- padmabati kund
ରଥରେ,ମାଉସୀମା ମନ୍ଦିରରେ ଲାଗିବ ହୁଣ୍ଡି ବାକ୍ସ

ଶ୍ରୀମନ୍ଦିରରେ ସେବାୟତଙ୍କୁ ଆଉ ଦାନ ଦକ୍ଷିଣା ଦିଆଯିବ ନାହିଁ ଓ ରଥରେ କୌଣସି ସେବାୟତ ଦାନଦକ୍ଷିଣା ଆଦାୟ କରିପାରିବେ ନାହିଁ। ଏ ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଶ୍ରୀମନ୍ଦିର ପ୍ରଶାସନ ଗମ୍ଭୀରତାର ସହ ନେଇଛନ୍ତି।
ଯେଉଁ ସେବାୟତମାନେ ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ କରିବେ ସେମାନଙ୍କୁ ଗିରଫ କରାଯିବ ବୋଲି ଆଦେଶ ଦିଆଯାଇଛି। ସେହିପରି ରଥଯାତ୍ରା ସମୟରେ ରଥ ଉପରେ କିମ୍ବା ଶ୍ରୀଗୁଣ୍ଡିଚା ମନ୍ଦିରରେ ଦାନଦକ୍ଷିଣା ଆଦାୟ ହୋଇ ପାରିବନି ବୋଲି,ରଥରେ ହୁଣ୍ଡିବାକ୍ସ ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦେଶ ଜାରି କରିଛନ୍ତି।
ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ୪ଟି ଲେଖାଏଁ ହୁଣ୍ଡି ହିସାବରେ ମୋଟ ୧୨ଟି ହୁଣ୍ଡି ଓ ଶ୍ରୀଗୁଣ୍ଡିଚା ମନ୍ଦିରର ବିଭିନ୍ନ ସ୍ଥାନରେ ୫ଟି ହୁଣ୍ଡି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲଗାଯିବ। ଏଥିରେ ସ୍ୱଇଚ୍ଛାରେ ଭକ୍ତମାନେ ଦାନ କରିପାରିବେ।ଉକ୍ତ ହୁଣ୍ଡି ଉପରେ ଭକ୍ତଙ୍କ ଉଦ୍ଦେଶ୍ୟରେ ସୂଚନା ମଧ୍ୟ ରହିବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, “ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ ନକରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନିଯୋଗକୁ ଚିଠି କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତିନି ରଥ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚିବା ପର୍ଯ୍ୟନ୍ତ ଏହି ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।“
ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ସେବାୟତମାନଙ୍କ ଦ୍ଵାରା ଦର୍ଶନୀ ଟିକେଟ କଟାଯାଉଥିଲା।ଏହାଦ୍ଵାରା ଅନେକ ସମୟରେ ବିଶୃଙ୍ଖଳା ମଧ୍ୟ ଉପୁଜୁଥିଲା।ଏହାକୁ ରୋକିବା ପାଇଁ ନିଜେ ଶ୍ରୀମନ୍ଦିର ପ୍ରଶାସନ ଦର୍ଶନୀ ଟିକେଟ୍ କାଟିବ ବୋଲି ନିଷ୍ପତ୍ତି ନିଆଯାଇଛି।ଏଥିରୁ ସେବାୟତମାନଙ୍କୁ ଦୂରେଇ ରଖାଯାଇଛି।
ଏହା କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ତିନି ବାଡ଼ଗ୍ରାହୀଙ୍କଠାରୁ ସହଯୋଗ ଲୋଡ଼ା ଯାଇଥିଲା। ସମସ୍ତେ ନବଯୌବନ ଦର୍ଶନକୁ ଶୃଙ୍ଖଳିତ କରିବା ଦିଗରେ ସହାୟତା କରିବେ ବୋଲି ସହମତି ଜଣାଇଛନ୍ତି।
ଆସନ୍ତା ୧୩ ତାରିଖ ନବଯୌବନ ଦର୍ଶନ ପାଇଁ ଯେପରି ସକାଳ ୮ଟା ସୁଦ୍ଧା ଅଣସର ତାଟି ଫିଟିବ ତାହା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି ଓ ସୁପ୍ରିମକୋର୍ଟଙ୍କ ନିର୍ଦେଶ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି।