• ବେତାର ବ୍ୟୁରୋ

ଆହୁରି 24ଘଣ୍ଟା ଭୀଷଣ ବର୍ଷା : କେଉଁ ଜିଲ୍ଲାରେ ପଢନ୍ତୁ


ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳ ସମେତ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ତେବେ ମଙ୍ଗଳବାର (ଜୁନ 17) ଦିନ ଉତ୍ତର ଓଡିଶାର ପାଞ୍ଚଟି ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଏହି ଜିଲ୍ଲାଗୁଡିକ ହେଲେ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା , ଜଗତସିଂପୁର, ଅବିଭକ୍ତ ପୁରୀ - ଖୋର୍ଦ୍ଧା ।ମଙ୍ଗଳବାର ସକାଳ ୮.୩୦ ଘଟିକା ଯାଏଁ ଏହି ପୂର୍ବାନୁମାନ ବଳବତ୍ତର ରହିବ ବୋଲି ବିଭାଗ କହିଛି ।

ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ତରଫରୁ ପ୍ରକାଶ ପାଇଥିବା ବୁଲେଟିନରେ କୁହାଯାଇଛି ଯେ ଆଜି ସଂଧ୍ୟା (ଜୁନ ୧୬) ସୁଦ୍ଧା ଉପକୂଳ ଓଡ଼ିଶାରେ ବର୍ଷା କମିବ କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶା ଯଥା ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗିର ସମେତ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି।

ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଓ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି ।

ୱେଲ୍ ମାର୍କ ଲୋ ପ୍ରେସର ଏବେ ଉପକୂଳ ଓଡ଼ିଶା ଉପର ଦେଇ ଉତ୍ତର ଦିଗରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ଗତି କରୁଛି ଓ ଏଥିପାଇଁ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ତରଫରୁ କୁହାଯାଇଛି।

ଲଗାଣ ବର୍ଷା

ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ରାୟଗଡା, କନ୍ଧମାଳ, ନବରଙ୍ଗପୁର, ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇଛି। ସେହିପରି ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି।

ଆଜି ସକାଳୁ କଟକ- ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିଲା।ଭବାନୀପାଟଣାରେ ସର୍ବାଧିକ ୨୯୯ମି.ମି ବର୍ଷା, ପୁରୀରେ ୨୦୧ ଓ ଭୁବନେଶ୍ଵରରେ ୧୨୩ମି.ମି ବର୍ଷା ରେକର୍ଡ କରାଯାଇଥିବା ସ୍ଵତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।

ବର୍ଷା ଲାଗି ରହିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। କଟକରେ ପ୍ରବଣ ବର୍ଷା ଯୋଗୁଁ ଆଜି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଥିଲା।

ବନ୍ୟା ସ୍ଥିତି

ଲଗାଣ ବର୍ଷା ଲାଗି ରହିଥିବାରୁ ମାଲକାନାଗିରି ଜିଲ୍ଲାରେ ଥିବା ଓଡିଶାର ସବୁଠୁ ବଡ ଜଳଭଣ୍ଡାର ବାଲିମେଳା ଉପରେ ନିର୍ମିତ ହେବାକୁ ଥିବା ଗୁରୁପ୍ରିୟା ସେତୁର ଉଦଘାଟନ ଉତ୍ସବକୁ ଘୁଞ୍ଚାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ଗୁରୁବାର (ଜୁଲାଇ ୧୮) ଦିନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା। ସମଗ୍ର ମାଲକାନାଗିରି ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଇଛି ।

#currentnews #rain

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon