- Deepti Moyee mohanty
ପରମାନେଣ୍ଟ ଟାଟୁ କରିଛନ୍ତି! ଜାଣନ୍ତୁ କିପରି ନେବେ ଯତ୍ନ

ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଟାଟୁ କରିବା ଫ୍ୟାସନ ଏକ ଟ୍ରେଣ୍ଡ ପାଲିଟିଛି। ନିଜକୁ ଷ୍ଟାଇଲିସ୍ ଏବଂ ସ୍ୱତନ୍ତ୍ର ଦେଖାଇବା ପାଇଁ ଏବେ ବହୁ ଯୁବକ-ଯୁବତୀ ଶରୀରର ବିଭିନ୍ନ ଅଂଶରେ ଟାଟୁ କରୁଛନ୍ତି । ଯୁବପିଢ଼ିଙ୍କ ମଧ୍ୟରେ ଟାଟୁର ଚାହିଦା ବଢ଼ିବା ସହ ବଜାରରେ ଟାଟୁ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ତେବେ ଟାଟୁ ଦେଖିବା ପାଇଁ ଯେତିକି ଆର୍କଷଣୀୟ ହୋଇଥାଏ ଏହାକୁ ଶରୀରରେ କରିବା ପାଇଁ ସେତିକି କଷ୍ଟ ମଧ୍ୟ ହୋଇଥାଏ।
ଟାଟୁ ଶରୀରରେ କିଛି ସମୟ ପାଇଁ ରହି ନ ଥାଏ, ଏହାକୁ କରିବା ପରେ ଏହା ଆପଣଙ୍କ ଶରୀରର ଏକ ଅଂଶ ହୋଇ ରହିଥାଏ । ଏଣୁ କେବେ ହେଲେ ତର ତର ହୋଇ ଟାଟୁ କରନ୍ତୁ ନାହିଁ । ସର୍ବଦା ଜଣେ ବିଶେଷଜ୍ଞ ତଥା ଟାଟୁ ଉପରେ ସଠିକ ଜ୍ଞାନ ଥିବା ବ୍ୟକ୍ତିଙ୍କ ଉପଦେଶ ନିଅନ୍ତୁ ଏବଂ ଆପଣ କରିଥିବା ଟାଟୁ କିପରି ଚିରସ୍ଥାୟୀ ହୋଇ ରହିବ ସେପ୍ରତି ଧ୍ୟାନ ଦିଅନ୍ତୁ।
କେମିତି ନେବେ ଯତ୍ନ
୧.ଟାଟୁ କରିବାର ତୁରନ୍ତ ପରେ ଆପଣ ପହଁରିବା,ବ୍ୟାୟାମ କରିବା ଓ ଖରରେ ବାହାରେ ବୁଲିବା ଆଦି କରନ୍ତୁ ନହିଁ। କାରଣ ଏହା ଦ୍ଵାରା ଆପଣଙ୍କ ଟାଟୁଟି ଖରାପ ହୋଇଯିବାର ସମ୍ଭାବନା ରହିଛି। ଟାଟୁର ସାଇଜ ହିସାବରେ ଆପଣ ଅତି କମରେ ୧୦ରୁ ୩୦ଦିନ ପର୍ଯ୍ୟନ୍ତ ଉକ୍ତ ସମସ୍ତ କାର୍ଯ୍ୟରୁ ନିବୃତ ରୁହନ୍ତୁ।
୨.ଯଦି ଆପଣଙ୍କ ଟାଟୁ କରିଥିବା ସ୍ଥାନ କେଶ ସଂସ୍ପର୍ଶରେ ଆସୁଛି ତେବେ ଧ୍ୟାନ ଦିଅନ୍ତୁ ଯେପରି କେଶ ଟାଟୁକୁ ସ୍ପର୍ଶ ନକରେ। ଟାଟୁ ଇନଫେକ୍ସନ ହେବାର ଏହା ଅନ୍ୟ ଏକ ମୂଳ କାରଣ ଅଟେ।
୩.ଟାଟୁର ଯତ୍ନ ଚର୍ମର ଯତ୍ନ ପରି ସମାନ। ଆପଣ ଯେତେ କମ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଅବା ଟାଣ ଖରାରେ ବାହାରକୁ ବାହାରିବେ ଆପଣଙ୍କ ଟାଟୁ ସେତେ ଦିନ ପର୍ଯ୍ୟନ୍ତ ଗାଢ, ସୁନ୍ଦର ଓ ସୁରକ୍ଷିତ ରହିବ।
୪.ଧ୍ୟାନ ଦେବେ ଯେପରି ଟାଟୁ ହୋଇଥିବା ସ୍ଥାନ କଦାପି ଶୁଷ୍କ ନହୁଏ। ତେଣୁ ସର୍ବଦା ଅଧିକ ପାଣି ପିଇବା ଆବଶ୍ୟକ। ଟାଟୁ ଶୁଷ୍କ ହେଲେ ଟାଟୁରୁ ରଙ୍ଗ ଶୀଘ୍ର ଫିକା ପଡିଯାଏ।
୫.ସର୍ବଦା ଟାଟୁ କରିଥିବା ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ ଏବଂ ଅଧିକ ଖାର ଯୁକ୍ତ ସାବୁନ ବ୍ୟବହାରଠାରୁ ଦୂରେଇ ରହିବା ମଧ୍ୟ ଆବଶ୍ୟକ।
୬.ଯଥା ସମ୍ଭବ ପଶମ ବା ଉଲ ଜାତୀୟ ବସ୍ତ୍ର ପରିଧାନ ଠାରୁ ଦୂରେଇ ରୁହନ୍ତୁ। ଏହାର ତନ୍ତୁ ଜାତୀୟ ପଦାର୍ଥ ଚର୍ମ ସଂସ୍ପର୍ଶରେ ଆସି କୁଣ୍ଡାଇ ହେବା ଆରମ୍ଭ ହୁଏ।
୭.ହଠାତ ଓଜନ ବୃଦ୍ଧି କିମ୍ବା ଓଜନ ହ୍ରାସ ହେବା ଦ୍ଵାରା ଟାଟୁ ରେ ପରିବର୍ତ୍ତନ ଆସିଥାଏ। ତେଣୁ ଯଥା ସମ୍ଭବ ନିଜ ଶରୀରର ଓଜନ ନିୟନ୍ତ୍ରଣ ରଖନ୍ତୁ।