• padmabati kund

କୁକୁଡାଙ୍କ ପାଇଁ ବସ କଣ୍ଡକ୍ଟର  କାଟିଲେ ହାଫ ଟିକେଟ


ଭାରତର ମଫସଲ  ଅଂଚଳରେ ଗାଁ ଗହଳି ଲୋକେ ଛେଳି,କୁକୁଡ଼ା ଧରି ବସରେ ଯିବା ଏକ ସାଧାରଣ କଥା। ହେଲେ କର୍ଣ୍ଣାଟକର ଚିକ୍କାବଲାପୁରର ଜଣେ କୃଷକଙ୍କୁ ବସ ଯାତ୍ରାରେ ନିଜ ସହ ସାଙ୍ଗରେ ଥିବା କୁକୁଡାଙ୍କ ପାଇଁ ମଧ୍ୟ ଭଡା ଦେବା କଥା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।

ଚିକ୍କାବଲାପୁର ଜିଲ୍ଲାର  ପେଡନହଲି ଅଞ୍ଚଳରେ ବାସ କରୁଥିବା କୃଷକ ଶ୍ରୀନିବାସ ଗୌରୀବିଦାନୂର ବଜାରରୁ ୩୦୦ଟଙ୍କାରେ ୨ଟି କୁକୁଡା କିଣି ଘରକୁ ଫେରୁଥିଲେ। ଗୌରୀବିଦାନୂରରୁ ତାଙ୍କ ଘର ପର୍ଯ୍ୟନ୍ତ ଯିବା ପାଇଁ ବସ ଟିକେଟ ହେଉଛି ମାତ୍ର 24ଟଙ୍କା। ସେ କଣ୍ଡକ୍ଟର ହାତକୁ 50ଟଙ୍କିଆ ନୋଟ ଦେଇଥିଲେ। କଣ୍ଡକ୍ଟର ତାଙ୍କୁ 26 ଟଙ୍କା ଫେରାଇବା ପରିବର୍ତ୍ତେ ମାତ୍ର 2ଟଙ୍କା ଫେରାଇଥିଲେ।

ମିଳିଥିବା ସୂଚନା ମୁତାବକ ସରକାରୀ ବସରେ ଶ୍ରୀନିବାସ ୨ଟି କୁକୁଡା ନେଇ ଯାତ୍ରା କରୁଥିଲେ । କଣ୍ଡକ୍ଟର ପ୍ରଥମେ କୃଷକଙ୍କ ଟିକେଟ କାଟିଥିଲେ । ମାତ୍ର ପରେ ଜାଣିପାରିଥିଲେ ଯେ, ତାଙ୍କ ସହ ବିନା ଟିକେଟରେ ଆଉ ଦୁଇଟି କୁକୁଡ଼ା ମଧ୍ୟ ଯାତ୍ରା କରୁଛନ୍ତି ।

ଏହାପରେ ସେ ୨ କୁକୁଡ଼ାଙ୍କର ମଧ୍ୟ ଟିକେଟ କାଟି କୃଷକଙ୍କ ହାତକୁ ବଢାଇ ଦେଇଥିଲେ। କଣ୍ଡକ୍ଟର ଜଣଙ୍କ ୨ଟି କୁକୁଡା ପାଇଁ ଦୁଇଟି ହାପ ଟିକେଟ ୧୨-୧୨ ଟଙ୍କା ଲେଖାଏଁ କାଟିଦେଇଥିଲେ। ଏହି ହାଫ ଟିକେଟ ସେହି ଯାତ୍ରୀଙ୍କ ପାଇଁ କଟାଯାଇଥାଏ ଯେଉଁମାନେ 6ବର୍ଷରୁ କମ ହୋଇଥାନ୍ତି, 23ରୁ 30 କେଜି ମଧ୍ୟରେ ହୋଇଥାନ୍ତି ଓ ସିଟରେ ବସିଥାନ୍ତି।

କଣ୍ଡକ୍ଟରଙ୍କ ଠାରୁ 48ଟଙ୍କାର ଟିକେଟ ପାଇ ଶ୍ରୀନିବାସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ କହିଥିଲେ ଯେ ତାଙ୍କ ସହିତ କୌଣସି ଛୋଟ ଛୁଆ ନାହାନ୍ତି। କିନ୍ତୁ କଣ୍ଡକ୍ଟର ଦୁଇ କୁକୁଡାଙ୍କ ଆଡକୁ ହାତ ବଢାଇ କହିଥିଲେ ଯେ ଏହି ହାଫ ଟିକେଟ ହେଉଛି ଏହି କୁକୁଡାଙ୍କ ପାଇଁ। ଏହା ଦେଖି ଅନ୍ୟ ଯାତ୍ରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବହୁ ଯୁକ୍ତି ତର୍କ ପରେ ମଧ୍ୟ ସେ ପଇସା ଫେରାଇ ନଥିଲେ।

ଶ୍ରୀନିବାସଙ୍କ ମତରେ, “ ଆମେ ସାଧାରଣ କୃଷକ ଯାତାୟାତ ପାଇଁ ପବ୍ଲିକ ଯାନବାହାନ ଉପରେ ନିର୍ଭର କରିଥାଉ।ମୋ ସହିତ କେବଳ 2.5 କେଜି ଓଜନର ଦୁଇଟି କୁକୁଡା ଥିଲେ ଯେଉମାନେ କି ମୋ କୋଳରେ ବସିଥିଲେ। ସେମାନଙ୍କ ପାଇଁ ହାଫ ଟିକେଟ କାଟିବା କଥା ଆଶ୍ଚର୍ଯ୍ୟ ଲାଗୁଛି।“

ଉକ୍ତ ଘଟଣାକୁ ନେଇ କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମର ଡିପୋର୍ଟ ମ୍ୟାନେଜର  କହିଛନ୍ତି ଯେ, “ ଶ୍ରୀନିବାସଙ୍କୁ ଟ୍ରାନ୍ସପୋର୍ଟ କର୍ପୋରେସନର ନିୟମ ଅନୁସାରେ ଭଡା ଲାଗୁ କରାଯାଇଛି। ସାଙ୍ଗରେ ଯଦି କୌଣସି ପକ୍ଷୀ କିମ୍ବା ପୋଷା ପଶୁଙ୍କୁ ନେଇ ଯାତ୍ରା କରୁଛନ୍ତି ତେବେ ହାଫ ଟିକେଟ ଅଧିକ ଲାଗିବ। ଯେହେତୁ କଣ୍ଡକ୍ଟରଙ୍କ ପାଖରେ ଥିବା ଇଲେକ୍ଟ୍ରୋନିକ ମେଶିନରେ ପଶୁଙ୍କ ପାଇଁ ଭଡା ବୋଲି ଲେଖିବାକୁ ସୁବିଧା ନଥିଲା ତେଣୁ ସେ ଛୋଟ ପିଲାଙ୍କ ପାଇଁ ଭଡା ବୋଲି ଲେଖିଥିଲେ। “

#oddnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon