- padmabati kund
ନୂଆ ଯୋଜନା : ଛାତ୍ରଛାତ୍ରୀଙ୍କୁ ମିଲିଟାରୀ ଟ୍ରେନିଂ ପାଇଁ ମିଳିବ ଷ୍ଟାଇପେଣ୍ଡ

ଯୁବଗୋଷ୍ଠୀଙ୍କ ମନରେ ରାଷ୍ଟ୍ରବାଦ, ଅନୁଶାସନ ଓ ଆତ୍ମସମ୍ମାନ ବୃଦ୍ଧି କରିବାପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ଏକାସାଙ୍ଗରେ ୧୦ ଲକ୍ଷ ଯୁବକ ଓ ଯୁବତୀଙ୍କୁ ସୈନ୍ୟ ପ୍ରଶିକ୍ଷଣ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ୧୨ ମାସର ଟ୍ରେନିଙ୍ଗ ସମୟ ମଧ୍ୟରେ ଯୁବକ ଓ ଯୁବତୀ ମାନଙ୍କୁ ମାସିକ ଷ୍ଟାଇପେଣ୍ଡ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି।
ତେବେ ଏହି ମାସିକ ଷ୍ଟାଇପେଣ୍ଡ ଅର୍ଥରାଶି ପରିମାଣ ଉପରେ ଏପର୍ଯ୍ୟନ୍ତ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।
ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ସରକାର ଏହାର ନାମ ନ୍ୟାସନାଲ ୟୁଥ ଇମ୍ପପାୱାରମେଣ୍ଟ ସ୍କିମ ବା N-YES ରଖିଛନ୍ତି ଓ ଆଗାମୀ ଦିନରେ ଡିଫେନ୍ସ, ପାରାମିଲିଟାରୀ ଓ ପୋଲିସରେ ଭର୍ତ୍ତି ହେବା ପାଇଁ ଏହି ପ୍ରଶିକ୍ଷଣ ଅନିବାର୍ଯ୍ୟ କରାଯିବ ବୋଲି ଜଣାପଡିଛି ।
ଏହି ସ୍କିମ ଅନୁଯାୟୀ, ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୧ବର୍ଷ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଦିଆଯିବ । ତେଣୁ ଭବିଷ୍ୟତରେ ପୋଲିସ ଓ ସୈନ୍ୟ ବିଭାଗରେ ଚାକିରି କରିବାକୁ ଆଗ୍ରହୀ ଥିବା ଯୁବକ ଓ ଯୁବତୀ ମାନଙ୍କପାଇଁ ଏହି ପ୍ରଶିକ୍ଷଣ ନେବା ବାଧ୍ୟତାମୂଳକ ହେବ ।
ଏହି ଟ୍ରେନିଙ୍ଗରେ ଭର୍ତ୍ତି ହୋଇଥିବା ଯୁବକ ଯୁବତୀ ମାନଙ୍କୁ ସାମରିକ ଶିକ୍ଷା ସହିତ ଯୋଗ, ଆୟୁର୍ବେଦ ଓ ଭାରତୀୟ ଦର୍ଶନ ମାଧ୍ୟମରେ ଧନ୍ଦାମୂଳକ ଶିକ୍ଷା,ଆଇଟି ଶିକ୍ଷା,ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ଏବଂ ଭାରତୀୟ ମୂଲ୍ୟବୋଧ ବିଷୟରେ ଶିକ୍ଷା ଦିଆଯିବ।
ଏହି ଯୋଜନା ମାଧ୍ୟମରେ ଯୁବଗୋଷ୍ଠୀଙ୍କ ମନରେ ରାଷ୍ଟ୍ରବାଦ, ଅନୁଶାସନ ଓ ଆତ୍ମସମ୍ମାନ ବୃଦ୍ଧି କରାଯିବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନ୍ୟୁ-ଇଣ୍ଡିଆ ୨୦୨୨ ଭିଜନରେ ମଧ୍ୟ ଏହା ସହାୟକ ହେବବୋଲି ଆଶା କରାଯାଉଛି ।
ଏହି ଯୋଜନା ଉପରେ ବିଚାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଜୁନ ମାସ ଶେଷ ସପ୍ତାହରେ ଏକ ବୈଠକ ବସିଥିଲା । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରାଳୟ, ମାନବ ସମ୍ବଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ ।ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀଙ୍କ ତରଫରୁ ଏହି ଯୋଜନାକୁ ନେଇ ଏକ ଉପସ୍ଥାପନ କରଯାଇଥିଲା।
ତେବେ ଏହି ବୈଠକରେ ସାମିଲ ହୋଇଥିବା କିଛି ଅଧିକାରୀ ଏହି ଯୋଜନାକୁ ସମର୍ଥନ କରିଥିବା ବେଳେ ଅନ୍ୟକିଛି ଅଧିକାରୀ ଏହି ଯୋଜନା ବଦଳରେ ପୂର୍ବରୁ ଚାଲୁରହିଥିବା ଏନସିସିକୁ ବିସ୍ତାର କରିବାକୁ ମତ ଦେଇଥିଲେ ।
ଯୁବଗୋଷ୍ଠୀଙ୍କ ମଧ୍ୟରେ ରାଷ୍ଟ୍ରବାଦ ଓ ଅନୁଶାସନ ବୃଦ୍ଧି କରିବା ପାଇଁ ଏହା ପୂର୍ବରୁ ମଧ୍ୟ ମୋଦୀ ସରକାର ଯୋଜନା କରିଥିଲେ। ଗତବର୍ଷ ଜୁଲାଇ ମାସ ୨୧ ତାରିଖରେ ସାଧାରଣ ସ୍କୁଲର ଛାତ୍ରଛାତ୍ରୀଙ୍କ ମନରେ ଦେଶାତ୍ମବୋଧ, ଅନୁଶାସନ ଓ ସେମାନଙ୍କୁ ଶାରୀରିକ ଭାବେ ଫିଟ ରଖିବା ପାଇଁ ସୈନିକ ସ୍କୁଲ ପରି ଉପାଦାନ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣଶିକ୍ଷାମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।