• padmabati kund

ଜାଣନ୍ତୁ : ନୟାଗଡ-ଜଟଣୀ ଟ୍ରେନ ଓ ଭୁବନେଶ୍ଵର ନୂଆ ଷ୍ଟେସନ


ରାଜଧାନୀ ଭୁବନେଶ୍ଵରରେ ଟ୍ରେନ ଚଳାଚଳକୁ ନେଇ ରେଳ ବିଭାଗ ତରଫରୁ ନୂତନ ପଦକ୍ଷେପ ନିଆଯାଇଛି। ଭୁବନେଶ୍ଵର ଷ୍ଟେସନରୁ 14କିମି ଦୂରରେ ରଘୁନାଥପୁର ନିକଟରେ ନିର୍ମାଣ ହେଉଥିବା “ଭୁବନେଶ୍ଵର ନିଉ ଷ୍ଟେସନ" ଚଳିତ ସପ୍ତାହରେ ଖୋଲିବ ଓ ଆଜି (ଜୁଲାଇ 3) ଠାରୁ ଖୋର୍ଦ୍ଧା ରୋଡ-ନୟାଗଡ ଟାଉନ-ଖୋର୍ଦ୍ଧା ରୋଡ ମଧ୍ୟରେ ପାସେଞ୍ଜର ସ୍ପେଶାଲ ଟ୍ରେନ ଚାଲିବ।

ନିଉ ଭୁବନେଶ୍ଵର ଷ୍ଟେସନ

ଆଗକୁ ରଥଯାତ୍ରାକୁ ଆଖିଆଗରେ ରଖି ରେଳ ବିଭାଗ ତରଫରୁ ଏପରି ପଦକ୍ଷେପ ନିଆଯାଇଛି। ଏହି ଭୁବନେଶ୍ଵର ନିଉ ଷ୍ଟେସନରେ କେବଳ ତିନୋଟି ପାସେଞ୍ଜର ଟ୍ରେନ ଯଥା ପୁରୀ-ହାୱଡା-ପୁରୀ ପାସେଞ୍ଜର, ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଓ କଟକ-ବ୍ରହ୍ମପୁର-କଟକ ଅଧିକ ବେଗ ଯୁକ୍ତ ମେମୁ ଟ୍ରେନ ଚାଲିବ।

ଏହି ନିଉ ଷ୍ଟେସନରେ ମୋଟ 7ଟି ପ୍ଲାଟଫର୍ମ ସହିତ 9ଟି ଟ୍ରାକ ରହିଛି। ଏହା ସହିତ ଫୁଟ ଓଭରବ୍ରିଜ, ପ୍ଲାଟଫର୍ମ, ସେଡ଼, ଉଭୟ ସଂରକ୍ଷିତ ଓ ସାଧାରଣ ଟିକେଟ କାଉଣ୍ଟର, ଶୌଚଳୟ, ଯାତ୍ରୀ ବିଶ୍ରାମାଗର, ପ୍ରଶାସନିକ ଦପ୍ତର ନିର୍ମାଣ ହୋଇସାରିଛି।

ନିଉ ଭୁବନେଶ୍ଵର ରେଳ ଷ୍ଟେସନ (ରଘୁନାଥପୁର) କାର୍ଯ୍ୟକ୍ଷମ ହେବାପରେ ଦକ୍ଷିଣ ଭାରତ ଅଭିମୁଖେ ଯାଉଥିବା ଟ୍ରେନ ସେଠାରୁ ଯାତ୍ରା ଆରମ୍ଭ କରିବ ଓ ଭୁବନେଶ୍ଵର ରେଳ ଷ୍ଟେସନରେ ରହଣି କରିବ। ସେହିପରି ଉତ୍ତର ଭାରତକୁ ଯାଉଥିବା ଟ୍ରେନ ଭୁବନେଶ୍ଵର ଷ୍ଟେସନ (ମାଷ୍ଟର କ୍ୟାଣ୍ଟିନ)ରୁ ବାହାରିବ ଓ ନିଉ ଭୁବନେଶ୍ଵର ଷ୍ଟେସନରେ ରହଣି କରିବ।

ଏହାଦ୍ୱାରା ବାରଙ୍ଗ, ଚନ୍ଦ୍ରଶେଖରପୁର, ଶୈଳଶ୍ରୀ ବିହାର, ନୀଳଦ୍ରୀବିହାର, ପଟିଆ, ଡମଣା,ରଘୁନାଥପୁର, ନନ୍ଦନକାନନ,କଟକର ଅଭିନବ ବିଡାନାସୀ ଅଞ୍ଚଳର ଲୋକମାନଙ୍କୁ ପୂର୍ବପରି ଭୁବନେଶ୍ଵର ଷ୍ଟେସନ ଆସିବାକୁ ପଡିବ ନାହିଁ।

ଗତ 2012 ମସିହାରୁ ଏହି ଷ୍ଟେସନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଏହାକୁ ଅନ୍ତର୍ଜାତିକ ଷ୍ଟେସନ କରିବାକୁ ଘୋଷଣ କରଯାଇଥିଲା ମାତ୍ର କାମ ଆରମ୍ଭ ହେବା ପରେ ଏହା ସାଟେଲାଇଟ ଷ୍ଟେସନରେ ପରିଣତ ହେଲା।

ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନରେ ଥିବା ଷ୍ଟେସନରେ ମୋଟ 6ଟି ପ୍ଲାଟଫର୍ମ ରହିଥିବା ବେଳେ ପ୍ରତିଦିନ 140ରୁ ଅଧିକ ଟ୍ରେନକୁ ନିୟନ୍ତ୍ରଣ କରିବା କଷ୍ଟ ହେଉଛି। ଏହି ସମସ୍ୟାକୁ ଦେଖି ଭୁବନେଶ୍ଵର ନିଉ ଷ୍ଟେସନ ନିର୍ମାଣ କରଯାଇଥିଲା ଓ 2016 ମସିହା ସୁଦ୍ଧା ଏହାର କାମ ଶେଷ ହେବାର ଥିଲା ମାତ୍ର ପରବର୍ତ୍ତୀ ସମୟରେ ଏହାର ନିର୍ମାଣ କାର୍ଯ୍ୟ ଧିମେଇ ଯାଇଥିଲା।

ନୟାଗଡ-ଜଟଣୀ ଟ୍ରେନ

ପୂର୍ବତଟ ରେଳପଥ ତରଫରୁ ଆଜିଠାରୁ ଖୋର୍ଦ୍ଧାରୋଡ-ନୟାଗଡ ଟାଉନ-ଖୋର୍ଦ୍ଧା ରୋଡ ମଧ୍ୟରେ ପାସେଞ୍ଜର ସ୍ପେଶାଲ ଟ୍ରେନ-08005 ଚାଲୁହେବ। ଏହି ସପ୍ତାହର ସମସ୍ତ ଦିନ ଯାତ୍ରା କରିବ ଓ କେବଳ ରବିବାର ବନ୍ଦ ରହିବ। ଏହି ଟ୍ରେନଟି ଖୋର୍ଦ୍ଧାରୋଡରୁ ଦିନ12.35ରୁ ବାହାରି ଦିନ 2ଟାରେ ନୟାଗଡ ଟାଉନରେ ପହଞ୍ଚିବ ଓ ଅପରାହ୍ନ 2.30ରୁ ନୟାଗଡ ଟାଉନରୁ ବାହାରି 3.55ରେ ଖୋର୍ଦ୍ଧାରୋଡରେ ପହଞ୍ଚିବ।

#train #newstation #passengertrain

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon