- padmabati kund
ଭିଡିଓ : ବଲିଉଡରେ ଶାହରୁଖ ଖାନଙ୍କ 26 ବର୍ଷ

ବଲିଉଡ ଇଣ୍ଡଷ୍ଟ୍ରୀର ବାଦଶାହ ଶାହରୁଖ ଖାନ ବଲିଉଡରେ 26 ବର୍ଷ ପୂର୍ଣ୍ଣ କରିଛନ୍ତି। ଏହି ଉପଲକ୍ଷେ ଆଜି ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଶାହରୁଖ ଖାନ ବଲିଉଡରେ ନିଜର 26ବର୍ଷର ଯାତ୍ରା ବିଷୟରେ କହୁଥିବାର ଦେଖିବାକୁ ମିଳିଛି।
ଶାହରୁଖଙ୍କ ପତ୍ନୀ ଏହି ଭିଡିଓକୁ ଟ୍ଵିଟ କରି ଲେଖିଛନ୍ତି, “26 ବର୍ଷର ଅଭୂଲା ସ୍ମୃତି ।“ ପତ୍ନୀଙ୍କର ଏହି ଟ୍ଵିଟକୁ ଶାହରୁଖ ରିଟ୍ଵିଟ କରିଛନ୍ତି ଓ ଲେଖିଛନ୍ତି ଯେ,” ଆପଣ ସମସ୍ତଙ୍କ ବିନା ଏହି 26 ବର୍ଷର ଯାତ୍ରା ଅସମ୍ପୂର୍ଣ୍ଣ ଅଟେ। ଏହି ଭିଡିଓରେ ଆପଣ ମାନେ ଏହାକୁ କିପରି ସମ୍ଭବ କଲେ ଓ ମତେ କିପରି ଅନୁଭବ ହୋଇଛି ତାହା କହୁଛି।“
ଏହି ଛଅ ମିନିଟର ଭିଡିଓରେ ଶାହରୁଖ ଖାନ ତାଙ୍କ ଜୀବନର ବିଭିନ୍ନ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି। “ଦିୱାନା” ଚଳଚ୍ଚିତ୍ର ଠାରୁ “ଜିରୋ” ଚଳଚ୍ଚିତ୍ର ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଓ ପୁତ୍ର ଆର୍ୟାନ ଏବଂ ଅବରାମଙ୍କ ଜନ୍ମ ବିଷୟରେ ମଧ୍ୟ କହିଛନ୍ତି ।
ଏହି ଭିଡିଓରେ ସେ ନିଜର ଗୁରୁ ତଥା ବନ୍ଧୁ ୟଶ ଚୋପ୍ରାଙ୍କ ମୃତ୍ୟୁ ଏବଂ ୱାଙ୍ଖଡେ ଷ୍ଟାଡିୟମରୁ ବାସନ୍ଦକୁ ନେଇ ଅପ୍ରୀତିକର ଘଟଣାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି। 26 ବର୍ଷ ମଧ୍ୟରେ ଅଭିନୟ କରିଥିବା ସମସ୍ତ ଚରିତ୍ର ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି ଓ ସବୁ ଚରିତ୍ରକୁ ଭଲ ପାଇଥିବାରୁ ଫ୍ୟାନମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।
ଭିଡିଓ ଶେଷରେ ସେ କହିଛନ୍ତି ଯେ, “26 ବର୍ଷ ବିତିଗଲା, କିନ୍ତୁ ଏବେବି ଲାଗୁଛି ଆହୁରି ବହୁତ ବାଟ ଯିବାକୁ ଅଛି। “ ଏହା ସହିତ ନିଜର ସୁପରହିଟ ଫିଲ୍ମ “ଓମ ଶାନ୍ତି ଓମ”ର ଡାଇଲାଗ କହିଛନ୍ତି, “ପିକ୍ଚର ଅଭି ବାକି ହେ ମେରେ ଦୋସ୍ତ”।
ଆସନ୍ତା ଡିସେମ୍ବର ମାସ 21 ତାରିଖରେ ଶାହରୁଖଙ୍କ ଅଭିନୀତ “ଜିରୋ” ରିଲିଜ ହେବାକୁ ଯାଉଛି। ଏଥିରେ ସେ ଜଣେ ଗେଡା ଲୋକର ଚରିତ୍ରରେ ଅଭିନୟ କରୁଛନ୍ତି।