• padmabati kund

ପ୍ୟାକେଟ ଖାଦ୍ୟ କମ୍ପାନୀ  ଲୁଣ, ଚିନି ଓ ତେଲର  ମାତ୍ରା କମାଇବେ


ଗ୍ରାହକ ମାନଙ୍କୁ ସ୍ଵାସ୍ଥ୍ୟକର ଓ ସୁରକ୍ଷିତ ଖାଦ୍ୟ ଯୋଗାଇବା ପାଇଁ ଭାରତର ଖାଦ୍ୟ ନିରାପତ୍ତା ନିୟାମକ ଏଫ.ଏସ.ଏସ.ଏ.ଆଇ(FSSAI) ତରଫରୁ ସମସ୍ତ ପ୍ୟାକେଟ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ସ୍ଵେଚ୍ଛାକୃତ ଭାବରେ ନିଜର ଖାଦ୍ୟ ପ୍ରଡ଼କ୍ଟରେ ଲୁଣ, ଚିନି ଓ ତେଲର ମାତ୍ରା କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରସ୍ତାବକୁ ସମର୍ଥନ ଜଣାଇ ଅନେକ ପ୍ୟାକେଟ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ସେମାନଙ୍କ ଖାଦ୍ୟ ପ୍ରଡକ୍ଟରେ ଲୁଣ,ଚିନି ଓ ତେଲର ମାତ୍ରା କମାଇବାକୁ ଘୋଷଣା କରିଛନ୍ତି।

ଭାରତୀୟ ଖାଦ୍ୟ ମାନକ ନିର୍ଦ୍ଧାରଣ ସଂସ୍ଥା ଏଫ.ଏସ.ଏସ.ଏ.ଆଇ ତରଫରୁ “ଦ ଇଟ ରାଇଟ ମୁଭମେଣ୍ଟ” ନାମରେ ଏକ ପ୍ରଚାର ଏହି ସପ୍ତାହରେ  ଆରମ୍ଭ କରଯାଇଛି ଯେଉଁଥିରେ ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଓ ରୋଗ ଠାରୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏଚ.ୟୁ.ଏଲ, ନେସଲେ ଇଣ୍ଡିଆ, ବାଗ୍ରୀସ, ବ୍ରିଟାନିଆ,ଫିଲ୍ଡ ଫ୍ରେସ ଫୁଡ୍ସ, ମାରିକୋ, ଏମ.ଟି.ଆର,  ପତଞ୍ଜଳି, ହଳଦୀରାମ,ଆଇ.ଟି.ସି, କେଲଗ୍ସ, କ୍ରାଫ୍ଟ ହେଇଞ୍ଜ ଇଣ୍ଡିଆ, ବିକାନୋ ଓ ୱିକଫିଲ୍ଡ  ପରି ପ୍ୟାକେଟ ଖାଦ୍ୟ ପ୍ରସ୍ତୁତ କରୁଥିବା କମ୍ପାନୀ ଏହି ନିର୍ଦ୍ଦେଶକୁ ପାଳନ କରିବେ ବୋଲି ପ୍ରତିଶୃତି ଦେଇସାରିଛନ୍ତି।

ତେବେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ପାଇଁ ପ୍ରାୟ ଏକବର୍ଷ ସମୟ ଲାଗିପାରେ। 

ଏଫ.ଏସ.ଏସ.ଏ.ଆଇ(FSSAI)ର ସି.ଇ.ଓ ପୱନ କୁମାର ଅଗ୍ରୱାଲ କହିଛନ୍ତି ଯେ, “ ଏହି ନିୟମ କାର୍ଯ୍ୟକାରୀ ହେବା ପାଇଁ ପାଖାପାଖି 1ବର୍ଷ ସମୟ ଲାଗିବ। ଏହି ସମୟ ଭିତରେ କମ୍ପାନୀମାନଙ୍କୁ ନିଜର ଖାଦ୍ୟ ତିଆରି ପ୍ରଣାଳୀକୁ ବଦଳେଇବାକୁ ପଡିବ ।ନୂତନ ପ୍ୟାକେଜିଙ୍ଗ ଓ ଲେବେଲିଙ୍ଗ ନିୟମ ଲାଗୁ ହେବାପାଇଁ ପାଖାପାଖି 4ରୁ5 ମାସ ସମୟ ଲାଗିବ ଏବଂ ଏହା ପରେ କମ୍ପାନୀ ମାନଙ୍କୁ ଅତିକମରେ 6 ମାସ ସମୟ ଦିଆଯିବ।“

ଲାଲ ଚିହ୍ନ

ଏହି ନୂତନ ପ୍ୟାକେଜିଙ୍ଗ ଓ ଲେବେଲିଙ୍ଗ ନିୟମ ଅନୁସାରେ ଯେଉଁ ପ୍ରଡ଼କ୍ଟରେ ଅଧିକମାତ୍ରାରେ ଲୁଣ, ଚିନି ଓ ତେଲ ରହିଥିବ ସେହି ପ୍ୟାକେଟରେ ଲାଲ ରଙ୍ଗର ସଙ୍କେତ ରହିବ।ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟ ଠାରୁ ଅନ୍ୟକିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ପୱନ କୁମାର ଅଗ୍ରୱାଲ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ପତଞ୍ଜଳି କମ୍ପାନୀ କହିଛି , “ ଆମ କମ୍ପାନୀ ନିଜର ପ୍ରଡକ୍ଟରେ ଚିନି, ତେଲ ଓ ସୋଡିୟମକୁ କମ କରିବା ପାଇଁ ପ୍ରୟାସ ଜାରି ରଖିଛି। କମ୍ପାନୀ ଆଗକୁ ମଧୁମେହ ରୋଗୀମାନଙ୍କ ପାଇଁ ଶର୍କରା ବିହୀନ ଚ୍ୟବନପ୍ରାସ ତିଆରି କରିବାକୁ ଯାଉଛି ଓ ବର୍ତ୍ତମାନ ପ୍ରସ୍ତୁତ କରୁଥିବା ଚ୍ୟବନପ୍ରାସରୁ 3-5ପ୍ରତିଶତ ଶର୍କରା ସ୍ତରକୁ କମ କରିବାକୁ ଚେଷ୍ଟା କରୁଛି।“      

ଏହି ପ୍ରଚାରକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏଫ.ଏସ.ଏସ.ଏ.ଆଇ ତରଫରୁ ବଲିଉଡ ଅଭିନେତା ରାଜକୁମାର ରାଓଙ୍କୁ ଏକ ଛୋଟ ଭିଡିଓରେ ଅଭିନୟ କରିବାକୁ ପ୍ରସ୍ତାବ ଦିଆଯାଇଛି।ଏହି ଭିଡିଓରେ ସେ ସାଧାରଣ ଜନତାଙ୍କୁ ଖାଦ୍ୟରେ ଲୁଣ,ଚିନି ଓ ତେଲର ମାତ୍ର କରିବାକୁ ସଚେତନ କରିବେ। ଏହି ଭିଡିଓଟି ଟିଭି ତଥା ବିଭିନ୍ନ ସୋସିଆଲ ମିଡିଆରେ ପ୍ରସାରିତ ହେବ।

#food #fssairule

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon