• Deepti Moyee mohanty

ରାଜ୍ୟର ତିନି  ସ୍ଥାନକୁ ଚାଲିବ ସି-ପ୍ଲେନ ସେବା


କେନ୍ଦ୍ର ବେସାମରିକ ବିମାନ ଚଳଚଳ ମନ୍ତ୍ରାଳୟ ଏବେ ବିଭିନ୍ନ ଉପକୂଳ ଜିଲ୍ଲାମାନଙ୍କରେ ବିମାନ ବନ୍ଦର ସ୍ଥାପନ ପାଇଁ ଯୋଜନା ଚଳାଇ ଥିବାବେଳେ ସ୍ପାଇସ ଜେଟ ଓଡିଶାର ୩ଟି ସ୍ଥାନକୁ ବିମାନ ସେବା ଆରମ୍ଭପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି।

ସ୍ପାଇସ ଜେଟ କମ୍ପାନୀ ତରଫରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ପତ୍ରଲେଖି ରାଜ୍ୟର ୩ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ବିମାନ ଯାତାୟାତ ସେବା ଆରମ୍ଭକରିବାପାଇଁ ଅନୁରୋଧ କରାଯାଇଛି। 

ଉକ୍ତ ଅନୁରୋଧ ପତ୍ର କ୍ରମେ ଭୁବନେଶ୍ଵରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ଵରରୁ ଚାନ୍ଦିପୁର ଭାୟା ଭିତରକନିକା ଓ ଭୁବନେଶ୍ଵରରୁ ହୀରାକୁଦ ଡ୍ୟାମକୁ ସି-ପ୍ଳେନ ଅବା ପାଣିରେ ଉଡାଣ କରିପାରୁଥିବା ବିମାନ ଚଳଚଳ ଆରମ୍ଭ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି ।

ସ୍ପାଇସ ଜେଟ ଲିମିଟେଡ ଅଧ୍ୟକ୍ଷଙ୍କ ପରାମର୍ଶଦାତା ଶାନ୍ତନୁ କଳିତା ମୁଖ୍ୟ ସଚିବଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ରାଜ୍ୟର ବିଭିନ୍ନ ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ବିମାନବନ୍ଦର ଓ ରନୱେ ଅଭାବ ହେତୁ ବିମାନ ଯୋଗାଯୋଗ ସେବା ପ୍ରାରମ୍ଭ କରିବାରେ ବାଧା ଉପୁଜୁଛି। ତେବେ ପର୍ଯ୍ୟଟନ ଓ ବ୍ୟବସାୟ ଦ୍ରୁଷ୍ଟି କୋଣରୁ କମ୍ପାନୀ ଭୁବନେଶ୍ଵରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ଵରରୁ ଚାନ୍ଦିପୁର ଭାୟା ଭିତରକନିକା ଓ ଭୁବନେଶ୍ଵରରୁ ହୀରାକୁଦ ଡ୍ୟାମକୁ ସି-ପ୍ଳେନ ଚଳାଇବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିସାରିଛି ।

ଦେଶର ଅନ୍ୟ ସ୍ଥାନ ମାନଙ୍କୁ ସି-ପ୍ଳେନ ମାଧ୍ୟମରେ ଯୋଡିବା ପାଇଁ କମ୍ପାନୀର ଯୋଜନା ରହିଥିବା ବେଳେ ଓଡ଼ିଶାକୁ ବିଶେଷ ଗୁରୁତ୍ଵ ଦିଆଯାଉଥିବା ନେଇ କମ୍ପାନୀ ପରାମର୍ଶଦାତା କାଲିତା କହିଛନ୍ତି। ପୂର୍ବରୁ ସରକାର ଗୋଆ ଓ ଗୁଜୁରାଟ ଉପକୂଳରେ ସି-ପ୍ଳେନ ଚଳାଚଳ ନେଇ ନିର୍ଦ୍ଦେଶ ଦେଇଥିବାବେଳେ ଓଡିଶା ଉପକୂଳରେ ସି-ପ୍ଳେନ ଚଳାଚଳ ଆରମ୍ଭ ପାଇଁ ଯୋଜନା ରଖିଛନ୍ତି।

ଉକ୍ତ ୩ଗୋଟି ରୁଟରେ ବିମାନ ଚଳାଚଳ ଆରମ୍ଭ ପାଇଁ ସ୍ପାଇସ ଜେଟ ପକ୍ଷରୁ ବିସ୍ତ୍ରୁତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରାଯାଇଛି।କମ୍ପାନୀ ତରଫରୁ ପ୍ରଦତ୍ତ ପ୍ରସ୍ତାବକୁ ଅନୁଧ୍ୟାନ କରିବାପାଇଁ ସାଧାରଣ ପ୍ରଶାସନ ବିଭାଗ ପର୍ଯ୍ୟଟନ ବିଭାଗକୁ ଦାୟିତ୍ଵ ଦେଇଛି।

ଚିଲିକା ପ୍ରସ୍ତାବ

ଭାରତୀୟ ବିମାନ ପ୍ରାଧିକରଣ (ଏଏଆଇ) ଅଧିକାରୀଙ୍କ କହିବା ଅନୁସାରେ ଭୁବନେଶ୍ଵରରୁ ଚିଲିକା ବିମାନ ଚଳାଚଳ ପ୍ରସଙ୍ଗକୁ କେନ୍ଦ୍ର କରି ତାଙ୍କର ଏକ ବୈଷୟିକ ଟିମ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଛି। ତେବେ ଚିଲିକା ଠାରେ ବିମାନ ସେବା ଆରମ୍ଭ କରିବାରେ ବହୁ ପ୍ରତିବନ୍ଧକ ରହିଛି। ବିଶେଷକରି ଚିଲିକାର ଜୈବବିବିଧତା,ପକ୍ଷୀ ଓ ଡଲଫିନଙ୍କ ସୁରକ୍ଷା ଜରୁରୀ ହୋଇଥିବାରୁ ଏ ନେଇ ଅନୁଧ୍ୟାନ ଚାଲୁରହିଛି। 

ଟିମ ତରଫରୁ ଚିଲିକାଠରେ ବିମାନ ସେବା ଆରମ୍ଭ ନେଇ ଅନୁକୂଳ ରିପୋର୍ଟ ନମିଳିଲେ ସେବା ଆରମ୍ଭକରିବାରେ ସମସ୍ୟା ସୃଷ୍ଟି ହେବ। ପୂର୍ବରୁ ଉକ୍ତ କମ୍ପାନୀକୁ ବିମାନ ଚଳାଚଳ ପାଇଁ ଅନୁମତି ମିଳିଥିବାରୁ ଏଥିରେ  ସରକାରଙ୍କ ସହଭାଗୀତାକୁ ଗୁରୁତ୍ଵ ଦିଆଯିବ ନେଇ କୁହାଯାଇଛି।

#jetplane

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon