• padmabati kund

ଫେସବୁକ ପାଇଁ ଏହି ଦେଶରେ ଦେବାକୁ ପଡେ ଟାକ୍ସ


ଫେସବୁକ, ହ୍ଵାଟସଅପ, ଭାଇବର ଏବଂ ଟ୍ଵିଟର ପରି ସୋସିଆଲ ମିଡିଆର ବ୍ୟବହାର କଲେ ଦେବାକୁ ପଡିବ ଟାକ୍ସ ।କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏପରି ନିୟମ ଆଫ୍ରିକା ମହାଦେଶର ଉଗାଣ୍ଡା ଦେଶରେ ଲାଗୁ କରାଯାଇଛି। ଦେଶରେ ମିଥ୍ୟା ଖବର ବା ଗୁଜବ ଓ ରାଜସ୍ୱ ବୃଦ୍ଧି ପାଇଁ ଉଗାଣ୍ଡାର ସଂସଦରେ ଏପରି ବିବାଦୀୟ ନିଷ୍ପତ୍ତି ନିଆଯାଇଛି।

ଏହି ନୂତନ ନିୟମ ଅନୁସାରେ ଏହିସବୁ ସୋସିଆଲ ମିଡିଆକୁ ବ୍ୟବହାର କରିବା ପାଇଁ ଦୈନିକ ଭାବରେ 200 ଉଗାଣ୍ଡାନ ଶିଲିଙ୍ଗ (ଟ.3.60 ଭାରତୀୟ ମୁଦ୍ରା) ଦେବାକୁ ପଡିବ। ଏହି ନିୟମ ଗତ ଜୁଲାଇ ମାସ 1 ତାରିଖରୁ ଲାଗୁ ହେଇସାରିଛି।

ଏହି ଟାକ୍ସକୁ ମୋବାଇଲ ଫୋନରେ ଡାଟା ପ୍ୟାକ ଯୋଗଉଥିବା କମ୍ପାନୀ ମାନେ ଆଦାୟ କରିବେ। ଉଗାଣ୍ଡାର ବ୍ୟବହାରକାରୀମାନେ ମୋବାଇଲରେ ବ୍ୟବହାର କରୁଥିବା ଡାଟା ପ୍ୟାକର ଏହା ହେଉଛି 20 ପ୍ରତିଶତ।

ରାଷ୍ଟ୍ରପତି ୟୋବେରି ମୁସେବେନୀ ଉଗାଣ୍ଡାର ଅର୍ଥମନ୍ତ୍ରୀ ମାତିଆ କସାଇଜାଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ, “ସୋସିଆଲ ମିଡିଆରୁ ଆଦାୟ ହେବାକୁ ଥିବା ଏହି ଟାକ୍ସ ରାଷ୍ଟ୍ରର ରାଜସ୍ୱ ବୃଦ୍ଧି କରିବାରେ ସାହାଯ୍ୟ କରିବ ।“ ସୋସିଆଲ ମିଡିଆ ମିଥ୍ୟା ଖବର ଓ ଗୁଜବ ପ୍ରଚାର କରିବାର ବଡ ମାଧ୍ୟମ ଓ ଏହାର ବ୍ୟବହାରରେ ଟାକ୍ସ ଲଗାଇବା ଦ୍ଵାରା ଏହି ଗୁଜବ ପ୍ରଚାରକୁ ରୋକାଯାଇପାରିବ ବୋଲି ରାଷ୍ଟ୍ରପତି ମୁସେବେନୀ ଗତ ମାର୍ଚ୍ଚ ମାସରେ ମନ୍ତବ୍ୟ ଦେଇଥିଲେ।

ଏହାବ୍ୟତୀତ ଉଗାଣ୍ଡା ସରକାର ଆଗକୁ ଆହୁରି ଅନେକ ଟାକ୍ସ ପ୍ରଚଳନ କରିବାକୁ ଯାଉଛନ୍ତି, ଯେପରିକି ଆଗକୁ ମୋବାଇଲରେ ଟଙ୍କା ଦେଣନେଣ କଲେ ମଧ୍ୟ ଉକ୍ତ ରାଶିର ଏକ ପ୍ରତିଶତ ଟାକ୍ସ ଦେବାକୁ ପଡିବ। ଅନୁମାନ କରା ଯାଉଛି ଯେ ଉକ୍ତ ଟାକ୍ସ ଲାଗିବା ଦ୍ଵାରା ଉଗାଣ୍ଡାର ଗରିବ ବର୍ଗର ଲୋକମାନେ ଅଧିକ ପ୍ରଭାବିତ ହେବେ।

ଏହି ନିୟମକୁ ନେଇ ନିଜ ପ୍ରତିକ୍ରିୟା ଦେଇ କମ୍ପାଲାର ଜଣେ ସ୍ଵେଚ୍ଛାସେବୀ ଡିକେନ୍ସ କାମୁଗିସା କହିଛନ୍ତି ଯେ, “ ସୋସିଆଲ ମିଡିଆ ବ୍ୟବହାରରେ ଟାକ୍ସ ଲଗାଇବା ଉଗାଣ୍ଡା ଅଧିବାସୀଙ୍କ ପାଇଁ ଅପମାନ ଅଟେ। ଆମେ ବ୍ୟବହାର କରୁଥିବା ଡାଟା ପ୍ୟାକ ପାଇଁ ସରକାରଙ୍କୁ ଟାକ୍ସ ଦେଉଛି ତେବେ ପୁଣି ଏହି ସୋସିଆଲ ମିଡିଆକୁ ବ୍ୟବହାର କରିବା ପାଇଁ କାହିଁକି ଟାକ୍ସ ଦେବୁ।“

ପୂର୍ବରୁ 2016 ମସିହା ରାଷ୍ଟ୍ରପତି ନିର୍ବାଚନ ସମୟରେ ମଧ୍ୟ ଉଗାଣ୍ଡାରେ ସୋସିଆଲ ମିଡିଆ ବ୍ୟବହାର ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଥିଲା ଓ ମିଥ୍ୟା ପ୍ରଚାରକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିଲା ବୋଲି ରାଷ୍ଟ୍ରପତି ମୁସେବେନୀ କହିଥିଲେ।

#socialmedia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon