- padmabati kund
ମିଲଖା ସିଂ ଓ ପିଟି ଉଷାଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ହିମା ଦାସ

ଅସାମର ଝିଅ ହିମା ଦାସଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ମିଲଖା ସିଂ ଓ ପିଟି ଉଷାଙ୍କ ରେକର୍ଡକୁ ଭାଙ୍ଗି,ଆଇ.ଏ.ଏ.ଏଫ ବିଶ୍ୱ ୨୦ ବର୍ଷରୁ କମ ଦୌଡକୁଦ ପ୍ରତିଯୋଗିତାରେ ୪ଶହ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚନା କରିଛନ୍ତି। ସେ ୪ଶହ ମିଟରକୁ ୫୧ ଦଶମିକ ୪୬ ସେକେଣ୍ଡରେ ଦୌଡିବା ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ଏହି ସଫଳତା ପାଇବାରେ ହିମା ହେଉଛନ୍ତି ପ୍ରଥମ ଭାରତୀୟ । ଫିନଲାଣ୍ଡର ଟାମ୍ପେର ଠାରେ ଆୟୋଜିତ ଦୌଡକୁଦ ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟରେ ଦ୍ରୁତତମ ଧାବିକା ଭାବେ ହିମା ଫାଇନାଲକୁ ଯାଇଥିଲେ ।
ହିମା ଏହି ୪୦୦ ମିଟର ଦୌଡ଼କୁ ୫୧.୪୬ ସେକେଣ୍ଡରେ ପୁରା କରି ଜାଭଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କ ସହ ସମକକ୍ଷ ହୋଇଛନ୍ତି। ପୂର୍ବରୁ ୨୦୧୬ ପୋଲାଣ୍ଡରେ ହୋଇଥିବା ୨୦ ବର୍ଷରୁ କମ୍ ଅନ୍ତର୍ଜାତୀୟ ଆଥଲେଟିକ ଚାମ୍ପିୟନଶିପରେ ନୀରଜ ଚୋପ୍ରା ଜାଭିଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ରନିଂ ଟ୍ରାକ୍ରେ ପ୍ରଥମ ଭାରତୀୟ ଭାବେ ହିମା ଦାସ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ହିମା ପୂର୍ବରୁ ଦୌଡ଼କୁଦରେ କୌଣସି ଭାରତୀୟ ପଦକ ଜିତିବାର ସୌଭାଗ୍ୟ ଲାଭ କରିନଥିଲେ। ମିଲଖା ସିଂ ଓ ପିଟି ଉଷା ମଧ୍ୟ ଏହି କିର୍ତ୍ତୀ ଅର୍ଜନ କରିପାରିନଥିଲେ। ହିମା ଦାସଙ୍କ ପୂର୍ବରୁ ମିଲଖା ସିଂ 1960 ମସିହା ରୋମ ଅଲମ୍ପିକରେ 400ମିଟର ଦୌଡରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ ଓ 1984 ମସିହା ଅଲମ୍ପିକରେ ପିଟି ଉଷା 400 ମିଟର ହର୍ଡଲ ଦୌଡରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।
ହିମାଙ୍କୁ ଏହି ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥ କୋଭିନ୍ଦ ଅଭିନନ୍ଦନ ଜଣାଇଛନ୍ତି। ହିମା ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଥିଲେ। ଜାକର୍ତା ଏସୀୟ କ୍ରୀଡ଼ା ଲାଗି ବି ସେ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।