ମାର୍ଚ୍ଚ ମାସପରଠାରୁ ଯେଉଁ ବ୍ୟକ୍ତିମାନେ ନିଜ ମୋବାଇଲ ନମ୍ବରକୁ ଗୋଟିଏ ଅପରେଟରରୁ ଅନ୍ୟ ଅପରେଟରକୁ ପୋର୍ଟ କରିବାକୁ ଚାହିଁବେ ସେମାନେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାରଣ ଗତ ଜାନୁୟାରୀ ମାସରେ ଡ଼ିପାର୍ଟମେଣ୍ଟ ଅଫ ଟେଲିକମ ତରଫରୁ ପ୍ରଚଳିତ କରାଯାଇଥିବା ନିୟମକୁ ଟେଲିକମ ଅପରେଟରମାନେ ବିରୋଧ କରିବା ପାଇଁ ଯାଉଛନ୍ତି।
ଟେଲିକମ କମ୍ପାନୀଙ୍କୁ ନମ୍ବର ପୋର୍ଟେବିଲିଟି ସେବା ପ୍ରଦାନ କରୁଥିବା ଏମ.ଏନ.ପି ଇଣ୍ଟରକନେକ୍ସନ ଟେଲିକମ ସଲ୍ୟୁସନ ଓ ସିନିଭର୍ସ ଟେକ୍ନୋଲୋଜି ତରଫରୁ ଡ଼ିପାର୍ଟମେଣ୍ଟ ଅଫ ଟେଲିକମକୁ ପତ୍ର ଲେଖାଯାଇଛି ଯେ,
"ମୋବାଇଲ ନମ୍ବର ପୋର୍ଟେବିଲିଟି ପାଇଁ କମ କରାଯାଇଥିବା ଦର ଦ୍ୱାରା କମ୍ପାନୀ ବହୁତ କ୍ଷତି ସହିତ। ଆଗାମୀ ବର୍ଷ ମାର୍ଚ୍ଚ ମାସରେ ଲାଇସେନ୍ସ ସରିବା ପରେ ଆଉ ପୋର୍ଟେବିଲିଟି କରିବେ ନାହିଁ।"
ଡ଼ିପାର୍ଟମେଣ୍ଟ ଅଫ ଟେଲିକମ ତରଫରୁ ମିଳିଥିବା ତଥ୍ୟ ଅନୁସାରେ ବିଗତ କିଛି ବର୍ଷ ମଧ୍ୟରେ ପୋର୍ଟ ପାଇଁ ଆବେଦନ ସଂଖ୍ୟା ବଢିବାରେ ଲାଗିଛି। ମୁଖ୍ୟତଃ 2016 ମସିହାରେ ରେଲିଆନ୍ସ ଜିଓ ଲଞ୍ଚ କରିବାପରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଥିଲା। ଗତ 8 ବର୍ଷ ମଧ୍ୟରେ ମୋଟ 370.83 ବିଲିୟନ ଗ୍ରାହକ ନମ୍ବର ପୋର୍ଟେବିଲିଟି କରିସାରିଲେଣି।
ସାଉଥ ଏବଂ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ପରିଚାଳିତ ଏମ.ଏନ.ପି ଇଣ୍ଟରକନେକ୍ସନ ପୋର୍ଟ କହିଛି ଯେ , "ସେ ନିଜର ଲାଇସେନ୍ସ ସରକାରଙ୍କ ଟେଲିକମ ବିଭାଗକୁ ଫେରସ୍ତ କରିଦେବ ଓ ମୋବାଇଲ ନମ୍ବର ପୋର୍ଟେବିଲିଟି କରିବ ନାହିଁ।"
ସେହିପରି ପଶ୍ଚିମ ଓ ଉତ୍ତର ଭାରତ ଦ୍ୱାରା ପରିଚାଳିତ ସିନିଭର୍ସ କହିଛି ଯେ, "ଉଭୟ କମ୍ପାନୀ ସରକାରଙ୍କର ଏହି ମନମୁଖୀ କାମ ପାଇଁ କୋର୍ଟ ର ଦ୍ୱାରସ୍ଥ ହେବ।"