• padmabati kund

ସମାଲୋଚନା ପରେ ହେଲା କାମ: ନୟାପଲ୍ଲୀ ଡ୍ରେନ ସଫା


କିଛିଦିନ ତଳେ ପ୍ରବଳ ବର୍ଷାଯୋଗୁ ଭୁବନେଶ୍ଵରର ନୟାପଲ୍ଲୀ ନିକଟସ୍ଥ ଇସ୍କନ ମନ୍ଦିର ସାମ୍ନାରେ କୃତ୍ରିମ ବନ୍ୟା ସୃଷ୍ଟି ଘଟଣାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ ପ୍ରଶାସନର ଚେତା ପଶିଛି। ଆଜି ଭୁବନେଶ୍ଵର ଡେଭଲପମେଣ୍ଟ ଅଥରିଟି (ବିଡିଏ), ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନ ଓ ନାସିନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ତରଫରୁ ଡ୍ରେନପାଣି ନିଷ୍କାସନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।

ବିଡିଏ ତରଫରୁ ଜାରି ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ଆଜି (ବୁଧବାର) ଇସ୍କନ ମନ୍ଦିର ସାମ୍ନାରେ ବର୍ଷା ଜଳ ନିଷ୍କାସନ ନିମନ୍ତେ ଉଦ୍ଦିଷ୍ଟ ଥିବା ଡ୍ରେନକୁ ସଫା କରାଯାଇଛି ଓ ଡ୍ରେନ ଉପରେ ସିମେଣ୍ଟ ସ୍ଲାବ ରଖି ବ୍ୟବସାୟ କରୁଥିବା ଦୋକାନ ଗୁଡିକୁ ହଟାଇ ଦିଆଯାଇଛି। ଏହା ସହିତ ଡ୍ରେନ ଉପରେ ଜାମ କରୁଥିବା ସାଇନ ବୋର୍ଡ ଓ ବେଆଇନ ଭାବରେ ରାସ୍ତା ଉପରେ ରଖିଥିବା ଗାଡି ଗୁଡିକୁ ମଧ୍ୟ ହଟାଇ ଦିଆଯାଇଛି।

ଇସ୍କନ ମନ୍ଦିର ସାମ୍ନାରେ ଜଳ ନିଷ୍କାସନ ପାଇଁ ଦୁଇଟି ମାର୍ଗ ରହିଛି। ବର୍ଷା ଯୋଗୁଁ ରାସ୍ତାରେ ଯେତିକି ପାଣି ଜମା ହେଉଛି ତାହା ସହଜରେ ଏହା ମଧ୍ୟଦେଇ ନିଷ୍କାସନ ହୋଇଯିବା କଥା । ମାତ୍ର ତଳମୁଣ୍ଡରେ ଏହି ଜଳ ନିଷ୍କାସନ ମାର୍ଗ ଯେଉଠି ଡ୍ରେନକୁ ସଂଯୋଗ କରିଛି ତାହା ବନ୍ଦ ହେଇ ପଡିଥିଲା । ଏହି ବର୍ଷା ଜଳ ନିଷ୍କାସନର ସେଠାରେ କଲଭର୍ଟକୁ ବନ୍ଦ କରି ଦିଆଯାଇଥିଲା। ଏହି ଡ୍ରେନଟି ପ୍ରାୟ 8ବର୍ଗମିଟରର ଆକାରର ହୋଇଥିଲେ ମଧ୍ୟ ମାତ୍ର 1.3ମିଟର ଖୋଲା ସ୍ଥାନ ରହିଥିଲା। ସେଥିଲାଗି ବର୍ଷାପାଣି ଏଠାରେ ଜମି ରହୁଥିଲା।

ଗତ ରବିବାର (ଜୁଲାଇ1) ତାରିଖରେ ହୋଇଥିବା ବର୍ଷାରେ ଇସ୍କନ ମନ୍ଦିର ସାମ୍ନାରେ କୃତ୍ରିମ ବନ୍ୟା ସୃଷ୍ଟି ହେଇ ସ୍ଥାନୀୟ ଲୋକ ଏବଂ ଯାତ୍ରୀଙ୍କୁ ନାକେଦମ କରିଥିଲା। ବର୍ଷାଜଳ କୃତ୍ରିମ ବନ୍ୟାପରି ଲାଗୁଥିଲା ଓ ଅଖାପାଖରେ ଥିବା କାର୍‌, ଅଟୋ ଭାସିଥିଲା। କେତେକ କାର୍‌ରେ ଫସିରହିଥିବା ଯାତ୍ରୀଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ। ଡ୍ରେନ ପାଣିରେ ବୁଡ଼ିଯିବାରୁ କେତେକ ସ୍ଥାନରେ ଖୋଲା ଡ୍ରେନରେ ଲୋକେ ପଡ଼ି ଆହତ ମଧ୍ୟ ହୋଇଥିଲେ।

ଏନେଇ ସୋସିଆଲ ମିଡିଆରେ ମଧ୍ୟ ବହୁତ ସମାଲୋଚନା କରଯାଇଥିଲା। କେହି କେହି ଏହାକୁ ଟାଇଟାନିକ 2 ବୋଲି କହିଥିଲେ ତ ଆଉ କେହି ଏହାକୁ ବିଜୁ ପୋଖରୀ ଯୋଜନା ବୋଲି ମଧ୍ୟ କହିଥିଲେ। ମହାନଦୀ ପାଣି ଭୁବନେଶ୍ଵରକୁ ଆସିଛି ବୋଲି ବ୍ୟଙ୍ଗ କରି କମେଣ୍ଟ ମଧ୍ୟ ଦେଇଥିଲେ।

#city #smartcity

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon