• padmabati kund

ଜିମ୍ବାୱେ ଟ୍ୱେଣ୍ଟି୨୦ ସିରିଜ: ପ୍ରଥମ ସ୍ଥାନ ପାଇଁ ପାକିସ୍ତାନ ଓ ଅଷ୍ଟ୍ରେଲିଆ ଭିତରେ ହେବ ଲଢେଇ


ଜିମ୍ବାୱେ, ପାକିସ୍ଥାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲିଠାରୁ (ଜୁଲାଇ୧) ତ୍ରି-କୋଣୀୟ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ ଆଇସିସି ଟ୍ୱେଣ୍ଟି୨୦ ତାଲିକାରେ ସର୍ବପ୍ରଥମ ସ୍ଥାନରେ ଥିବା ପାକିସ୍ଥାନ ଓ ତିନି ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ କଡା ମୁକାବିଲା ହେବାର ଅନୁମାନ କରାଯାଉଛି ।

କାରଣ ଅଷ୍ଟ୍ରେଲିଆ ଏହି ସୀମିତ ଓଭର ଫର୍ମାଟ ଖେଳରେ ଏକ ନମ୍ବରକୁ ଆସିବା ପାଇଁ ପ୍ରାଣପଣେ ଉଦ୍ୟମ କରିବ ଓ ସେହିପରି ପାକିସ୍ଥାନ ନିଜ ସ୍ଥାନ ବଜାୟ ରଖିବାକୁ ସଂଘର୍ଷ କରିବ ।

ଏହି ଟୁର୍ଣ୍ଣାମେଣ୍ଟକୁ ଜିମ୍ବାୱେ ଆୟୋଜନ କରୁଛି। ରବିବାର ଦିନ ଜିମ୍ବାୱେର ହରାରେ ଠାରେ ପ୍ରଥମ ମ୍ୟାଚ ଖେଳାଯିବ।

ବର୍ତ୍ତମାନ ଆଇସିସି ଟ୍ୱେଣ୍ଟି୨୦ ରାଙ୍କିଙ୍ଗରେ ୧୩୧ ପଏଣ୍ଟ ସହିତ ପାକିସ୍ଥାନ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆ ୧୨୨ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି। ଏହି ସିରିଜରେ ଅଷ୍ଟ୍ରେଲିଆ ଯଦି ବିଜୟୀ ହୁଏ ତେବେ ଅଷ୍ଟ୍ରେଲିଆ ଏହି ତାଲିକାର ଶୀର୍ଷ ସ୍ଥାନକୁ ଆସି ପାରିବ ।

କ୍ରିକେଟର ଏହି ଛୋଟ ଫର୍ମାଟରେ ପ୍ରଥମ ସ୍ଥାନରେ ଥିବା ପାକିସ୍ଥାନର ଆତ୍ମବିଶ୍ଵାସ ଭରପୁର ରହିଛି। ପାକିସ୍ଥାନ ଚଳିତ ବର୍ଷ ଖେଳିଥିବା ମୋଟ ୮ଟି ଟି-ଟ୍ୱେଣ୍ଟି ମ୍ୟାଚ ମଧ୍ୟରୁ ମାତ୍ର ଗୋଟିଏ ମ୍ୟାଚ ହାରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜର ଇଂଲଣ୍ଡ ଟୁରରେ ୬ଟି ମ୍ୟାଚ ହାରି ଏହି ସିରିଜ ଖେଳିବା ପାଇଁ ଆସୁଛି।

ଏହି ପରିସ୍ଥିତିରେ ଟି-ଟ୍ୱେଣ୍ଟି ଫର୍ମାଟରେ ଅଷ୍ଟ୍ରେଲିଆ ତାର ୬ଜଣ ମୁଖ୍ୟ ଖେଳାଳୀଙ୍କୁ ହରାଇଛି। ଷ୍ଟିଭେନ ସ୍ମିଥ ଓ ଡେଭିଦ ୱାର୍ଣ୍ଣର ବାସନ୍ଦ ହୋଇଥିବା ବେଳେ ମିଚେଲ ଷ୍ଟାର୍କ, ଯଶ ହାଜଲଉଡ, ପାଟ କୁମିନ୍ସ ଓ ମିଚ ମାର୍ଶ ଶାରୀରିକ ଆଘାତ ପାଇଁ ଦଳରୁ ବାହାରେ ଅଛନ୍ତି।

ପାକିସ୍ଥାନ ଦଳ କିନ୍ତୁ ନିଜର ଅଭିଜ୍ଞ ଖେଳାଳୀ ମାନଙ୍କ ସହିତ ପିଚକୁ ଆସିବ। ନିଜର ବୋଲିଙ୍ଗ ଆଟାକ ପାଇଁ ପରିଚିତ ପାକିସ୍ଥାନ ଦଳ ଏଥର ମଧ୍ୟ ଷ୍ଟାର ପେସ ବୋଲର ମହମ୍ମଦ ଆମିର ଓ ଲେଗ-ସ୍ପିନର ସାହାବ ଖାନଙ୍କ ସହିତ ଖେଳିବ। ଏହା ବ୍ୟତୀତ ବ୍ୟାଟିଙ୍ଗରେ ଟପ ଅର୍ଡରରେ ଫଖର ଜମାନ ଓ ହୁସେନ ତାଲା ଏବଂ ମିଡିଲ ଅର୍ଡରରେ ସରଫରାଜ ଏହେମ୍ମଦ,ମହମ୍ମଦ ହଫୀଜ ଓ ସୋଏବ ମଲ୍ଲିକ ବ୍ୟାଟିଙ୍ଗ କରିବେ।

ବର୍ତ୍ତମାନ ଆଇ.ସି.ସି ଟି-ଟ୍ୱେଣ୍ଟି ରାଙ୍କିଙ୍ଗରେ ଦ୍ଵାଦଶ ସ୍ଥାନରେ ଥିବା ଜିମ୍ବାୱେ ଦଳ ଏହି ସିରିଜରେ ନିଜର ଅଭିଜ୍ଞ ଖେଳାଳୀଙ୍କ ବିନା ଖେଳିବାକୁ ଯାଉଛି,କିନ୍ତୁ ଜିମ୍ବାୱେର ପୂର୍ବ କ୍ୟାପଟେନ ଏଲଟନ ଚିଗୂମ୍ବୁରା ଏହି ସିରିଜ ଖେଳିବେ। ଏହା ବ୍ୟତୀତ ହାମିଲଟନ ମସକଜ୍ଡା, କାଇଲ ଜରଭିସ, ଚମୂ ଚିଭାଭା, ତାରିସାଇ ମୁସକନ୍ଦା,ବ୍ରାଏନ ଚାରି ଓ ବ୍ଲେସିଙ୍ଗ ମୁଜରକାନି ଏହି ସିରିଜ ଖେଳିବେ।

#cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon