- padmabati kund
ବର୍ଷାଦିନରେ କିପରି ଘରକୁ ସଫା ରଖିବେ

ବର୍ଷାଦିନକୁ ସମସ୍ତେ ପସନ୍ଦ କରନ୍ତି କାରଣ ଏହା ଆମକୁ ଗ୍ରୀଷ୍ମଋତୁର ପ୍ରକୋପରୁ ରକ୍ଷାକରେ ଓ ଶୀତଳତା ପ୍ରଦାନ କରେ। ମାତ୍ର ବର୍ଷାଦିନରେ ସବୁଆଡ ଓଦା ହେବା ଯୋଗୁଁ ପରିବେଶ ଅପରିଷ୍କାର ହୋଇଥାଏ। ଯେ ପର୍ଯ୍ୟନ୍ତ ଏହି କାଦୁଅ ଘର ବାହାରେ ଥାଏ ସେ ପର୍ଯ୍ୟନ୍ତ ଏହା ଠିକ ଥାଏ। ମାତ୍ର ଘର ଭିତରକୁ ଏହା ଆସିବା କ୍ଷଣି ଘର ଓଦା ଓ ସନ୍ତସନ୍ତିଆ ରହିଥାଏ। ତେଣୁ ଏହି ଋତୁରେ ଘରକୁ କିପରି ସଫାସୁତରା ରଖିବେ ଏଥିଲାଗି ଜାଣିରଖନ୍ତୁ କିଛି ଉପାୟ।
୧.ଜୋତା ଷ୍ଟାଣ୍ଡକୁ ଦୁଆର ମୁହଁରେ ରଖନ୍ତୁ: ପ୍ରାୟତଃ ପ୍ରତ୍ୟକ ଲୋକ ଜୋତାଷ୍ଟାଣ୍ଡକୁ ଘର ଦୁଆରମୁହଁରେ ରଖିଥାନ୍ତି, ମାତ୍ର କିଛିଲୋକଙ୍କର ଘର ଭିତରେ ଏହା ରହିଥାଏ। ବର୍ଷାଦିନରେ ଅଧିକାଂଶ କାଦୁଅ ଜୋତାରେ ଆସିଥାଏ ଏବଂ ଘର ଭିତରକୁ ଯିବାଆଗରୁ ଗୋଡକୁ ଭଲ ଭାବରେ ଧୁଅନ୍ତୁ।
୨.ଘରକୁ ଶୁଖିଲା ରଖନ୍ତୁ: ବର୍ଷାଦିନରେ ଘରର ଚଟାଣ ସବୁବେଳେ ସନ୍ତସନ୍ତିଆ ରହିଥାଏ। ତେଣୁ ବର୍ଷା ହେଉନଥିବା ସମୟରେ ଝରକା ଓ କବାଟ ଖୋଲା ରଖନ୍ତୁ। ଏହାଦ୍ୱାରା ଘର ମଧ୍ୟକୁ ପବନ ଚଳାଚଳ ହେବ ଓ ଚଟାଣ ଶୁଖିଯିବ। ବାହାରେ ଯଦି ଆପଣ ଓଦା ହେଇ ଆସିଛନ୍ତି ତେବେ ଓଦା କପଡା ପିନ୍ଧି ଘର ଭିତରକୁ ଯାଆନ୍ତୁ ନାହିଁ।
୩.ଜିନିଷପତ୍ର ସଜାଡି ରଖନ୍ତୁ: ଆଲମାରୀରେ ଜିନିଷ ରଖିବା ସମୟରେ ବା ରୋଷେଇଘରେ ଜିନିଷ ରଖିବା ସମୟରେ ପେପର ପକାଇ ରଖନ୍ତୁ,ଏହାଦ୍ୱାରା ଜିନିଷ ଓଦା ହେବନାହିଁ। ସେହିପରି ମେଟାଲ ଗ୍ରୀଲ, କବାଟ କିମ୍ବା ଝରକାକୁ କଳଙ୍କି ନାଲାଗିବା ପାଇଁ ଏଗୁଡ଼ିକୁ ବର୍ଷା ପୂର୍ବରୁ ଭଲରେ ସଫାକରି ରଙ୍ଗ ଦେଇ ଦିଅନ୍ତୁ।
୪.କାଠ କିମ୍ବା ଚମଡାର ବ୍ୟବହାର କମାନ୍ତୁ: ଘରେ ସାଧାରଣତଃ ସୋଫା ଓ ଡାଇନିଙ୍ଗ ଟେବୁଲ କାଠ କିମ୍ବା ଚମଡାର ବ୍ୟବହାର ହୋଇଥାଏ। ବର୍ଷାଦିନେ କାଠ ଓଦାଳିଆ ହୋଇ ଫୁଲିଯାଏ ଓ ଫିମ୍ପି ମାରିଥାଏ। ତେଣୁ ଏହାକୁ ବର୍ଷାଦିନେ ବ୍ୟବହାର କରନ୍ତୁ ନାହିଁ କିମ୍ବା ପଲିସ କରିଦିଅନ୍ତୁ ଓ ଚମଡାର ସୋଫାକୁ ସବୁବେଳେ ସଫା ରଖନ୍ତୁ।
୫.ପୋଷା ଜୀବଜନ୍ତୁଙ୍କର ଯତ୍ନ ନିଅନ୍ତୁ: ଯଦି ଆପଣଙ୍କ ଘରେ କିଛି ପୋଷା ଜୀବଜନ୍ତୁ ଅଛନ୍ତି ତେବେ ଆପଣଙ୍କୁ ବିଶେଷ ଯତ୍ନ ନେବାକୁ ପଡିବ। ବର୍ଷା ସମୟରେ ସେମାନଙ୍କୁ ବାହାରକୁ ଛାଡନ୍ତୁ ନାହିଁ। ପୋଷା ପଶୁଙ୍କୁ କିଛି ସମୟ ବ୍ୟବଧାନରେ ବୁଲାଇ ନିଅନ୍ତୁ ଓ ଘରକୁ ପ୍ରବେଶ କରାଇବା ପୂର୍ବରୁ ଭଲ ଭାବରେ ସଫା କରନ୍ତୁ।