• padmabati kund

ସୀମାହୀନ ପ୍ରେମ : ମହାକାଶକୁ ପଠାନ୍ତୁ ବିବାହ ସ୍ମାରକୀ


ପ୍ରାୟ ସବୁ ନବବିବାହିତ ଦମ୍ପତିମାନେ ପରସ୍ପର ପ୍ରତି ଥିବା ଭଲପାଇବା ଓ ସ୍ନେହକୁ ଦର୍ଶାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ନିଜ ପ୍ରେମକୁ ଅମର ରଖିବାକୁ କିଏ ପ୍ଲାଷ୍ଟିକର ତାଜମହଲ ତୋଳେ ତ ଆଉକିଏ ପାହାଡ କାଟି ରାସ୍ତା ତିଆରି କରିଥାଏ । ତେବେ ଯେଉଁମାନେ ସମୟ ସୁବିଧା ଅଭାବରୁ ଏପରି କିଛି କରିପାରିବେ ନାହିଁ, ସେମାନଙ୍କ ପାଇଁ ଏକ ଜାପାନୀ କମ୍ପାନୀ ଆଣିଛି ଏହି ସୁଯୋଗ , ଯାହା ଫଳରେ ଆପଣଙ୍କ ପ୍ରେମ ମହାକାଶରେ ବି ନିଜ ସ୍ଥିତି ଜାହିର କରିବ ।

ୱାର୍ପ ସ୍ପେସ ନାମକ ଏକ ଜାପାନୀ କମ୍ପାନୀ ତରଫରୁ ଏହି ସୁବିଧା ମିଳିବ। ଏହି ସେବା ପାଇଁ 30,000 ୟେନ (ଟ.18,534 ) ବଦଳରେ ଦମ୍ପତିମାନେ ମହାକାଶକୁ ଏହି ସ୍ମାରକୀ ପଠାଇପାରିବେ। ଏଥିଲାଗି ଆଗକୁ ଏହି କମ୍ପାନୀ ଟୋକିଓର ବାହାରେ ସୁକୁବା ସହରରେ ଥିବା ଏକ ହୋଟେଲ ସହିତ ଭାଗୀଦାରୀ କରି ଏହି ସେବା ଆରମ୍ଭ କରିବ।

ଏହି ହୋଟେଲରେ ବିବାହ କରୁଥିବା ନବଦମ୍ପତିମାନେ ଏକ 16x8 ମିଲିମିଟର ବିଶିଷ୍ଟ ଟାଇଟାନିୟମ ପ୍ଳେଟରେ ନିଜ ବିବାହ ସ୍ମାରକୀକୁ ସାଟେଲାଇଟ ମାଧ୍ୟମରେ ମହାକାଶକୁ ପଠାଇପାରିବେ। ଏହି ସାଟେଲାଇଟକୁ ଏକ ସପ୍ଲାଇ ବିମାନ ମାଧ୍ୟମରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ପଠାଇ ଦିଆଯିବ ଓ ସେଠାରେ ମହାକାଶଚାରୀଙ୍କ ଦ୍ଵାରା ମହାକାଶକୁ ଛାଡି ଦିଆଯିବ।

ଅର୍ଡର ଆରମ୍ଭ

ଏହି ସାଟେଲାଇଟକୁ ଲଞ୍ଚ କରିବାକୁ ଆହୁରି ଏକବର୍ଷ ବିଳମ୍ବ ରହିଥିଲେ ବି କମ୍ପାନୀ ତରଫରୁ ବହୁ ଶୀଘ୍ର ଏଥିପାଇଁ ଅର୍ଡର ନିଆଯିବ।

ମହାକାଶରେ ବିବାହ ସ୍ମାରକୀଟି ଘୁରି ବୁଲୁଥିବାବେଳେ ଏହାର ଏକ ଫଟୋ ଉଠାଇ ଉକ୍ତ ଦମ୍ପତିଙ୍କୁ ଦିଆଯିବ ବୋଲି ୱାର୍ପସ୍ପେସ କମ୍ପାନୀର ମୁଖ୍ୟ ପରିଚାଳକ ତୋଷିହିରୋ କାମେଦା ଖବର ସଂସ୍ଥା ଏ.ଏଫ.ପିକୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମହାକାଶକୁ ଯାତ୍ରା କରିବା ହୁଏତ ସାଧାରଣ ଲୋକଙ୍କ ପାଇଁ ସମ୍ଭବ ହୋଇନଥାଏ, ତେଣୁ ସେମାନଙ୍କର ଭଲପାଇବାର ସ୍ମୃତି ଭାବରେ ଏହି ବିବାହ ସ୍ମାରକୀଟି ମହାକାଶକୁ ଯାଇପାରିବ ଓ ସମଗ୍ର ଆକାଶରେ ସେମାନଙ୍କର ପ୍ରେମ ପରିବ୍ୟାପ୍ତ ହେଉ।“

ଏହି ସ୍ମାରକୀଟି ମହାକାଶରେ ପ୍ରାୟ ଏକରୁ ଦୁଇ ବର୍ଷ ପର୍ଯ୍ୟନ୍ତ ରହିବ ଓ ଧୀରେ ଧୀରେ ପୃଥିବୀ ଆଡକୁ ଆସିଲେ ଏହା ଜଳି ନିଶ୍ଚିହ୍ନ ହୋଇଯିବ।

#oddnews #space

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon