- padmabati kund
କୂଳଦୀପଙ୍କ କମାଲ: ଆଗାମୀ ଟେଷ୍ଟ ମ୍ୟାଚରେ ଖେଳାଇବା ପାଇଁ ଦାବୀ

ଭାରତୀୟ କ୍ରିକେଟ ଦଳର ରିଷ୍ଟ ସ୍ପିନର କୂଳଦୀପ ଯାଦବଙ୍କ ବୋଲିଙ୍ଗ ପ୍ରଦର୍ଶନୀକୁ ନେଇ ବର୍ତ୍ତମାନ ସମସ୍ତଙ୍କ ମୁହଁରେ ପ୍ରଶଂସା। ଗତ ଗୁରୁବାର (ଜୁଲାଇ ୧୨)ଦିନ ଇଂଲଣ୍ଡ ବିପକ୍ଷରେ ଖେଲାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ମୋଟ ୬ଟି ୱିକେଟ ନେଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କୂଳଦୀପଙ୍କର ଏହି ବୋଲିଙ୍ଗ ପ୍ରଦର୍ଶନୀକୁ ଦେଖି ଆଗାମୀ ଟେଷ୍ଟ ମ୍ୟାଚରେ କୂଳଦୀପଙ୍କୁ ଖେଳିବାକୁ ଦିଆଯାଉ ବୋଲି ବିଭିନ୍ନ ମହଲରୁ ଦାବି କରାଯାଉଛି।
କୂଳଦୀପ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ନିଜର ୧୦ ଓଭର ବୋଲିଙ୍ଗରେ ମାତ୍ର ୨୫ ରନ ଦେଇ ମୋଟ ୬ଟି ଗୁରୁତ୍ୱପୂର୍ଣ୍ଣ ୱିକେଟକୁ ଆଉଟ କରିଥିଲେ। ସାରା ବିଶ୍ଵରେ ବାମହାତୀ ରିଷ୍ଟ ସ୍ପିନର ଭାବରେ ଦିନିକିଆ କ୍ରିକେଟ ମ୍ୟାଚରେ ୬ଟି ୱିକେଟ ନେବାରେ କୂଳଦୀପ ହେଉଛନ୍ତି ପ୍ରଥମ ଖେଳାଳୀ।ପୂର୍ବରୁ ଏହି ରେକର୍ଡ ବାମହାତୀ ସ୍ପିନର ମୂରଲୀ କାର୍ତ୍ତିକଙ୍କ ନାମରେ ଥିଲା। ସେ ୨୦୦୭ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୭ରନ ଦେଇ ୬ଟି ୱିକେଟ ନେଇଥିଲେ।
ଏହି ଇଂଲଣ୍ଡ ଟୁରରେ କୂଳଦୀପ ମୋଟ ୧୮ ଓଭର ବୋଲିଙ୍ଗ କରି ୧୧ଟି ୱିକେଟ ନେଇ ସାରିଛନ୍ତି। ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଚାରି ଓଭର ବୋଲିଙ୍ଗ କରି ମାତ୍ର ୨୪ରନ ଦେଇ ୫ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ।
କୂଳଦୀପଙ୍କର ଏହି ବୋଲିଙ୍ଗ ପ୍ରଦର୍ଶନୀକୁ ଦେଖି ଅଷ୍ଟ୍ରେଲିଆର ପୂର୍ବତନ ବୋଲର ବ୍ରାଡ ହଜ କହିଛନ୍ତି ଯେ, “ ଭାରତ ଆଗକୁ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଯାଉଥିବା ଟେଷ୍ଟ ମ୍ୟାଚରେ କୂଳଦୀପ ହେଉଛନ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳୀ। ଭାରତର ସ୍ପିନ ଆକ୍ରମଣକୁ ସୁଦୃଢ କରିବା ପାଇଁ ସେ ପ୍ରମୁଖ ଅସ୍ତ୍ର ହେବେ ଓ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମାନଙ୍କୁ ସମସ୍ୟାରେ ପକାଇ ପାରିବେ।“
ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇନାହିଁ, କିନ୍ତୁ ଦଳରେ ସ୍ଥାନ ପାଇବେ ବୋଲି କୂଳଦୀପ ଆଶାବାଦୀ ଅଛନ୍ତି। ସେ କହିଛନ୍ତି ଯେ, “ଆସନ୍ତା ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ ମ୍ୟାଚରେ ମତେ ସ୍ଥାନ ମିଳିବ ବୋଲି ଆଶା କରୁଛି। ଅଳ୍ପକିଛିଦିନ ମଧ୍ୟରେ ଦଳ ଘୋଷଣା ହେବାପରେ କଣ ହେଉଛି ଜଣାପଡିବ।”
କୂଳଦୀପଙ୍କର ଏହି ଚମତ୍କାର ବୋଲିଙ୍ଗ ବଳରେ ଭାରତ ଏହି ଦିନିକିଆ ସିରିଜରେ ୧-୦ ରେ ଆଗୁଆ ଅଛି ଓ ଟେଷ୍ଟ ମ୍ୟାଚରେ ମଧ୍ୟ କୂଳଦୀପଙ୍କ ବୋଲିଙ୍ଗ ଭାରତକୁ ଜିତିବାରେ ସାହାଯ୍ୟ କରିବ ବୋଲି କ୍ରିକେଟ ପ୍ରଶଂସକ ମାନେ ଦାବି କରିଛନ୍ତି।