• ବେତାର ବ୍ୟୁରୋ

ଲୋକସଭାରେ ରାହୁଳ ରଙ୍ଗ : ମୋଦୀଙ୍କୁ କୁଣ୍ଢାଇଲେ


ଶୁକ୍ରବାର ଲୋକସଭାରେ ନରେନ୍ଦ୍ର ମୋଦୀ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ବିତର୍କ ଚାଲିଥିଲା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ବକ୍ତବ୍ୟ ରଖିସାରିଲା ପରେ ଅଚାନକ ନିଜ ସିଟରୁ ଉଠି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଯାଇ କୁଣ୍ଢାଇ ପକାଇଥିଲେ। ତାଙ୍କର ଏହି ଆଚରଣରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଇଥିଲେ। ପୁନଶ୍ଚ ନିଜର ସମାଲୋଚକଙ୍କୁ କହିଥିଲେ, “ମୋତେ ଆପଣ ପପୁ କହୁଛନ୍ତି, କୁହନ୍ତୁ । ମୁଁ ଆପଣଙ୍କୁ କିଛି କହିବିନି । “

ଆସନ୍ତୁ ଜାଣିବା ଏହିପରି ପାଞ୍ଚଟି କଥା ଯେଉଁଥିପାଇଁ ରାହୁଳା ଗାନ୍ଧୀ ଆଜି ଦିନ ତମାମ ବିଭିନ୍ନ ସୋସିଆଲ ମିଡିଆ ତଥା ଟିଭି ଚାନେଲମାନଙ୍କରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଥିଲେ।

ମୋଦୀ ମୋତେ ଭୟ କରୁଛନ୍ତି

ଶୁକ୍ରବାର ଅପରାହ୍ନରେ ମୋଦୀ ସାରକାରକୁ ସମାଲୋଚନା କରି ନିଜ ବକ୍ତବ୍ୟ ରଖିଲା ବେଳେ ରାହୁଳ ଗାନ୍ଧୀ କହିଥିଲେ ଯେ “ଏହି ସବୁ ( ରଫେଲ ବିମାନ କିଣା ପ୍ରସଙ୍ଗ, ନାରୀ ଅତ୍ୟାଚାର) ବିଷୟ ବସ୍ତୁ ଉପରେ ସରକାର ନିଜର ପ୍ରତିକ୍ରିୟା ରଖି ପାରିବେ ନାହିଁ, କାରଣ ସେମାନଙ୍କ ପାଖରେ କହିବା ପାଇଁ କିଛି ନାହିଁ । ସେ ସତ ଲୁଚାଉଛନ୍ତି ଓ ଏପାଖ ସେପାଖ ଦେଖୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ଙ୍କ ସାହସ ନାହିଁ) ମୋ ସହ ଆଖି ମିଶେଇ ପାରିବେ ନାହିଁ ।“ ତାଙ୍କର ଏହି ବାକ୍ୟପରେ ସମଗ୍ର ଲୋକସଭାରେ ହାସ୍ୟରୋଳ ସୃଷ୍ଟି ହେଇଥିଲା। ସ୍ଵୟଂ ପ୍ରଧାନମନ୍ତ୍ରୀ ମୋଦୀ ହସ ନ ସମ୍ଭାଳି ପାରି ଜୋରରେ ହସିଥିଲେ , ଯାହାକୁ ନେଇ କଂଗ୍ରେସ ସାଂସଦ ମାନେ ଲୋକସଭା ଅଧ୍ୟକ୍ଷାଙ୍କୁ ଅଭିଯୋଗ ମଧ୍ୟ କରିଥିଲେ ।

ପରେ ଏହି ଆଖିରେ ଆଖି ମିଶେଇ ବାକ୍ୟକୁ ହିନ୍ଦୀରେ ଆଉଥରେ କହିଲା ବେଳେ ରାହୁଳା ଗାନ୍ଧୀ ଭୁଲରେ କହିଦେଇ ଥିଲେ “ପ୍ରଧାନମନ୍ତ୍ରୀ ତାଙ୍କ ଆଖି ମୋ ଆଖିରେ ପକେଇ ପାରିବେ ନାହିଁ (ପ୍ରଧାନମନ୍ତ୍ରୀ ଅପନୀ ଆଁଖ ମେରେ ଆଁଖ ମେ ଡ଼ାଲ ନହିଁ ସକତେ)। ଏଥିପାଇଁ ପ୍ରବଳ ହାସ୍ୟରୋଳ ହେଇଥିଲା।

ଅକାଳୀ ଦଳକୁ ଲାଜରା କଲେ

ନିଜ ବକ୍ତବ୍ୟ ରଖିଲା ପରେ, ରାହୁଳଙ୍କ ବକ୍ତବ୍ୟ ଅସମାପ୍ତ ରଖି ଲୋକସଭା ମାତ୍ର ପାଞ୍ଚ ମିନିଟ ପାଇଁ ମୁଲତବୀ କରାଯାଇଥିଲା । ଏହି ସମୟରେ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଳୀଦଳ ନେତ୍ରୀ ହରସିମରତ କୌର, ରାହୁଲଙ୍କ ନିକଟକୁ ଯାଇ ତାଙ୍କ ଭାଷଣ ଭଲ ହେଇଥିବା କଥା କହିଥିଲେ। ପାଞ୍ଚ ମିନିଟ ବ୍ରେକ ପରେ ଏହି କଥାକୁ ଉଠାଇ ରାହୁଳ ନିଜର ବକ୍ତବ୍ୟରେ କହିଥିଲେ ଯେ ମୋଦୀଙ୍କ ସହଯୋଗୀ ଦଳମାନେ ବିଜେପି ଉପରେ ଖପ୍ପା ଅଛନ୍ତି । ଏହି ବକ୍ତବ୍ୟ ପରେ ମୋଦୀ ସରକାରରେ ମନ୍ତ୍ରୀ ଥିବା ଶ୍ରୀମତୀ କୌର ଅପ୍ରସ୍ତୁତ ହେଇଥିବା ଦେଖାଯାଇଥିଲା । ପରେ ପାର୍ଲିଆମେଣ୍ଟ ବାହାରକୁ ଆସି କୌର କହିଥିଲେ ଯେ ରାହୁଲ ଗାନ୍ଧୀ ଜଣେ ନିଶା ସେବନକାରୀଙ୍କ ପରି ବ୍ୟବହାର କରୁଛନ୍ତି ।

ପପୁ ଡାକିଲେ ଫରକ ପଡେନି

ଲୋକସଭାରେ ନିଜର ବକ୍ତବ୍ୟ ରଖିଲା ପରେ ଅନେକ ସାଂସଦ ତାଙ୍କ ପ୍ରତି ହସୁଥିବାର ଦେଖି ରାହୁଳ ଗାନ୍ଧୀ କହିଥିଲେ, “ଆପଣ ମାନେ ମୋତେ ଘୃଣା କରନ୍ତି ମୋତେ ଜଣା ଅଛି । ମୋତେ ପପୁ ବୋଲି ଡାକନ୍ତି ଆପଣ । ହେଲେ ମୁଁ ଆପଣଙ୍କ ପ୍ରତି ସେ ଭଳି ମନୋଭାବ ପୋଷଣ କରେନାହିଁ । ମୁଁ ସମସ୍ତଙ୍କୁ ଭଲ ପାଇବା ଶିଖିଛି । “

ମୋଦୀଙ୍କୁ କୁଣ୍ଢାଇଲେ

ନିଜର ବକ୍ତବ୍ୟ ଶେଷ କରିବା ପାଇଁ ସମସ୍ତଙ୍କୁ ଆଚମ୍ବିତ କରି, ଏପରିକି ଲୋକସଭା ଅଧ୍ୟକ୍ଷା ସୁମିତ୍ରା ମହାଜନଙ୍କ ବାରଣ ସତ୍ତ୍ୱେ ରାହୁଳ ଗାନ୍ଧୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସିଟ ନିକଟକୁ ଯାଇ ଅଳ୍ପ କଥା ହେଇଥିଲେ ଓ ତାଙ୍କୁ ବିନା ପଚାରି କୁଣ୍ଢାଇ ପକାଇଥଲେ । ମୋଦୀ ମଧ୍ୟ ଏ ଘଟଣାରେ ଆଚମ୍ବିତ ହେଇଥିଲେ ଓ ପରେ ତାଙ୍କୁ ଡାକି କିଛି ପଚାରୁଥିବାର ଦେଖା ଯାଇଥିଲା।

ବକ୍ତବ୍ୟ ପରେ ଆଖି ମାରିଲେ

ମୋଦୀଙ୍କୁ କୁଣ୍ଢାଇ ସାରିବା ପରେ କଂଗ୍ରେସ ଦଳର ସାଂସଦମାନେ ମଧ୍ୟ ରାହୁଳଙ୍କ ଏହି ଆଚରଣରେ ଆଚମ୍ବିତ ହେଇଥିଲେ । ଏହାପରେ ରାହୁଳ ନିଜ ସିଟକୁ ଯାଇ ତାଙ୍କର ଦଳର ସାଂସଦଙ୍କୁ ଦେଖି ଆଖି ମାରି ମୁରୁକି ହସୁଥିବାର ଦେଖା ଯାଇଥିଲା। ସଦନରେ ଉପସ୍ଥିତ ଥିବା ସୋନିଆ ଗାନ୍ଧୀ କିନ୍ତୁ ପ୍ରବଳ ଜୋରରେ ତାଳି ମାରୁଥିବାର ଦେଖାଯାଇଥିଲା ।

#politics #oddnews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon